ଏମ୍‌ସ ଭୁବନେଶ୍ବର ପ୍ରତିଷ୍ଠା ଦିବସ ଆଜି: ଏନ୍‌ଡିଏର ଭିତ୍ତିପ୍ରସ୍ତର, ୟୁପିଏର ନିର୍ମାଣ

ଭୁବନେଶ୍ବର: ଲକ୍ଷ୍ୟ ଥିଲା ଆଞ୍ଚଳିକ ବୈଷମ୍ୟତା ଦୂର କରି ଦିଲ୍ଲୀ ଏମ୍‌ସ ଭଳି ସ୍ବାସ୍ଥ୍ୟସେବା ଯୋଗାଇବା। ଏଥିପାଇଁ ଭୁବନେଶ୍ବରରେ ୨୦୦୩ ଜୁଲାଇ ୧୫ରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ। ମାତ୍ର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଦ୍ବିତୀୟ ପାଳିର କାର୍ଯ୍ୟକାଳରେ ଏହାର ନିର୍ମାଣ ହୋଇ ୨୦୧୪ ମସିହା ଫେବ୍ରୁଆରି ୨୬ରେ ଉଦ୍‌ଘାଟନ ହୋଇଥିଲା। ଏମ୍‌ସ ଭୁବନେଶ୍ବର ନିର୍ମାଣର ପ୍ରାରମ୍ଭିକ ସମୟ କିଭଳି ଥିଲା, ରାଜ୍ୟ ତଥା ରାଜ୍ୟ ବାହାରର କେଉଁ ଭଳି ଡାକ୍ତର ଏଠାରେ ଯୋଗଦାନ କଲେ, ପ୍ରଥମ ବର୍ଷର ପାଠପଢ଼ା, ରୋଗୀ ଦେଖା, ଗବେଷଣା କିଭଳି ଥିଲା, ତାକୁ ନେଇ ସ୍ବତନ୍ତ୍ର ପ୍ରସ୍ତୁତି।

ଟିଣ ଘରେ ଆରମ୍ଭ ହୋଇଥିଲା କାର୍ଯ୍ୟାଳୟ

ଏମ୍‌ସ ଭୁବନେଶ୍ବରର ଆନାଟୋମି, ଫିଜିଓଲୋଜି, ବାୟୋକେମେଷ୍ଟ୍ରି, କମ୍ୟୁନିଟି ମେଡିସିନ, ଟ୍ରମା ଏବଂ ଇମରଜେନ୍ସି ବିଭାଗରେ ସର୍ବପ୍ରଥମେ ଡାକ୍ତର ନିଯୁକ୍ତି ହୋଇଥିଲା। ପ୍ରଥମ ଡାକ୍ତର ଭାବେ ଯୋଗ ଦେଇଥିଲେ, ଆନାଟୋମି ବିଭାଗର ଅତିରିକ୍ତ ପ୍ରଫେସର ପ୍ରଭାସ ତ୍ରିପାଠୀ ଏବଂ ପ୍ରଭାସ ମିଶ୍ର। ଡାକ୍ତର ତ୍ରିପାଠୀ କହନ୍ତି, ୨୦୦୨ ମସିହାରେ ଏସସିବିରେ ଏମ୍‌ବିବିଏସ ସାରିବା ବେଳକୁ ଭୁବନେଶ୍ବରରେ ଏମ୍‌ସ ନିର୍ମାଣ ହେବାକୁ ଯାଉଥିବା ଶୁଣିଥିଲି। ମାତ୍ର ସେତେବେଳେ ମୋର ବିଶ୍ବାସ ହୋଇନଥିଲା ଯେ ଏତେ ବଡ଼ ଯୋଜନା ବାସ୍ତବ ରୂପ ନେବ ଏବଂ ମୁଁ ସେଠାରେ କାମ କରିବି। ୨୦୧୧ ଡିସେମ୍ବରରେ ଏ ସଂକ୍ରାନ୍ତରେ ବିଜ୍ଞାପନ ପ୍ରକାଶିତ ହେବା ପରେ ଆବେଦନ କରିଥିଲି। ଦିଲ୍ଲୀସ୍ଥିତ ସ୍ବାସ୍ଥ୍ୟ ମନ୍ତ୍ରାଳୟରେ ପ୍ରଥମ ସାକ୍ଷାତକାର ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ୪ଟି ବିଭାଗରେ ୨୦ଜଣ ଡାକ୍ତରଙ୍କ ନିଯୁକ୍ତି ହୋଇଥିଲେ। ଏଥିରେ ଉଭୟ ଓଡ଼ିଶା ଓ ରାଜ୍ୟ ବାହାରର ଡାକ୍ତର ଥିଲେ। ଏମ୍‌ସ ପାଟଣାର ନିର୍ଦ୍ଦେଶକ ଜି.କେ ସିଂ ଏହାର ତତ୍ତ୍ବାବଧାରକ ଥିଲେ। ସେ କିମ୍ବା ତାଙ୍କର କେହି ପ୍ରତିନିଧି ଭୁବନେଶ୍ବରରେ ନଥିଲେ। ତେଣୁ ଠିକାଦାରଙ୍କ ଜରିଆରେ ସେ ନିଜର କାର୍ଯ୍ୟରେ ଯୋଗଦାନପତ୍ର ଡା. ସିଂଙ୍କୁ ପଠାଇଥିଲେ।

ପ୍ରଥମ ନିର୍ଦ୍ଦେଶକ ଭାବେ ନ୍ୟୁରୋସର୍ଜନ ଡାକ୍ତର ଅଶୋକ ମହାପାତ୍ର ଦିଲ୍ଲୀ ଏମ୍‌ସ ଛାଡ଼ି ୨୦୧୨ ଅଗଷ୍ଟ ୧୪ରେ ଯୋଗଦାନ କରିଥିଲେ। ସେତେବେଳକୁ କୋଠା ନିର୍ମାଣ ସରିନଥିଲା। ତେଣୁ ଗୋଟିଏ ଟିଣ ଘରେ ଏମ୍‌ସର କାର୍ଯ୍ୟାଳୟ ଖୋଲିଲା। ଏହି ଅବସରରେ ପ୍ରଥମ ଡିନ୍‌ ଭାବେ କମ୍ୟୁନିଟି ମେଡିସିନ ବିଭାଗର ପ୍ରଫେସର ବିକାଶ ଭାଟିଆ, ସବ୍‌-ଡିନ୍‌ ଭାବେ ଡାକ୍ତର ପ୍ରଭାସ ମିଶ୍ରଙ୍କୁ ଦାୟିତ୍ବ ଦିଆଗଲା। ଏମ୍‌ସର ଲୋଗୋ, ପରିଚୟପତ୍ର ପ୍ରସ୍ତୁତ ହେଲା। ଡାକ୍ତର ଆକୃତିଙ୍କ ଚିତ୍ରକଳା ଭଲ ହେଉଥିବାରୁ ସେ ଏଥିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଥିଲେ। ୨୦୧୩ ମସିହାରେ ନିର୍ଦ୍ଦେଶକ ନିଜେ ପାଥୋଲୋଜି, ମାଇକ୍ରୋବାୟୋଲୋଜି, ଫାର୍ମାକଲୋଜି, ଫରେନ୍ସିକ ଏବଂ ପରେ ମେଡିସିନ, ସର୍ଜରି, ସ୍ତ୍ରୀ-ପ୍ରସୂତି, ଅସ୍ଥିଶଲ୍ୟ, ଆଖି, ଇଏନ୍‌ଟି ଆଦି ବିଭାଗରେ ନିଯୁକ୍ତି ଦେଇଥିଲେ।

୨୦୧୫ ମସିହାରେ ସୁପର ସ୍ପେସାଲିଟି ବିଭାଗ କାର୍ଡିଓଲୋଜି, ନ୍ୟୁରୋଲୋଜି, ନ୍ୟୁରୋସର୍ଜରିରେ ଡାକ୍ତର ନିଯୁକ୍ତ ହେଲା। ଅସ୍ଥିଶଲ୍ୟ ବିଭାଗ ଡାକ୍ତର ସୁଜିତ ତ୍ରିପାଠୀ କହନ୍ତି, ବିଦେଶରୁ ପାଠ ପଢ଼ି ଆସିବା ପରେ ଏମ୍‌ସ ଦିଲ୍ଲୀ ଏବଂ ଭୁବନେଶ୍ବରରେ ଏକସଙ୍ଗେ ଚାକିରି ଅଫର୍‌ ପାଇଥିଲେ। ନିଜ ରାଜ୍ୟ ବୋଲି ଭୁବନେଶ୍ବରରେ ଯୋଗଦାନ କରିଥିଲେ ସିନା ଅଧାପନ୍ତରିଆ ବ୍ୟବସ୍ଥା ଚିନ୍ତାରେ ପକାଇଥିଲା। ଅନେକ ବର୍ଷ ପର୍ଯ୍ୟନ୍ତ ଏହି ବିଭାଗର ସେ ଏକୁଟିଆ ଡାକ୍ତର ଥିବାରୁ ଏହି ବିଭାଗକୁ ନିଜ ହାତରେ ଗଢ଼ିବା ଭିତରେ ଏତେ ଅଭ୍ୟସ୍ତ ଯେ ଆଜି ଏମ୍‌ସ ଭୁବନେଶ୍ବର ଛାଡ଼ିବାକୁ କହିଲେ ଖରାପ ଲାଗିବ। ବିଭାଗ ଖୋଲିବାର ପ୍ରଥମ କିଛି ବର୍ଷ ବେଳକୁ ଗୁରୁତ୍ବପୂର୍ଣ୍ଣ ପ୍ରତିରୋପଣ ଅସ୍ତ୍ରୋପଚାର ଯାହା କେଉଁଠି ହୋଇନଥିଲା ତାହା ଏମ୍‌ସ ଅସ୍ଥିଶଲ୍ୟ ବିଭାଗରେ ଆରମ୍ଭ ହୋଇଥିଲା।

ପ୍ରାକ୍ଟିକାଲ ପାଇଁ ଏସସିବି, ବୁର୍ଲା, ବ୍ରହ୍ମପୁରରୁ ଆସୁଥିଲା ମରଶରୀର

ମେଡିକାଲ କଲେଜ ଆରମ୍ଭ ବେଳକୁ କୋଠା ନିର୍ମାଣ ସରି ନଥିଲା। କିନ୍ତୁ ୨୦୧୨ ମସିହାରେ ୫୦ ବିଦ୍ୟାର୍ଥୀଙ୍କ ନାମ ଲେଖାଯାଇଥିଲା। ୨୦୧୩ ମସିହାରେ ନର୍ସିଂ କଲେଜ ବିଦ୍ୟାର୍ଥୀ ନାମ ଲେଖାଇଲେ। ତେଣୁ ସେମାନଙ୍କ ପାଠପଢ଼ା, ରହିବା, ପ୍ରାକ୍ଟିକାଲ୍‌ ଚ୍ୟାଲେଞ୍ଜ ଥିଲା। ଅସ୍ଥାୟୀ କ୍ଲାସରୁମରୁ ପ୍ରଥମ ଓରିଏଣ୍ଟେସନ କ୍ଲାସ ହେଲା। କିନ୍ତୁ ସେତେବେଳେ ଏମ୍‌ସର ଯେଉଁ ଅବସ୍ଥା ଥିଲା, ସେଥିରେ ଅଭିଭାବକ ନିଜ ସନ୍ତାନଙ୍କ ଭବିଷ୍ୟତ ନେଇ ଚିନ୍ତିତ ହୋଇପଡ଼ିଥିଲେ। ଏଥିପାଇଁ ସେମାନଙ୍କୁ ବୁଝାଇବାକୁ ପଡ଼ିଥିଲା। ଫିଜିଓଲୋଜି ବିଭାଗରେ ସେମାନଙ୍କର ପ୍ରାକ୍ଟିକାଲ କ୍ଲାସ ହେଲା। କିନ୍ତୁ ସମସ୍ୟା ଥିଲା, ପ୍ରାକ୍ଟିକାଲ ପାଇଁ ମରଶରୀର କେଉଁଠୁ ଆସିବ। ତେଣୁ ପ୍ରଥମେ ଏସ୍‌ସିବି ପରେ ବୁର୍ଲା ଏବଂ ବ୍ରହ୍ମପୁରରୁ ଆମ୍ବୁଲାନ୍ସରେ ମରଶରୀର ନିଜେ ଯାଇ ଆଣିଥିବା ଡାକ୍ତର ତ୍ରିପାଠୀ କହନ୍ତି। ନିଫ୍ଟ ସହିତ ଚୁକ୍ତିନାମା ସ୍ବାକ୍ଷରିତ କରାଯାଇ ଏକ ହୋଟେଲରେ ଏହି ବିଦ୍ୟାର୍ଥୀଙ୍କ ରହିବା ସୁବିଧା କରାଯାଇଥିଲା। ୮ ମାସ ମଧ୍ୟରେ ବିଦ୍ୟାର୍ଥୀଙ୍କ ପାଇଁ ସର୍ବନିମ୍ନ ସୁବିଧା ଏମ୍‌ସ ପ୍ରାଙ୍ଗଣରେ ହିଁ ମିଳିଗଲା। ବିଦ୍ୟାର୍ଥୀଙ୍କ ଆତ୍ମବିଶ୍ବାସ ପାଇଁ ହୋଟେଲରେ ବାର୍ଷିକ ଉତ୍ସବ ଆୟୋଜନ ହେଲା।

କାର୍ଯ୍ୟରତ ଶ୍ରମିକ ଥିଲେ ପ୍ରଥମ ରୋଗୀ

୨୦୧୪ ମସିହାରେ ଉଦଘାଟନ ପରେ ଆଉଟ‌ଡୋର୍‌ ସେବା ଆରମ୍ଭ ହୋଇଥିଲା। ପ୍ରଥମ କିଛି ମାସ ୧୦୦ରୁ ୨୦୦ ରୋଗୀ ଆସୁଥିଲେ। ମାତ୍ର ୪ ମାସ ମଧ୍ୟରେ ରୋଗୀ ସଂଖ୍ୟା ୫୦୦ରୁ ୬୦୦କୁ ବୃଦ୍ଧି ପାଇଥିଲା। ମେଡିସିନ, ଅର୍ଥୋପେଡିକ୍ସ ଏବଂ ନ୍ୟୁରୋ ସର୍ଜରି ବିଭାଗରେ ରୋଗୀ ସଂଖ୍ୟା ସର୍ବାଧିକ ଥିଲା। ଆଜି କିନ୍ତୁ ଏମ୍‌ସ ଭୁବନେଶ୍ବରକୁ ଆସୁଥିବା ରୋଗୀ ସଂଖ୍ୟା ଦିଲ୍ଲୀ ପରେ ସର୍ବାଧିକ ରହିଛି। ଏମ୍‌ସରେ ନବନିଯୁକ୍ତ ଡାକ୍ତରଙ୍କ ପ୍ରଥମ ଚିକିତ୍ସା ଏଠାରେ କାର୍ଯ୍ୟରତ ଶ୍ରମିକଙ୍କ ଚିକିତ୍ସା ସହିତ ଆରମ୍ଭ କରିଥିଲେ।

ଏମ୍‌ସ ଖୋଲିବା ପୂର୍ବରୁ ଅଙ୍କୋଲୋଜିର ଡେ କେୟାର

ଏମ୍‌ସ ଉଦଘାଟିତ ହେବା ପୂର୍ବରୁ ଅଙ୍କୋଲୋଜି ବିଭାଗ ପକ୍ଷରୁ ପ୍ରଥମ କ୍ଲିନିକାଲ ଚିକିତ୍ସା ଭାବରେ ଡେ କେୟାର ସେବା ଆରମ୍ଭ ହୋଇଥିଲା। ଏଥିରେ ପ୍ରଥମ ଡାକ୍ତର ଭାବରେ ଡା. ଦିଲ୍ଲୀପ ପରିଡ଼ା ଯୋଗଦାନ କରିଥିଲେ। ରାଜ୍ୟରେ କର୍କଟ ରୋଗ ବଢ଼ି ଚାଲିଥିବାରୁ ଏମ୍‌ସରେ କ୍ୟାନସର ସେଣ୍ଟର ଖୋଲିବା ଲକ୍ଷ୍ୟ ଥିଲା। ଯାହା ଖୁବ ଶୀଘ୍ର ପୂରଣ ହେବ ବୋଲି ଡାକ୍ତର ପରିଡ଼ା ଆଶା କରିଛନ୍ତି। ପୂର୍ବରୁ ତାଙ୍କର ଏମ୍‌ସ ଦିଲ୍ଲୀରେ କାର୍ଯ୍ୟ କରୁଥିବା ବେଳେ ଗବେଷଣା ନେଇ ତାଙ୍କର ଲମ୍ବା ଅନୁଭବ ଥିଲା। ତେଣୁ ଭୁବନେଶ୍ବରରେ କାର୍ଯ୍ୟରେ ଯୋଗଦାନ ବେଳେ ସେହି ଅନୁଭବକୁ ଉପଯୋଗ କରାଯାଇ ରିସର୍ଚ କମିଟିରେ ଅଧ୍ୟକ୍ଷ କରାଗଲା। ଡାକ୍ତର ପରିଡ଼ା କହନ୍ତି, ଗବେଷଣା ଏମ୍‌ସର ମୁଖ୍ୟ ଉଦେଶ୍ୟ। ପ୍ରଥମେ ତ ଏଠାରେ କୌଣସି ଭିତ୍ତିଭୂମି ନଥିଲା। ତେଣୁ ଆଇଆଇଟି ଭୁବନେଶ୍ବର ଏବଂ ଆଇଏଲଏମ (ଇନଷ୍ଟିଚ୍ୟୁଟ ଅଫ ଲାଇଫ ସାଇନ୍ସ) ସହିତ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା। ଉଭୟ ଅନୁଷ୍ଠାନ ସମାନ ବିଷୟ ଥିବା ପାଠ୍ୟକ୍ରମ ନେଇ ଗବେଷଣା କରାଯାଇଥିଲା।

ଉଚ୍ଚମାନର ସେବା ଗୁରୁତ୍ବପୂର୍ଣ୍ଣ

ଦିଲ୍ଲୀ ଏମ୍‌ସ ଚଳିତ ବର୍ଷ କ୍ୟାମ୍ବ୍ରିଜ ଏବଂ ଅକ୍ସଫୋର୍ଡଠାରୁ ଭଲ ପ୍ରଦର୍ଶନ କରିଛି। ଭୁବନେଶ୍ବର ଏମ୍‌ସ କେଉଁଠି ତାହା ଖୋଜିବାକୁ ହେବ। ଏହା ଏକ ଭଲ ପ୍ରତିଷ୍ଠାନ। ଉଚ୍ଚମାନର ପ୍ରତିଷ୍ଠାନ ପ୍ରତିଷ୍ଠା ପାଇଁ ଏମ୍‌ସରେ ଯୋଗଦାନ କରିଥିଲି। ସେଥିପାଇଁ ଅନେକ କାର୍ଯ୍ୟ ହୋଇଥିଲା। ରୋଗୀ ସଂଖ୍ୟା ବଢୁଛି, କୋଠା ତିଆରି ହେଲା କିନ୍ତୁ ଚିକିତ୍ସା ସେବାର ଗୁଣାତ୍ମକମାନ ବଢୁଛି କି ଏହା ଦେଖିବା ଗୁରୁତ୍ବପୂର୍ଣ୍ଣ। ରୋଗୀ ଏ ବିଷୟରେ ଠିକ କହିପାରିବେ। ଗଭର୍ଣ୍ଣିଂବଡିରେ ସାଂସଦ, ମୁଖ୍ୟ ଶାସନ ସଚିବଙ୍କ ସମେତ ୬ଜଣ ଅଛନ୍ତି। ଅନୁଷ୍ଠାନର ବିକାଶ ପାଇଁ କାର୍ଯ୍ୟ କରିବାକୁ ହେବ। ଏମ୍‌ସକୁ ଆତ୍ମସମୀକ୍ଷା କରିବାକୁ ପଡ଼ିବ। ଅନ୍ୟଦିଗରେ ଦେଶରେ ଏମ୍‌ସ ସଂଖ୍ୟା ୬ରୁ ୨୪ରେ ପହଞ୍ଚିଛି କିନ୍ତୁ ୧୫ଟି ଏମ୍‌ସରେ କୋଠା ନାହିଁ। ଅନେକରେ ନିର୍ଦେଶକ ନାହାନ୍ତି।
ଅଶୋକ ମହାପାତ୍ର,
ପ୍ରଥମ ନିର୍ଦେଶକ, ଏମ୍‌

ମାଳମାଳ ସମସ୍ୟା, ବିନା ନିର୍ଦେଶକରେ ପ୍ରତିଷ୍ଠା ଦିବସ

ପିଇବା ପାଣିଠାରୁ, ସ୍ବାସ୍ଥ୍ୟ ପରୀକ୍ଷା, ଚିକିତ୍ସା, ଅସ୍ତ୍ରୋପଚାର ପ୍ରତ୍ୟେକ ସେବା ପାଇଁ ଅପେକ୍ଷା କରିବାକୁ ପଡ଼େ। ଚିକିତ୍ସା ଏବଂ ଅସ୍ତ୍ରୋପଚାର ପାଇଁ ୩ ମାସର ଅପେକ୍ଷାର ସର୍ବନିମ୍ନ। ଖାଲି ଡାକ୍ତର ପଦ, ଶଯ୍ୟା ଅଭାବ, ଅନୁପଯୋଗ ଓଟି, ଅଚଳ ମେସିନ ସହିତ ମାଳମାଳ ସମସ୍ୟା ରହିଛି। ଏମ୍‌ସ ଦିଲ୍ଲୀ ଭଳି ଚିକିତ୍ସା ସେବା ଯୋଗାଇବାକୁ ଭୁବନେଶ୍ବରକୁ ଆହୁରି ଅନେକ ଦିନ ଲାଗିବ। ଡିସେମ୍ବର ମାସରୁ ଭାରପ୍ରାପ୍ତ ନିର୍ଦେଶକଙ୍କ ନିଯୁକ୍ତି କରାଯାଇଥିଲେ ମଧ୍ୟ ମାସକୁ ସେ ମାତ୍ର ଥରେ କିମ୍ବା ଦୁଇ ଥର ଆସୁଥିବାରୁ ସମସ୍ୟା ଆହୁରି ଜଟିଳ ହୋଇଛି। ଏଥିପୂର୍ବରୁ ନିର୍ଦେଶକ ଏବଂ ଫାକଲଟିଙ୍କ ବିବାଦ ଯୋଗୁଁ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ଚଳିତ ବର୍ଷ ପ୍ରତିଷ୍ଠା ଦିବସରେ ନୂତନ ନିର୍ଦେଶକ ଯୋଗ ଦେଇ ନାହାନ୍ତି କି ପୁରୁଣା ଆସି ନାହାନ୍ତି।

ସମ୍ବନ୍ଧିତ ଖବର