ଆଜିଠୁ ରାଜ୍ୟରେ ବାୟୁ ପ୍ରଦୂଷଣ ତଦାରଖ

ଘାରିଲା ଦୀପାବଳିରେ ପରିବେଶ ପ୍ରଦୂଷଣ ଚିନ୍ତା, ୧୫ ଦିନ ଧରି ଚାଲିବ, ସିପିସିବିକୁ ରିପୋର୍ଟ ଦେବ ଏସ୍‌ପିସିବି

ଭୁବନେଶ୍ବର: ଦୀପାବଳିରେ ବାଣ ଫୁଟାଇବା ଉପରେ ଲାଗିଛି କଟକଣା। ରାତିରେ ମାତ୍ର ଦୁଇ ଘଣ୍ଟା ପାଇଁ ବାଣ ଫୁଟାଇପାରିବେ ଜନସାଧାରଣ। ସୁପ୍ରିମକୋର୍ଟ ଏନେଇ କଡ଼ାକଡ଼ି ନିୟମ କରିବା ପରେ ରାଜ୍ୟ ସରକାର ମଧ୍ୟ ତତ୍ପରତା ପ୍ରକାଶ କରିଛନ୍ତି। ପୁଲିସ ପକ୍ଷରୁ ଜାରି ଗାଇଡ୍‌ଲାଇନ୍‌କୁ କଡ଼ାକଡ଼ି ପାଳନ କରାଯାଇଥିବା ବେଳେ ରାଜ୍ୟ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି) ବାୟୁ ପ୍ରଦୂଷଣ ତଦାରଖ କରିବାକୁ ନିଷ୍ପତ୍ତି ନେଇଛି। ଆଗରୁ ଦୀପାବଳି ଓ ଏହା ପରଦିନ ପ୍ରଦୂଷଣ ମନିଟରିଂ କରାଯାଉଥିଲା। ଏବେ ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ ୧୫ ଦିନ ଧରି ମନିଟରିଂ କରାଯିବ ବୋଲି ଏସ୍‌ପିସିବିର ସଦସ୍ୟ ସଚିବ ଦେବଦତ୍ତ ବିଶ୍ବାଳ କହିଛନ୍ତି। ଆସନ୍ତା ଦୀପାବଳିକୁ ଦୃଷ୍ଟିରେ ରହି ବୁଧବାରଠାରୁ ସାରା ରାଜ୍ୟରେ ବାୟୁ ପ୍ରଦୂଷଣ ତଦାରଖ କରାଯିବ। ଏସ୍‌ପିସିବି ପକ୍ଷରୁ ‘ଦୀପାବଳି’ର ୭ ଦିନ ଆଗରୁ ଓ ୭ ଦିନ ପରେ ବାୟୁ ପ୍ରଦୂଷଣ ତଦାରଖ ହେବ। ନଭେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୧୭ଟି ସହରରେ ବାୟୁ ପ୍ରଦୂଷଣର ମାତ୍ରା ମପାଯିବ। ଏନେଇ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ସିପିସିବି) ପକ୍ଷରୁ ଏସ୍‌ପିସିବିଙ୍କୁ ନିର୍ଦେଶ ଦିଆଯାଇଛି। ରିପୋର୍ଟ ଆସିବା ପରେ ତାହାକୁ ସିପିସିବିଙ୍କୁ ପ୍ରଦାନ କରାଯିବ। ସେମାନେ ପରବର୍ତ୍ତୀ ନିଷ୍ପତ୍ତି ନେବେ ବୋଲି ଶ୍ରୀ ବିଶ୍ବାଳ କହିଛନ୍ତି। ଭୁବନେଶ୍ବର ସମେତ କଟକ, ବାଲେଶ୍ବର, ପାରାଦୀପ, ରାଉରକେଲା, ବ୍ରହ୍ମପୁର, ପୁରୀ, ସମ୍ବଲପୁର, ଅନୁଗୁଳ, ଝାରସୁଗୁଡ଼ା, ତଳଚେର, କଳିଙ୍ଗନଗର, ବଣାଇ, କେନ୍ଦୁଝର, ରାଜଗାଙ୍ଗପୁର, ରାୟଗଡ଼ା, କୋଣାର୍କରେ ତଦାରଖ ହେବ। ବୋର୍ଡର ଆଞ୍ଚଳିକ ଅଧିକାରୀମାନେ ଏହା ଉପରେ ନଜର ରଖିବେ। ପ୍ରତିଦିନ ପ୍ରଦୂଷଣର ମାତ୍ରା କେତେ ରହିଛି ସେମାନେ ରିପୋର୍ଟ ଦେବା ପରେ ତାହାକୁ ଆଧାର କରି ସିପିସିବିକୁ ରିପୋର୍ଟ ଦିଆଯିବ।

ସବୁଜ ବାଣ ଫୁଟାଇବା ପାଇଁ ସୁପ୍ରିମକୋର୍ଟ ‌ଯେଉଁ ନିୟମ କରିଛନ୍ତି ତାହାକୁ ନେଇ ପ୍ରଦୂଷଣ ବୋର୍ଡ ପକ୍ଷରୁ ମଧ୍ୟ କୌଣସି ସ୍ପଷ୍ଟ ଚିତ୍ର ଦିଆଯାଇପାରି ନାହିଁ। ଶ୍ରୀ ବିଶ୍ବାଳ କହିଛନ୍ତି ଯେ କେଉଁ କେଉଁ ବାଣ ଏହି ନିୟମ ଅଧୀନରେ ଆସିବ ତାହାର ତାଲିକା ଆମକୁ ମିଳିନି। ବରଂ କମ୍‌ ଶବ୍ଦ ଓ ଧୂଆଁ ବାହାରୁଥିବା ବାଣ ଫୁଟାଇବା ଲାଗି ଲୋକଙ୍କୁ ଅନୁରୋଧ କରାଯାଉଛି। ତଳଫୋଟକାରେ ଧୂଆଁର ମାତ୍ରା କମ୍‌ ରହୁଛି। ହେଲେ ଶବ୍ଦ ପ୍ରଦୂଷଣର ମାତ୍ରା ଅଧିକ ରହୁଛି। ସେହିପରି ଘଡି, ଝରଝରି, ଧପଧପି, ଚକରି, ହାବିଳି ଆଦି ବାଣରେ ଶବ୍ଦ ପ୍ରଦୂଷଣର ମାତ୍ରା କମ୍‌ ରହୁଥିବା ବେଳେ ଧୂଆଁ ଯୋଗୁଁ ବାୟୁ ପ୍ରଦୂଷଣ ହୋଇପାରେ। ତେଣୁ ଏପର୍ଯ୍ୟନ୍ତ କୌଣସି ନିର୍ଦିଷ୍ଟ ବାଣକୁ ସବୁଜ ବାଣ କହିପାରିବା ନାହିଁ। ଅଧିକ ପ୍ରଦୂଷଣ କରୁଥିବା ବାଣ ଉପରେ କଟକଣା ଜାରି ହୋଇଛି। ଏନେଇ କୋର୍ଟ କୌଣସି ନିର୍ଦିଷ୍ଟ ବାଣ ନ ଫୁଟାଇବାକୁ କହିନାହାନ୍ତି। ‌ତେଣୁ ନିୟନ୍ତ୍ରଣ ବୋର୍ଡ କୌଣସି ପ୍ରକାର ନିୟମ ଜାରି କରିପାରିବ ନାହିଁ। ଚାଇନା ବାଣ ନା ତାଳ ଫୋଟକା କମ୍‌ ପ୍ରଦୂଷଣ କରୁଛି ତାହା ବି କହିବା କଷ୍ଟକର। ସୁପ୍ରିମକୋର୍ଟଙ୍କ ନିୟମ ଆଧାରରେ ନିର୍ଧାରିତ ସମୟରେ ବାଣ ଫୁଟାଯିବ। ପୁଲିସ ତାହା ଉପରେ ନଜର ରଖିବ। ପରିବେଶବିତ୍‌ ବିଶ୍ବଜିତ୍‌ ମହାନ୍ତି କହିଛନ୍ତି ଯେ ସବୁଜ ବାଣ ବୋଲି କିଛି ନାହିଁ। ବାଣ ମାତ୍ରକେ ସେଥିରୁ ଶବ୍ଦ ଓ ଧୂଆଁ ବାହାରିବ। ‌ତେଣୁ ସବୁଜ ବାଣର ସଂଜ୍ଞା କିଛି ନାହିଁ। ଲୋକେ କମ୍‌ ଧୂଆଁ ଓ ଶବ୍ଦ ବାହାରୁଥିବା ବାଣ ଫୁଟାଇବା ଆବଶ୍ୟକ।

ସମ୍ବନ୍ଧିତ ଖବର