ଭୁବନେଶ୍ବର: ବାଲେଶ୍ବର ଫକୀରମୋହନ ମହାବିଦ୍ୟାଳୟର ଛାତ୍ରୀ ମୃତ୍ୟୁକୁ ନେଇ ବିରୋଧୀ ସରକାରଙ୍କୁ ଲଗାତାର ଟାର୍ଗେଟ୍ କରୁଥିବା ବେଳେ ଆସନ୍ତାକାଲି ଓଡ଼ିଶା ବନ୍ଦ ପାଳିବେ ୮ ବିରୋଧୀ ଦଳ। ବଜାର, ପରିବହନ, ଶିକ୍ଷାନୁଷ୍ଠାନ, ସରକାରୀ ଅଫିସ୍, ଅଦାଲତ, ବ୍ୟାଙ୍କ୍ ଏବଂ ବୀମା ଭଳି ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଇତ୍ୟାଦିକୁ ସମ୍ପୂର୍ଣ୍ଣ ବନ୍ଦ ରଖିବା ପାଇଁ ଆହ୍ୱାନ ଦିଆଯାଇଛି। ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟବ୍ୟାପୀ ବନ୍ଦ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରାଯିବ। ତେବେ ଅତ୍ୟାବଶ୍ୟକ ସେବା, ଆମ୍ବୁଲାନ୍ସ ଓ ରୋଗୀଙ୍କ ଚିକିତ୍ସା ଆଦି ବନ୍ଦରୁ ବାଦ ରହିବ। ଏ ନେଇ ସହଯୋଗପୂର୍ବକ ବନ୍ଦକୁ ସଫଳ କରିବା ପାଇଁ ଓଡ଼ିଶାର ଜନସାଧାରଣ, ସମସ୍ତ ବାମପନ୍ଥୀ ଓ ଗଣତାନ୍ତ୍ରିକ ଦଳ, ଟ୍ରେଡ୍ ୟୁନିୟନ, କୃଷକ ସଂଗଠନ, ମହିଳା, ଯୁବକ, ଛାତ୍ର ଓ ସମାଜର ସମସ୍ତ ବର୍ଗଙ୍କୁ ଅନୁରୋଧ କରିଛନ୍ତି କଂଗ୍ରେସ ସମେତ ୮ ରାଜନୈତିକ ଦଳ।
ଆଜି କଂଗ୍ରେସ ଭବନଠାରେ ଆୟୋଜିତ ଆଠଟି ବିରୋଧୀ ଦଳର ମିଳିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ସରକାରଙ୍କ କୁଶାସନ ବିରୋଧରେ ଏହି ବନ୍ଦ ମହିଳାଙ୍କ ସମ୍ମାନ ଓ ସୁରକ୍ଷା ପାଇଁ ଓଡ଼ିଶା ଲୋକଙ୍କ ବନ୍ଦ ହେଉ ବୋଲି ବିରୋଧୀମାନେ କହିଛନ୍ତି। ଛାତ୍ରୀଙ୍କ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ, ଉଚ୍ଚ ଶିକ୍ଷା ମନ୍ତ୍ରୀ, ବାଲେଶ୍ୱର ସାଂସଦ, ବାଲେଶ୍ୱର ସଦର ବିଧାୟକ ନିଜ ପଦରୁ ଇସ୍ତଫା ଦେବା ପାଇଁ ମିଳିତ ବିରୋଧୀ ଦଳ ପକ୍ଷରୁ ଦୃଢ଼ ଦାବି କରଯାଇଛି। ବାଲେଶ୍ୱର ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ବିରୋଧରେ ମଧ୍ୟ ତ୍ୱରିତ୍ କାର୍ଯ୍ୟନୁଷ୍ଠାନ ଦାବି କରାଯାଇଛି। ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ଯୋଗୁଁ ଲୋକଙ୍କ ଧନଜୀବନ ବିପନ୍ନ ହୋଇ ଆଇନର ଶାସନ ଭୁଶୁଡ଼ି ପଡିଛି ବୋଲି ମିଳିତ ବିରୋଧୀ ଦଳ କହିଛନ୍ତି। ଏହି ପ୍ରସଙ୍ଗରେ ବିଜେଡି ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ରବର ବୁଲେଟ୍ ଚାଳନା, ପାଣି ମାଡ଼ ଭଳି ଅମାନୁଷିକ ଆକ୍ରମଣକୁ ମିଳିତ ବିରୋଧୀ ଦଳ ତୀବ୍ର ନିନ୍ଦା କରିଛି। ଲାଠି, ଗୁଳି, ପାଣି ମାଡ଼ ଓ ଲୁହବୁହା ଗ୍ୟାସ୍ ଚାଳନାରେ ଶାସନ ଚାଲେ ନାହିଁ ବୋଲି ବିରୋଧୀ ଦଳ ନେତାମାନେ ଉଦ୍ବେଗ ପ୍ରକାଶ କରି କହିଛନ୍ତି। ରାଜ୍ୟରେ ମୋହନ ମାଝୀ ସରକାର ଶାସନ କରିବା ପାଇଁ ତାଙ୍କର ସମସ୍ତ ନୈତିକ ଅଧିକାର ହରାଇଛନ୍ତି। ରାଜ୍ୟରେ ନାରୀ ସୁରକ୍ଷା ଓ ଆଇନର ଶାସନ ପ୍ରତିଷ୍ଠା ପାଇଁ ମିଳିତ ବିରୋଧୀ ଦଳ ପ୍ରସଙ୍ଗଭିତ୍ତିକ ଆନ୍ଦୋଳନ ଜାରି ରଖିବ ବୋଲି ଘୋଷଣା କରାଯାଇଥିଲା।
ଆଜିର ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କଂଗ୍ରେସ ସଭାପତି ଭକ୍ତଚରଣ ଦାସ, କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ୍, ପୂର୍ବତନ ରାଜ୍ୟ ସଭାପତି ଜୟଦେବ ଜେନା, ବିଧାୟକ ତାରାପ୍ରସାଦ ବାହିନୀପତି, ବରିଷ୍ଠ ନେତା ଜଗନ୍ନାଥ ପଟ୍ଟନାୟକ, ସିପିଆଇ ରାଜ୍ୟ ସମ୍ପାଦକ ଆଶିଷ କାନୁନଗୋ, ସିପିଆଇଏମ୍ ରାଜ୍ୟ ସମ୍ପାଦକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ସିପିଆଇଏମ୍ଏଲ୍ର ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର, ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍ର ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତିରଞ୍ଜନ ମହାପାତ୍ର, ଏନ୍ସିପିର ରାଜ୍ୟ ସଭାପତି ବିକ୍ରମ ସ୍ବାଇଁ, ଏସ୍ପିର ରାଜ୍ୟ ସାଧାରଣ ସମ୍ପାଦକ ପ୍ରତାପ ବାରିକ ଓ ଆର୍ଜେଡିର ରାଜ୍ୟ ସାଧାରଣ ସମ୍ପାଦକ ହେମନ୍ତ କୁମାର ପ୍ରମୁଖ ବନ୍ଦକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଥିଲେ।