ସମ୍ବଲପୁର: ବୁର୍ଲା ଭିମ୍‌ସାରରେ ଆଜି ପୁଣି ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଅନ୍ତର୍ଗତ ଇଚ୍ ଗାଁର ରେଶ୍ମା ବେହେରାଙ୍କ ମୁଣ୍ଡରୁ ୭ଟି ଇଞ୍ଜେକ୍‌ସନ୍‌ ଛୁଞ୍ଚି ବାହାର କରାଯାଇଛି। ଗତ ୪ ବର୍ଷ ତଳେ ତାଙ୍କ ମୁଣ୍ଡରେ ଜଣେ ତାନ୍ତ୍ରିକ ପୂରାଇଥିବା ସର୍ବମୋଟ ୮୫ଟି ଇଞ୍ଜେକ୍‌ସନ୍‌ ଛୁଞ୍ଚି ଇତିମଧ୍ୟରେ ବାହାର କରାଯାଇଛି।

Advertisment

ଭିମ୍‌ସାରର ନିର୍ଦ୍ଦେଶକ ପ୍ରଫେସର ଭାବଗ୍ରାହୀ ରଥ କହିଛନ୍ତି ଯେ ଗୁରୁବାର ସନ୍ଧ୍ୟାରେ ରେଶ୍ମା ବେହେରା(୧୯) ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜରୁ ଗୁରୁତର ଅବସ୍ଥାରେ ଭିମ୍‌ସାରକୁ ସ୍ଥାନାନ୍ତର ହୋଇଥିଲେ। ବିଳମ୍ବିତ ରାତିରେ ତାଙ୍କ ମୁଣ୍ଡରେ ଅସ୍ତ୍ରୋପଚାର କରାଯାଇ ୭୦ଟି ଇଞ୍ଜେକ୍‌ସନ ଛୁଞ୍ଚି ବାହାର କରାଯାଇଥିଲା। ଏହା ପରେ ପୁଣି ସି-ଆର୍ମ ମେସିନ ଜରିଆରେ ଏକ୍ସ-ରେ କରାଯାଇଥିଲା। ଏହି ଏକ୍ସ-ରେ ମୁଣ୍ଡରେ କିଛି ଛୁଞ୍ଚି ରହିଯାଇଥିବା ଜଣାପଡ଼ିଥିଲା। ଫଳରେ ଆଜି ପୁଣି ସର୍ଜରି ଓ ନ୍ୟୁରୋସର୍ଜରି ଓ ନିଶ୍ଚେତକ ବିଭାଗର ଡାକ୍ତରମାନଙ୍କୁ ନେଇ ଗଠିତ ଟିମ୍ ଅସ୍ତ୍ରୋପଚାର କରି ମୁଣ୍ଡରେ ଥିବା ୭ଟି ଛୁଞ୍ଚି ବାହାରି କରିଛନ୍ତି ‌ବୋଲି ପ୍ରଫେସର ରଥ କହିଛନ୍ତି। ପୂର୍ବରୁ ତାଙ୍କ ପରିବାର ଲୋକେ ୮ଟି ଛୁଞ୍ଚି ବାହାର କରିଥିଲେ। ପ୍ରଫେସର କହିଛନ୍ତି ଯେ ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥା ଏବେ ଠିକ୍ ରହିଛି। ଡାକ୍ତରଖାନାରେ ୭ଦିନ ପର୍ଯ୍ୟନ୍ତ ରଖାଯିବ। ସ୍ଥିତି ଦେଖିବା ପରେ ବାକି ପଦକ୍ଷେପ ନିଆଯିବ ବୋଲି ଭିମ୍‌ସାରର ନିର୍ଦ୍ଦେଶକ ପ୍ରଫେସର ରଥ ସୂଚନା ଦେଇଛନ୍ତି। ଗୁଣିଗାରେଡ଼ି ଉପରେ ବିଶ୍ବାସ କରିବାରୁ ଏଭଳି କରୁଣ ପରିଣତି ଭୋଗିବାକୁ ପଡ଼ିଛି।

କୌଣସି ସ୍ବାସ୍ଥ୍ୟ ସମସ୍ୟା ହେଲେ ଅନ୍ୟ କାହା ପାଖକୁ ନଯାଇ କେବଳ ଡାକ୍ତରଙ୍କ ପାଖକୁ ଆସିବାକୁ ପ୍ରଫେସର ରଥ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଗତ ୨୦୨୧ ମସିହାରେ ରେଶ୍ମା ତାଙ୍କ ମା’ଙ୍କ ମୃତ୍ୟୁ ପରେ ସମୟ ସମୟରେ ଅଚାନକ ଚମକି ଭୟଭୀତ ହୋଇପଡ଼ୁଥିଲେ। ପରିବାର ଲୋକେ ତାଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଇବା ପରେ ସେ ସୁସ୍ଥ ନହେବାରୁ ଗୁଣିଗାରେଡ଼ି ସନ୍ଦେହରେ କଣ୍ଟାବାଞ୍ଜି ଥାନା ଜାମୁଟଝୁଲା ଗାଁ ଶାନ୍ତିପଡ଼ାର ଗାଁର ତାନ୍ତ୍ରିକ ତେଜରାଜ ରଣାଙ୍କ ନିକଟକୁ ରେଶ୍ମାଙ୍କୁ ନେଇଥିଲେ। ତେଜରାଜ ନିକଟସ୍ଥ ଏକ ମନ୍ଦିରକୁ ନେଇ ପୂଜା କରିବା ପରେ ରେଶ୍ମାଙ୍କ ମୁଣ୍ଡରେ ଛୁଞ୍ଚି ପୂରେଇ ଥିଲେ। ତେବେ, ରେଶ୍ମ ସୁସ୍ଥ ହେବା ପରିବର୍ତ୍ତେ ତାଙ୍କ ସ୍ବାସ୍ଥ୍ୟ ବିଗିଡ଼ିବାରୁ ବଲାଂଗୀର ଭୀମ ଭୋଇ ମେଡିକାଲ କଲେଜରେ କିଛି ଦିନ ତଳେ ଭର୍ତ୍ତି କରାଯାଇଥିଲା। ରେଶ୍ମାଙ୍କ ପରିବାର ଲୋକଙ୍କ ଅଭିଯୋଗକ୍ରମେ କଣ୍ଟାବାଞ୍ଜି ପୁଲିସ ତାନ୍ତ୍ରିକ ବାବା ତେଜରାଜ ରଣାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।