ଆଜି ସାବିତ୍ରୀ, ସରଗରମ ଶାଢ଼ି ଓ ଫଳ ବଜାର

ବଜାରରେ ପଡ଼ିନି ଲକ୍‌ଡାଉନ ଓ ଅମ୍ଫାନ୍ ପ୍ରଭାବ, ଖଚାଖଚ୍ ଭିଡ଼, ଭୁଲିଗଲେ ସାମାଜିକ ଦୂରତା

ବାରିପଦା: ଆଜି ସାବିତ୍ରୀ। ଏହାକୁ ନେଇ ବଜାରରେ ଉତ୍ସାହ ଜୋର୍ ଧରିଥିବା ପରିଲକ୍ଷିତ ହୋଇଛି। ଆଜି ଜିଲ୍ଲା ସଦରମହକୁମା ବାରିପଦାରେ ସାବିତ୍ରୀକୁ ନେଇ ବଜାର ସମ୍ପୂର୍ଣ୍ଣ ସରଗରମ୍ ଥିଲା। ଶାଢ଼ୀ ଓ ଫଳ ଦୋକାନରେ ଖଚାଖଚ୍ ଭିଡ଼ ଜମିଥିଲା। ସକାଳୁ ଆରମ୍ଭ ହୋଇଯାଇଥିଲା କିଣାବିକା। ସାବିତ୍ରୀମାନେ ସେମାନଙ୍କର ସତ୍ୟବାନମାନଙ୍କୁ ସାଙ୍ଗରେ ଧରି ବେଶ୍ ଉତ୍ସାହର ସହିତ କିଣାକିଣି କରୁଥିବା ଦେଖାଯାଇଥିଲା। ଏପରିକି ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ ଚାଲିଥିବା କିମ୍ବା ଗତକାଲି ଅମ୍ଫାନ୍ ଭଳି ଏକ ବଡ଼ ବିପତ୍ତି ଟଳି ଯାଇଥିବା ଜଣାପଡ଼ିନଥିଲା। ସାମାଜିକ ଦୂରତା କଥା ତ’ ନକହିବା ଭଲ। ଜିଲ୍ଲାର ଅଧିକାଂଶ ସ୍ଥାନରେ ଏହିଭଳି ଭିଡ଼ ଦେଖିବାକୁ ମିଳିଥିଲା। ନିଜ ସ୍ବାମୀମାନଙ୍କର ଦୀର୍ଘ ଆୟୂ କାମନା କରି ମହିଳାମାନେ ସାବିତ୍ରୀରେ ବ୍ରତ ରଖିଥାଆନ୍ତି।

ମନ୍ଦିରକୁ ଯାଇପାରିବେନି ବ୍ରତଧାରୀ

ଏନେଇ ବାରିପଦାର ଅଧିକାଂଶ ମନ୍ଦିର ଆସନ୍ତାକାଲି ଭିଡ଼ ରହିଥାଆନ୍ତା। ମାତ୍ର ଲକ୍‌ଡାଉନ-୪.୦ ଅବସରରେ କୌଣସି ମନ୍ଦିରକୁ ବ୍ରତଧାରୀ ଯାଇପାରିବେ ନାହିଁ ବୋଲି ଜିଲ୍ଲାପ୍ରଶାସନ ପକ୍ଷରୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି। ତେଣୁ ବ୍ରତଧାରୀମାନେ ଘରେ ରହି ହିଁ ପୂଜା କରିବେ। ଏହା ବ୍ରତଧାରୀଙ୍କୁ ନିରାଶ କରିଥିବା ଜଣାପଡ଼ିଛି। ବଜାର ଭିଡ଼ ସହିତ ତାଳ ଦେଇ ବୃଦ୍ଧି ପାଇଛି ଶାଢ଼ୀ ଓ ଫଳର ମୂଲ୍ୟ । କରୋନାକୁ ନେଇ ଲକ୍ ଡ଼ାଉନ ମାଗଦର୍ଶୀକା ଲୁଗା ଓ ଫଳ ବଜାରକୁ ପ୍ରଭାବିତ କରାଇ ଦେଇଥିବା ବେଳେ ସାବିତ୍ରୀ ବ୍ରତକୁ ନେଇ ବେପାର ଜମି ଉଠିଥିବାରୁ ଲୁଗା ଓ ଫଳ ବ୍ୟବସାୟୀମାନେ ଉତ୍ସାହିତ ଥିବା ଜଣାପଡ଼ିଛି। ସାବିତ୍ରୀକୁ ଦୃଷ୍ଟିରେ ରଖି ଫଳ ମାର୍କେଟରେ ନିଆଁ ଲାଗିଥିଲା। ପୂର୍ବରୁ ବଜାରରେ ଆମ୍ବ କେଜି ପ୍ରତି ୮୦ ଟଙ୍କା ଥିବା ବେଳେ ଆଜି ଏହା ୧୦୦ରୁ ୧୧୦ ଟଙ୍କାରେ ବିକ୍ରିହେଉଥିଲା। ସେହିପରି ସେଓ ୨ଶହ, ଅଙ୍ଗୁର ୧୬୦ରୁ ୪୦୦ଟଙ୍କା, କମଳା ଗୋଟା ୨୦ଟଙ୍କା, ଜାମୁରୁଳ ୨୫୦ଗ୍ରାମକୁ ୪୦ଟଙ୍କା, ସପେତା ୨୫୦ଗ୍ରାମକୁ ୨୫ଟଙ୍କା, କଦଳୀ ଡର୍ଜନ ୬୦ଟଙ୍କା, କାକୁଡ଼ି କିଲୋ ୪୦ଟଙ୍କା, ନଡ଼ିଆ ଗୋଟା ୨୦ରୁ ୪୦ଟଙ୍କା, ଲିଚୁ ୧୫୦ଟଙ୍କା, ସପୁରୀ ଗୋଟା ୮୦ରୁ ୧୦୦ଟଙ୍କା, କରମଙ୍ଗା ଗୋଟା ୫ଟଙ୍କା, ଜାମୁକୋଳି ଗୋଟା ୫ଟଙ୍କା, ଚେରି, ଖଜୁରୀ ୧୦୦ ଗ୍ରାମ ୨୦ଟଙ୍କା, କନ୍ଦମୂଳ କିଲୋ ଶହେ, ତାଳ ଗୋଟା ୨୦ ଟଙ୍କାରେ ବିକ୍ରି ହେଉଛି । ଏହା ବ୍ୟତୀତ ଗହଣା ଦୋକାନରେ ମଧ୍ୟ ଆଜି ଭିଡ଼ ଜମିଥିଲା।

ସମ୍ବନ୍ଧିତ ଖବର