ପୁରୀ: ରାତି ପାହିଲେ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ମାନବୀୟ ଲୀଳା ଖେଳିବେ ମହାବାହୁ। ଭାଇଭଉଣୀଙ୍କ ସହ ଜନ୍ମବେଦିକୁ କରିବେ ନବଦିନାତ୍ମକ ଯାତ୍ରା। ପତିତଜନଙ୍କୁ ଉଦ୍ଧାରିବା ପାଇଁ ରତ୍ନଦେବି ଛାଡ଼ି ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ବିଶ୍ବନିୟନ୍ତା। ରଥାରୂଢ଼ ହୋଇ ଆଶୀର୍ବାଦର ବର୍ଷା କରିବେ ଭାବବିନୋଦିଆ କଳାଠାକୁର। ପୁଣିଥରେ ବର୍ଷକ ପରେ ବଡ଼ଦାଣ୍ଡରେ ଭକ୍ତ-ଭଗବାନଙ୍କର ହେବ ଅପୂର୍ବ ମିଳନ। ଏଥିପାଇଁ ଠାକୁରଙ୍କ ଆସିବା ବାଟକୁ ଅନାଇ ରହିଛନ୍ତି ଅଗଣିତ ଭକ୍ତ। ସ୍ବାଗତ ପାଇଁ ପ୍ରସ୍ତୁତ ହୋଇ ସାରିଛନ୍ତି ରଥ-ପଥ-ଭକ୍ତ। ଆଜିଠୁ ବଡ଼ଦାଣ୍ଡ ଲୋକାରଣ୍ୟ ହୋଇଛି। ଅପରପକ୍ଷେ ୫୩ ବର୍ଷ ପରେ ଚଳିତ ବର୍ଷ ବିରଳ ରଥଯାତ୍ରା ଦେଖିବାକୁ ଯାଉଛନ୍ତି ଭକ୍ତ। ୧୫ ଦିନ ଅଣସର ବଦଳରେ ୧୩ ଦିନ ଅଣସର ନୀତି ଥିବାରୁ ଗୋଟିଏ ଦିନରେ ଅନୁଷ୍ଠିତ ହେବ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା। ଦୁଇଦିନ ଧରି ଭକ୍ତ ଦେଖିବେ ରଥଯାତ୍ରା।
ଏଥିପାଇଁ ସ୍ବତନ୍ତ୍ର ନୀତି ଚୂଡ଼ାନ୍ତ ହୋଇଛି। ରବିବାର ଅପରାହ୍ଣ ୧ଟାରେ ତିନି ଠାକୁରଙ୍କ ପହଣ୍ଡି ଆରମ୍ଭ ହେବ। ପହଣ୍ଡି ଶେଷ ପରେ ଗଜପତି ମହାରାଜାଙ୍କ ଛେରାପହଁରା ନୀତି ସଂପନ୍ନ ହେବ। ପରେ ଅପରାହ୍ଣ ୫ଟାରେ ରଥଟଣା ଆରମ୍ଭ ହେବ। ନୀତିକାନ୍ତି ଅଧିକ କାରଣରୁ ସମୟର ଘୋର ଅଭାବ ରହିଛି। ସେ ଦୃଷ୍ଟିରୁ ରବିବାର କେବଳ ପ୍ରତୀକାତ୍ମକ ଭାବେ ରଥଟଣା ହେବ। ପରଦିନ ଅର୍ଥାତ୍ ସୋମବାର ଜୁଲାଇ ୮ ତାରିଖରେ ତିନି ରଥ ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ସମୟ ଅଭାବ କାରଣରୁ ଶ୍ରୀଗୁଣ୍ଡିଚା ଯାତ୍ରା ନୀତିକାନ୍ତି ଆଜି ବିଳମ୍ବିତ ରାତିରୁ ଆରମ୍ଭ ହୋଇଛି।
ଦୁଇଦିନିଆ ରଥଯାତ୍ରା ଥିବାରୁ ଭକ୍ତଙ୍କ ଭିଡ଼ ବି ବଢ଼ିବା ସମ୍ଭାବନା ରହିଛି। ଏହାକୁ ଦୃଷ୍ଟି ରଖି ଭିଡ଼ ଓ ଆଇନଶୃଙ୍ଖଳା ପାଇଁ ୧୮୦ ପ୍ଲାଟୁନ୍ ଫୋର୍ସ ସହ ୧ହଜାରରୁ ଅଧିକ ବରିଷ୍ଠ ଅଧିକାରୀ ନିୟୋଜିତ ହୋଇଛନ୍ତି। ଟ୍ରାଫିକ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। ସିସି କ୍ୟାମେରା ଓ ଡ୍ରୋନ୍ ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି। ରବିବାର ଚତୁର୍ଦ୍ଧାବିଗ୍ରହଙ୍କ ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରା ଆରମ୍ଭ ପୂର୍ବରୁ ଆଜି ରଥ ଆଜ୍ଞାମାଳ ଲାଗି ପୂର୍ବକ ମିଳିଛି ଆଦେଶ। ଆଜ୍ଞାମାଳ ସ୍ପର୍ଶ ପାଇଁ ତିନି ଠାକୁରଙ୍କୁ ପାଛୋଟି ନେବାକୁ ସିଂହଦ୍ବାର ଚକଡ଼ାକୁ ବିଜେ କରିଛନ୍ତି ତିନି ରଥ ନନ୍ଦିଘୋଷ, ଦର୍ପଦଳନ ଓ ତାଳଧ୍ବଜ।
ସେପଟେ ରଥଯାତ୍ରା ପାଇଁ ସ୍ବତନ୍ତ୍ର ନୀତିକାନ୍ତି ଚୂଡ଼ାନ୍ତ ହୋଇଛି। ନିର୍ଘଣ୍ଟ ନୀତି ଅନୁଯାୟୀ, ଆଜି ରାତିରେ ମଙ୍ଗଳ ଆଳତି ହୋଇ ଅନ୍ୟାନ୍ୟ ନୀତି ବଢ଼ିବ। ରାତି ୨ଟା ୪୦ରେ ଦଶାବତାର ଠାକୁରଙ୍କ ବାହୁଡ଼ା ବିଜେ, ୩ଟାରେ ତାଟିଫିଟା, ୩ଟା ୪୫ରେ ଦଇତାପତି ସର୍ବାଙ୍ଗ ଓ ବନ୍ଦାପନା, ଭୋର ୪ଟାରେ ନେତ୍ରୋତ୍ସବ ବନ୍ଦାପନା, ୪ଟାରେ ୧୫ରେ ରାଜନୀତି, ୪ଟା ୪୫ରେ ଯାତ୍ରାଙ୍ଗୀ ମହାସ୍ନାନ, ସକାଳ ୬ଟାରୁ ୭ଟା ଭିତରେ ଗୋପାଳବଲ୍ଲଭ ଓ ଘଣ୍ଟଛତା ସକାଳଧୂପ(କେବଳ ଖେଚୁଡ଼ି ଭୋଗ) ହୋଇ ସାଢ଼େ ୭ଟାରୁ ପହଣ୍ଡି ପାଇଁ ସେନାପଟା ଲାଗି ଆରମ୍ଭ ହେବ। ମଧ୍ୟାହ୍ନ ୧୨ଟା ସୁଦ୍ଧା ସେନାପଟା ଲାଗି ଶେଷ ହେବ। ପୂର୍ବାହ୍ଣ ୧୧ଟାରେ ରଥ ପ୍ରତିଷ୍ଠା ହୋଇ ଅପରାହ୍ଣ ୧ଟା ୧୦ରେ ପହଣ୍ଡି ଆରମ୍ଭ ହେବ। ସାଢ଼େ ୨ଟା ସୁଦ୍ଧା ପହଣ୍ଡି ଶେଷ ପରେ ଅପରାହ୍ଣ ୩ଟାରେ ମଦନମୋହନ, ଶ୍ରୀରାମ, ଶ୍ରୀକୃଷ୍ଣ ବିଜେ କରିବେ। ୪ଟାରେ ଛେରାପହଁରା ପରେ ସାଢ଼େ ୪ଟାରେ ଚାରଫିଟା ଓ ଘୋଡ଼ା ସାରଥି ଲାଗିବ। ଅପରାହ୍ଣ ୫ଟାରେ ରଥଟଣା ଆରମ୍ଭ ହେବ। ରଥଟଣା ବନ୍ଦ ହେବା ପରେ ରଥ ଉପରେ ଅନ୍ୟାନ୍ୟ ନୀତି ବଢ଼ିବ।
ସୂଚନାଯୋଗ୍ୟ ଯେ ଜୁଲାଇ ୧୧ ତାରିଖରେ ହେରାପଞ୍ଚମୀ, ଜୁଲାଇ ୧୪ ତାରିଖରେ ସନ୍ଧ୍ୟା ଦର୍ଶନ, ଜୁଲାଇ ୧୫ ତାରିଖରେ ବାହୁଡ଼ାଯାତ୍ରା, ଜୁଲାଇ ୧୭ ତାରିଖରେ ବଡ଼ ତଢ଼ାଉ ବେଶ ବା ସୁନାବେଶ ଓ ହରିଶୟନ ଏକାଦଶୀ, ଜୁଲାଇ ୧୮ ତାରିଖରେ ଅଧର ନୀତି ଓ ଜୁଲାଇ ୧୯ ତାରିଖରେ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ।