ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ: ସକାଳ ୮ଟାରୁ ଦର୍ଶନ ଆରମ୍ଭ

ଘଣ୍ଟାଏ ପରିମାଣିକ, ସାଢ଼େ ୫ ଘଣ୍ଟା ସର୍ବସାଧାରଣ ଦର୍ଶନ

ପୁରୀ: ଅଣସର ଘରେ ନାନାଦି ଗୋପନ ନୀତି ପରେ ଜ୍ବରରେ ପଡ଼ିଥିବା ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ସୁସ୍ଥ ହେବାପରେ ଖଡ଼ି ଲାଗି ସହ ଆଜି ବିଳମ୍ବିତ ରାତିରେ ମହାପ୍ରଭୁଙ୍କ ବନକଲାଗି ନୀତି ସମ୍ପନ୍ନ ହୋଇଛି। ବନକଲାଗି ପରେ ମହାପ୍ରଭୁ ନବଯୌବନ ପ୍ରାପ୍ତି ହୋଇଛନ୍ତି। ଏଥିପାଇଁ ୧୫ ଦିନର ଅଣସର ‌ଶେଷକରି ବୁଧବାର ଶ୍ରୀଜିଉ ଅଣସର ପିଣ୍ଡିରୁ ନବଯୌବନ ବେଶରେ ଦର୍ଶନ ଦେବେ। ସକାଳ ୮ଟାରୁ ଦର୍ଶନ ଆରମ୍ଭ ହେବ। ପ୍ରଥମେ ପରିମାଣିକ ଓ ପରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ। ଆସନ୍ତାକାଲି ମାତ୍ର ସାଢ଼େ ୬ ଘଣ୍ଟା ନବଯୌବନ ବେଶରେ ଦର୍ଶନ ଦେବେ ମହାପ୍ରଭୁ। ବାକି ସମୟ ନୀତିକାନ୍ତି ପାଇଁ ବନ୍ଦ ରହିବ। ଅନ୍ୟପଟେ ଦୁଇବର୍ଷ ଧରି ଏହି ଦୁର୍ଲ୍ଲଭ ଦର୍ଶନରୁ ବଞ୍ଚିତ ଥିବାରୁ ନ‌ବଯୌବନ ବେଶ ଦର୍ଶନ କରିବାକୁ ଅଧିକ ଭକ୍ତଙ୍କ ଭିଡ଼ ସମ୍ଭାବନା ଥିବାରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଇନଶୃଙ୍ଖଳା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି। ଦର୍ଶନ ପାଇଁ ବାରିକେଡ୍‌ ବ୍ୟବସ୍ଥା କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବି ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି।

ଶ୍ରୀମନ୍ଦିର ପ୍ରଶାସନ ସୂଚନା ମୁତାବକ, ବୁଧବାର ସକାଳ ୬ଟାରେ ଚକା ବିଜେ କରିଥିବା ଶ୍ରୀଜିଉଙ୍କ ଚକା ଅପସର ନୀତି ଅନୁଷ୍ଠିତ ହେବ। ଏହିସମୟରେ ପଟିଦିଅଁଙ୍କଠାରେ ଦୈନନ୍ଦିନ ନୀତିକାନ୍ତି ଆରମ୍ଭ ହେବ। ଭୋର ୬ଟା ୧୦ରେ ମଙ୍ଗଳ ଆଳତି, ୬ଟା ୨୫ରେ ମଇଲମ, ୭ଟାରେ ଅବକାଶ ନୀତି ଅନୁଷ୍ଠିତ ହେବ। ସକାଳ ସାଢ଼େ ୭ଟାରେ ଶ୍ରୀଜିଉଙ୍କ ଅଣସର ସମୟରେ ପୂଜା ପାଉଥିବା ପଟିଦିଅଁ(ଦଶାବତାର)ଙ୍କ ବାହୁଡ଼ା ବିଜେ ନୀତି ଅନୁଷ୍ଠିତ ହେବ। ସକାଳ ୮ଟାରେ ଅଣସର ତାଟି ଫିଟିବା ପରେ ମହାପ୍ରଭୁ ନବଯୌବନ ବେଶରେ ଦର୍ଶନ ଦେବେ। ପ୍ରଥମେ ପରିମାଣିକ ଦର୍ଶନ ଆରମ୍ଭ ହେବ। ସକାଳ ୮ଟାରୁ ୯ଟା ପର୍ଯ୍ୟନ୍ତ ପରିମାଣିକ ଦର୍ଶନ ପରେ ସକାଳ ୯ଟାରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ହେବ। ଏହିସମୟରେ ଭକ୍ତମାନେ ଭିତରକାଠରୁ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ। ପରେ ଅପରାହ୍ନ ୨ଟାରୁ ୩ଟା, ସଂଧ୍ୟା ୬ଟାରୁ ସାଢ଼େ ୬ଟା, ରାତି ୯ଟାରୁ ସାଢ଼େ ୧୦ଟା ଓ ରାତି ସାଢ଼େ ୧୧ଟାରୁ ସାଢ଼େ ୧୨ଟା ସର୍ବସାଧାରଣ ଦର୍ଶନ ହେବ। କିନ୍ତୁ ଏହି ସମୟରେ ଭକ୍ତମାନେ ବାହାରକାଠରୁ ମହାପ୍ରଭୁଙ୍କ ଦର୍ଶନ କରିବେ।

ସକାଳ ସାଢ଼େ ୧୦ଟାରୁ ଦର୍ଶନ ବନ୍ଦ ରହିବା ପରେ ଅନ୍ୟାନ୍ୟ ନୀତିକାନ୍ତି ଚାଲିବ। ପୂର୍ବାହ୍ନ ୧୧ଟାରେ ଧୁଆଧୋଇ ହୋଇ ଚୁନ ପଡ଼ିବା ପରେ ସାଢ଼େ ୧୧ଟାରେ ଦଇତାପତି ସର୍ବାଙ୍ଗ ଓ ବନ୍ଦାପନା ନୀତି ଅନୁଷ୍ଠିତ ହେବ। ମଧ୍ୟାହ୍ନ ୧୨ଟାରେ ନେତ୍ରୋତ୍ସବ ବନ୍ଦାପନା, ସାଢ଼େ ୧୨ଟାରେ ରୋଷହୋମ, ୧୨ଟା ୪୫ରେ ରାଜନୀତି, ଅପରାହ୍ଣ ୨ଟାରେ ଯାତ୍ରାଙ୍ଗୀ ମହାସ୍ନାନ, ୨ଟା ୧୫ରେ ମଇଲମ, ୨ଟା ୪୫ରେ ଘଣ୍ଟଛତା ସର୍ବାଙ୍ଗ, ସୂର୍ଯ୍ୟପୂଜା, ୩ଟାରେ ଦ୍ବାରପାଳ ପୂଜା, ସାଢ଼େ ୩ଟାରେ ବେଶ ଶେଷ ହେବ। ଅପରାହ୍ନ ୪ଟାରୁ ସାଢ଼େ ୫ଟା ଭିତରେ ଗୋପାଳ ବଲ୍ଲଭ ଓ ଘଣ୍ଟଛତା ସକାଳ ଧୂପ(କେବଳ କୋଠଭୋଗ) ନୀତି ଅନୁଷ୍ଠିତ ହେବ। ୪ଟା ୧୫ରୁ ୬ଟା ଭୋଗମଣ୍ଡପ, ସାଢ଼େ ୬ଟାରେ ମଇଲମ ଓ ବେଶ ‌ଶେଷ, ରାତି ୭ଟାରୁ ସାଢ଼େ ୮ଟା ମଧ୍ୟାହ୍ନ ଧୂପ, ସାଢ଼େ ୭ଟାରୁ ୯ଟା ଦ୍ବିତୀୟ ଭୋଗମଣ୍ଡପ, ୯ଟାରେ ଦକ୍ଷିଣି‌ଘର ଭୋଗ, ୯ଟା ୧୦ରୁ ୯ଟା ୪୦ ମଇଲମ ଓ ବେଶ ଶେଷ, ୯ଟା ୫୦ରେ ସଂଧ୍ୟା ଆଳତି, ସାଢ଼େ ୧୦ଟାରୁ ସାଢ଼େ ୧୧ଟା ସଂଧ୍ୟା ଧୂପ, ୧୧ଟା ୪୫ରେ ମଇଲମ, ୧୨ଟାରେ ଚନ୍ଦନଲାଗି, ସାଢ଼େ ୧୨ଟାରେ ବଡ଼ସିଂହାର ବେଶ, ରାତି ୧ଟାରେ ବଡ଼ସିଂହାର ଭୋଗ, ୧ଟା ୪୫ରେ ପହୁଡ଼ ଆଳତି ହେବ। ପରେ ଦତ୍ତ ମହାପାତ୍ର ବନକଲାଗିକୁ ପ୍ରବେଶ କରିବେ।
ସୂଚନାଯୋଗ୍ୟ, ଶ୍ରୀଜିଉଙ୍କୁ ରତ୍ନବେଦି, ଅଣସର ପିଣ୍ଡି, ସ୍ନାନବେଦି ଓ ଆଡ଼ପମଣ୍ଡପ, ଏଭଳି ୪ଟି ସ୍ଥାନରେ ମହାପ୍ରସାଦ ଲାଗି ହୋଇଥାଏ। ଶ୍ରୀମନ୍ଦିର ଭିତରେ ରତ୍ନବେଦିରେ ପ୍ରତିଦିନ ମହାପ୍ରଭୁଙ୍କଠାରେ ମହାପ୍ରସାଦ ଲାଗି ହୋଇଥାଏ। ବୁଧବାର ଅଣସର ପିଣ୍ଡିରେ ଥିବା ଅବସ୍ଥାରେ ମହାପ୍ରଭୁଙ୍କଠାରେ ମହାପ୍ରସାଦ ଲାଗି ହେବ।

ସମ୍ବନ୍ଧିତ ଖବର