ଆଜିଠୁ ମାଟ୍ରିକ୍ ପରୀକ୍ଷା: ୨୮୮୮କେନ୍ଦ୍ରରେ ୫ଲକ୍ଷ ୬୦ହଜାର ୯୦୫ ପରୀକ୍ଷାର୍ଥୀ

ଚାପମୁକ୍ତ ରହିବାକୁ ମନ୍ତ୍ରୀଙ୍କ ପରାମର୍ଶ, ପ୍ରତି କେନ୍ଦ୍ରରେ ରହିବେ ସ୍ବତନ୍ତ୍ର ଅବଜରଭର

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ୨୦୨୦ ହାଇସ୍କୁଲ ସାର୍ଟି‌ଫିକେଟ୍ (ମାଟ୍ରିକ୍), ମଧ୍ୟମା ଓ ରାଜ୍ୟ ମୁକ୍ତବିଦ୍ୟାଳୟ ପରୀକ୍ଷା ଆସନ୍ତାକାଲିଠାରୁ ଆରମ୍ଭ ହେଉଛି। ପରୀକ୍ଷାକୁ ସ୍ବଚ୍ଛ ଓ ଶୃଙ୍ଖଳିତ କରିବା ପାଇଁ ବୋର୍ଡ ପକ୍ଷରୁ ଚାରିସ୍ତରୀୟ ସ୍କ୍ବାଡ୍ ବ୍ୟବସ୍ଥା କରାଯିବା ସହିତ ଏକ ହଜାର ପରୀକ୍ଷା କେନ୍ଦ୍ରରେ ସିସି କ୍ୟାମେରା ଖଞ୍ଜା ଯାଇଛି। ଆସନ୍ତାକାଲି ପ୍ରଥମ ଦିନରେ ପରୀକ୍ଷା କେନ୍ଦ୍ର ସକାଳ ୯ଟାରେ ଓ ଅନ୍ୟ ଦିନରେ ସକାଳ ୯ଟା ୨୦ରେ ଖୋଲାଯିବ। ପରୀକ୍ଷା ହଲ୍‌ରେ ପରୀକ୍ଷାର୍ଥୀଙ୍କ ଉପସ୍ଥିତିରେ ପ୍ରଶ୍ନପତ୍ର ପ୍ୟାକେଟ୍‌ ୯ଟା ୩୦ରେ ଖୋଲାଯିବ ଓ ୯ଟା ୪୫ରେ ପିଲାଙ୍କୁ ପ୍ରଶ୍ନପତ୍ର ପ୍ରଦାନ କରାଯିବ। ପ୍ରଶ୍ନପତ୍ର ପଢ଼ିବା ପାଇଁ ପିଲାଙ୍କୁ ୧୫ମିନିଟ୍ ଅତିରିକ୍ତ ସମୟ ମିଳିବ। ପ୍ରଶ୍ନପତ୍ର ବୁକ୍‌ଲେଟ୍‌ରେ ପରୀକ୍ଷାର୍ଥୀ ନିଜ ‌ରୋଲ୍ ନମ୍ବର, ସେଣ୍ଟର କୋଡ୍‌, ସ୍କୁଲ କୋଡ୍ ଲେଖିବାକୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ରହିଛି। ମାଟ୍ରିକ୍ ପରୀକ୍ଷା ସକାଳ ୧୦ଟାରୁ ଆରମ୍ଭ ହୋଇ ୧୨ଟା ୩୦ରେ ସରିବ। କେବଳ ଗଣିତ ପରୀକ୍ଷା ୧୨ଟା ୪୫ମିନିଟ୍‌ରେ ସରିବ। ପାର୍ଟ-୧(ଅବ୍‌ଜେକ୍ଟିଭ୍) ପରୀକ୍ଷା ସକାଳ ୧୦ଟାରୁ ୧୧ଟା ଓ ପାର୍ଟ-୨(ସବ୍‌ଜେକ୍ଟିଭ୍) ୧୧ଟାରୁ ୧୨ଟା ୩୦। ପାର୍ଟ-୧ ସରିବା ପରେ ପିଲାମାନେ ଏହାକୁ ଇନ୍‌ଭିଜିଲେଟରଙ୍କୁ ହସ୍ତାନ୍ତର କରିବା ପରେ ପାର୍ଟ-୨ ପରୀକ୍ଷା ଦେବେ। ଚଳିତବର୍ଷ ପରୀକ୍ଷାର୍ଥୀମାନେ ପ୍ରଶ୍ନପତ୍ର ବୁକ୍‌ଲେଟ୍‌କୁ ଆଉ ଘରକୁ ଆଣି ପାରିବେ ନାହିଁ। ସୁରକ୍ଷା ବଳୟ ମଧ୍ୟରେ ସକାଳ ୬ଟାରୁ ସାଢ଼େ ୮ଟା ମଧ୍ୟରେ ପ୍ରଶ୍ନପତ୍ର ନୋଡାଲ ସେଣ୍ଟରରୁ ଡେସ୍‌ପାଚ୍‌ ଟିମ୍ ଦ୍ବାରା ପରୀକ୍ଷା କେନ୍ଦ୍ରରେ ପହଞ୍ଚିବ। ସେହିପରି ପରୀକ୍ଷା ସରିବା ପରେ ସେହି ଡେସ୍‌ପାଚ୍ ଟିମ୍ ପରୀକ୍ଷା ଖାତାକୁ ଆଣି ପୁଣି ନୋଡାଲ ସେଣ୍ଟରରେ ଦାଖଲ କରିବ‌େ। ପରୀକ୍ଷା କେନ୍ଦ୍ରରେ ସୁପରିଣ୍ଟେଣ୍ଡେଣ୍ଟଙ୍କ ବ୍ୟତୀତ ଆଉ କେହି ମୋବାଇଲ୍ ବ୍ୟବହାର କରିପାରିବେ ନାହିଁ। ଏପରିକି ହଲ୍‌କୁ ଯିବା ବ‌େଳେ ସୁପରିଣ୍ଟେଣ୍ଡେଣ୍ଟ ମଧ୍ୟ ମୋବାଇଲ୍ ନେଇ ପାରିବେ ନାହିଁ। ଇନ୍‌ଭିଜିଲେଟର ଓ ସ୍କ୍ବାଡ୍‌ ‌କେନ୍ଦ୍ରକୁ ଗଲା ବେଳେ ସୁପରିଣ୍ଟେଣ୍ଡେଣ୍ଟଙ୍କ ପାଖରେ ସ୍ବତନ୍ତ୍ର ଲକ୍‌ରରେ ମୋବାଇଲକୁ ସୁଇଚ୍ ଅଫ୍ ମୋଡ୍‌ରେ ରଖିବାକୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ପରୀକ୍ଷା ପରିଚାଳନା ସଂକ୍ରାନ୍ତୀୟ ଜରୁରୀ ସୂଚନା ବା ସମସ୍ୟା ପାଇଁ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ପକ୍ଷରୁ ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ୧୨ଘଣ୍ଟିଆ କଣ୍ଟ୍ରୋଲ୍‌ ରୁମ୍ ବ୍ୟବସ୍ଥା ହୋଇଛି।

ସୂଚନାଯୋଗ୍ୟ, ଚଳିତ ବର୍ଷ ହାଇସ୍କୁଲ ସାର୍ଟିଫିକେଟ୍, ମଧ୍ୟମା ଓ ରାଜ୍ୟ ମୁକ୍ତବିଦ୍ୟାଳୟ ପରୀକ୍ଷା ପାଇଁ ମୋଟ ୫ଲକ୍ଷ ୬୦ହଜାର ୯୦୫ ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଛନ୍ତି। ଏହି ପରୀକ୍ଷା ରାଜ୍ୟର ୨୮୮୮ଟି ପରୀକ୍ଷା କେନ୍ଦ୍ର ଅନୁଷ୍ଠିତ ହେବାକୁ ବୋର୍ଡ ପକ୍ଷରୁ ସ୍ଥିର ହୋଇଥିବା ବେଳେ ପ୍ରଶ୍ନପତ୍ର ଗଚ୍ଛିତ ରଖିବା ପାଇଁ ରାଜ୍ୟରେ ୩୦୭ଟି ନୋଡାଲ ସେଣ୍ଟର ରହିଛି। ନକ୍ସଲ ଅଧ୍ୟୁଷିତ ଜିଲ୍ଲାରେ ସୁରକ୍ଷା ଦୃଷ୍ଟିରୁ ୨୨ଟି ଥାନାକୁ ନୋଡାଲ୍ ସେଣ୍ଟର କରାଯାଇଛି। ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାରେ ୫ଲକ୍ଷ ୪୭ ହଜାର ୭୬୧ ପରୀକ୍ଷାର୍ଥୀ ୨୭୬୭ଟି କେନ୍ଦ୍ରରେ ପରୀକ୍ଷା ଦେଉଥିବା ବେଳେ ମୁକ୍ତ ବିଦ୍ୟାଳୟରେ ୯ ହଜାର ୭୭୧ ପରୀକ୍ଷାର୍ଥୀ ୭୬ ପରୀକ୍ଷା କେନ୍ଦ୍ରରେ ଓ ମଧ୍ୟମାରେ ୩ ହଜାର ୩୭୩ ପରୀକ୍ଷାର୍ଥୀ ୪୫ଟି କେନ୍ଦ୍ରରେ ପରୀକ୍ଷା ‌‌ଦେବେ। ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ପ୍ରଶ୍ନପତ୍ର ପାଇଁ ୩୦୫ଟି, ମୁକ୍ତ ବିଦ୍ୟାଳୟ ପାଇଁ ୪୫ଟି ଓ ମଧ୍ୟମା ପାଇଁ ୪୫ଟି ନୋଡାଲ ସେଣ୍ଟର ରହିଛି। ମାଟ୍ରିକ୍ ପରୀକ୍ଷା ସୁପରିଚାଳନା ପାଇଁ ଚାରିସ୍ତରୀୟ ସ୍କ୍ବାଡ୍‌ ବ୍ୟବସ୍ଥା କରାଯିବା ସହିତ ୧୦୦୦ ପରୀକ୍ଷା କେନ୍ଦ୍ରରେ ସିସି କ୍ୟାମେରା ଲଗାଯାଇଛି ବୋଲି ବୋର୍ଡ ସଂପାଦକ ଶ୍ରୀକାନ୍ତ କୁମାର ତରାଇ ସୂଚନା ଦେଇଛନ୍ତି।

ପ୍ରଥମ ଦିନ ସକାଳ ୯ଟାରେ, ଅନ୍ୟ ଦିନରେ ୯.୨୦ରେ ଖୋଲିବ ପରୀକ୍ଷା କେନ୍ଦ୍ର
ସକାଳ ୮ଟା ୩୦ ସୁଦ୍ଧା କେନ୍ଦ୍ରରେ ପହଞ୍ଚିବ ପ୍ରଶ୍ନପତ୍ର, ୯.୪୫ରେ ପିଲାଙ୍କୁ ମିଳିବ
ହଲ୍‌କୁ ମୋବାଇଲ ମନା, ସ୍କ୍ବାଡ୍ ବି ନେଇପାରିବେ ନାହିଁ
ପରୀକ୍ଷାର୍ଥୀଙ୍କ ସମ୍ମୁଖରେ ଖୋଲାଯିବ ପ୍ରଶ୍ନପତ୍ର ପ୍ୟାକେଟ୍‌
ଏଥର ପରୀକ୍ଷାର୍ଥୀ ଘରକୁ ଆଣି ପାରିବେ ନାହିଁ ପ୍ରଶ୍ନପତ୍ର
୩୦୭ ନୋଡାଲ ସେଣ୍ଟର, ୧୦୦୦ କେନ୍ଦ୍ରରେ ସିସି କ୍ୟାମେରା

ଚାପମୁକ୍ତ ରହିବାକୁ ମନ୍ତ୍ରୀଙ୍କ ପରାମର୍ଶ
ଭୁବନେଶ୍ବର: ବୁଧବାରଠାରୁ ମାଟ୍ରିକ୍‌ ପରୀକ୍ଷା। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ସମସ୍ତ ନୋଡାଲ ସେଣ୍ଟରଗୁଡ଼ିକୁ ପ୍ରଶ୍ନପତ୍ର ପଠାଯାଇଥିବା ବେଳେ ପରୀକ୍ଷା କେନ୍ଦ୍ରଗୁଡ଼ିକୁ ପ୍ରସ୍ତୁତ କରାଯାଇଛି। ପରୀକ୍ଷାର ସୁପରିଚାଳନା ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି। ପରୀକ୍ଷାର୍ଥୀ ଭୟଭୀତ କିମ୍ବା ଚାପଗ୍ରସ୍ତ ନ ହୋଇ ପରୀକ୍ଷା ‌ଦିଅନ୍ତୁ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ଶ୍ରୀ ଦାଶ ଆହୁରି କହିଛନ୍ତି ଯେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଚୟନ କମିଟି ପରୀକ୍ଷା କେନ୍ଦ୍ର ନିର୍ଦ୍ଧାରଣ କରିଛି। ପ୍ରଚଳିତ ନିୟମ ଅନୁଯାୟୀ କେନ୍ଦ୍ରଗୁଡ଼ିକ ଯଥା ସମ୍ଭବ ୫ରୁ ୧୦ କିମି ମଧ୍ୟରେ ହୋଇଛି। ପରୀକ୍ଷାକୁ କପି ଶୂନ୍ୟ କରିବା ଦିଗରେ ଏକାଧିକ ପଦକ୍ଷେପ ନିଆଯାଇଛି। ସମ୍ବେଦନଶୀଳ ଏକ ହଜାର ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିଛି। ପରୀକ୍ଷା ସମୟରେ କେନ୍ଦ୍ର ସୁପରିଚାଳନା ପାଇଁ ୪ସ୍ତରୀୟ ସ୍କ୍ବାଡ୍‌ ବ୍ୟବସ୍ଥା ହୋଇଛି। ଜିଲ୍ଲାସ୍ତରରେ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କ ଦ୍ବାରା ୬୯ଟି, ଜିଲ୍ଲାପାଳଙ୍କ ଦ୍ବାରା ପ୍ରତି ଜିଲ୍ଲାରେ ଅତି କମ୍‌ରେ ଗୋଟିଏ, ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମଗ୍ର ରାଜ୍ୟ ପାଇଁ ୪୪ଟି, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରତି ଜିଲ୍ଲାକୁ ଗୋଟିଏ ଲେଖାଏ ସ୍କ୍ବାଡ୍‌ ପଠାଇବାକୁ ନିଷ୍ପତ୍ତି ‌ହୋଇଛି। ଏଥିସହ ପ୍ରତି ପରୀକ୍ଷା କେନ୍ଦ୍ରରେ ଜଣେ ଲେଖାଏ ଅବଜରଭର ନିଯୁକ୍ତ ହୋଇଛନ୍ତି।

ସମ୍ବନ୍ଧିତ ଖବର