ଭୁବନେଶ୍ୱର: ବୁଧବାର ଦେଖିବାକୁ ମିଳିବ ଏକ ମହାଜାଗତିକ ଦୃଶ୍ୟ। ସୁପର ମୁନ୍ ଓ ନୀଳ-ଲାଲ ଚନ୍ଦ୍ର ସହିତ ଗ୍ରହଣ ମଧ୍ୟ ଲାଗିବ। ସଂଧ୍ୟାରେ ଚନ୍ଦ୍ର ଉଦୟ ପୂର୍ବରୁ ଗ୍ରହଣ ଲାଗୁଥିବାରୁ ଚନ୍ଦ୍ର ଏଭଳି ଲାଲ ରଂଗର ଦେଖାଯିବ। ୧ଘଣ୍ଟାରୁ ଅଧିକ ସମୟ ଧରି ସଂପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ଲାଗିବ। ପ୍ରାୟ ୧୫୦ବର୍ଷ ପରେ ବିଶ୍ୱବାସୀ ଏଭଳି ଏକ ବିରଳ ଦୃଶ୍ୟ ଦେଖିବାକୁ ପାଇବେ। ୩୧ତାରିଖରେ ଦୃଶ୍ୟମାନ ହେବାକୁ ଥିବା ଏହି ମହାଜାଗତିକ ଘଟଣା ହେଉଛି ଚଳିତ ବର୍ଷର ଦ୍ୱିତୀୟ ‘୩-ସୁପରମୁନ୍ ସିରିଜ୍’ର ଶେଷ ‘ସୁପରମୁନ୍’।
ପଠାଣି ସାମନ୍ତ ପ୍ଲାନେଟାରିୟମ୍ର ଉପ-ନିର୍ଦେଶକ ଶୁଭେନ୍ଦୁ ପଟ୍ଟନାୟକଙ୍କ କହିବାନୁଯାୟୀ, ଆସନ୍ତାକାଲି ସଂଧ୍ୟାରେ ପୂର୍ବ ଆକାଶରେ ପୂର୍ଣ୍ଣ ଚନ୍ଦ୍ର ଦେଖାଯିବ। ସଂଧ୍ୟା ୬ଟା ୨୧ ମିନିଟ୍ରୁ ୭ଟା ୩୭ ମିନିଟ୍ ମଧ୍ୟରେ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ଲାଗିବ। ଦେଶ ତଥା ଓଡ଼ିଶାରେ ଚନ୍ଦ୍ରଟି ମଳିତ ଲାଲ ରଂଗର ଦେଖିବାକୁ ମିଳିବ। ସଂଧ୍ୟା ୭ଟା ୩୭ ମିନିଟ୍ ପରେ ଚନ୍ଦ୍ର ଉପରୁ ଧୀରେ ଧୀରେ ପୃଥିବୀର ଛାଇ ଅପସାରିତ ହୋଇ ସଂଧ୍ୟା ୮ଟା ୩୧ ମିନିଟ୍ ପରେ ଚନ୍ଦ୍ରଟି ବଡ଼ ଓ ଉଜ୍ଜ୍ୱଳ ଦେଖାଯିବ। ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ସମୟରେ ଅପରାହ୍ଣ ୪ଟା ୨୧ ମିନିଟ୍ରେ ଚନ୍ଦ୍ର ପୃଥିବୀର ଉପଛାୟାରେ ଅପରାହ୍ଣ ୪ଟା ୨୧ମିନିଟରେ ପ୍ରବେଶ କରିବ ଓ ରାତି ୯ଟା ୩୮ମିନିଟ୍ ସମୟରେ ଉପଛାୟାରୁ ସଂପୂର୍ଣ୍ଣ ବାହାରିଯିବ। ସେହିପରି ଚନ୍ଦ୍ର ପୃଥିବୀର ଛାୟାରେ ଅପରାହ୍ଣ ୫ଟା ୧୮ମିନିଟ୍ରେ ପ୍ରବେଶ କରିବ ଓ ରାତି ୮ଟା ୩୧ ମିନିଟ୍ ସମୟରେ ଛାୟାରୁ ସଂପୂର୍ଣ୍ଣ ବାହାରିଯିବ। ପୂର୍ବ ଗୋଲାର୍ଧରେ ଏଭଳି ବିରଳ ଦୃଶ୍ୟ ୧୯୮୨ ମସିହାରେ ଦେଖିବାକୁ ମିଳିଥିବା ବେଳେ ପଶ୍ଚିମ ଗୋଲାର୍ଧରେ ଏହା ୧୮୬୬ ମସିହାରେ ଦେଖିବାକୁ ମିଳିଥିଲା। ଏଭଳି ମହାଜାଗତିକ ଦୃଶ୍ୟକୁ ସମସ୍ତେ ଖାଲି ଆଖିରେ ଦେଖିପାରିବେ।
ଶ୍ରୀ ପଟ୍ଟନାୟକ ଆହୁରି ମଧ୍ୟ କହିଛନ୍ତି ଯେ, ଗୋଟିଏ ମାସରେ ୨ଥର ପୂର୍ଣ୍ଣିମା ହେଲେ ଦ୍ୱିତୀୟ ପୂର୍ଣ୍ଣିମାକୁ ବ୍ଲୁ ମୁନ୍ କୁହାଯାଇଥାଏ। ଜାନୁଆରି ମାସରେ ଏହି ଘଟଣା ୨ଥର ହେଉଥିବା ବେଳେ ଫେବ୍ରୁଆରି ମାସରେ କୌଣସି ପୂର୍ଣ୍ଣିମା ହେବ ନାହିଁ। ମାର୍ଚ ମାସରେ ପୁଣିଥିରେ ୨ଟି ପୂର୍ଣ୍ଣିମା ହେବ ଓ ଏହାର ଦ୍ୱିତୀୟ ପୂର୍ଣ୍ଣିମାକୁ ବ୍ଲୁ ମୁନ୍ କୁହାଯିବ। ଆସନ୍ତାକାଲି ପାଇଁ ପଠାଣି ସାମନ୍ତ ପ୍ଲାନେଟାରିୟମ୍ରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଲୋକମାନେ ଏହି ମହାଜାଗତିକ ଦୃଶ୍ୟକୁ ଖାଲି ଆଖିରେ ଦେଖିପାରିବେ ବୋଲି ସେ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/484890385__1_.0.jpg)