ଭୁବନେଶ୍ବର: ବୁଧବାର ଦିନ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଆଜି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ଅଧ୍ୟକ୍ଷତାରେ ରାଜ୍ୟ କାର୍ଯ୍ୟାଳୟରେ ଗୁରୁତ୍ବପୂର୍ଣ୍ଣ ପଦାଧିକାରୀ ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟର ସାଂପ୍ରତିକ ରାଜନୈତିକ ଓ ସାମାଜିକ ପ୍ରସଙ୍ଗ ସମେତ ସାଂଗଠନିକ ପ୍ରସଙ୍ଗକୁ ନେଇ ବୈଠକରେ ଆଲୋଚନା ହୋଇଥିଲା। ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ମହିଳା ଓ ଶିଶୁ ନିର୍ଯାତନାରେ ବୃଦ୍ଧି, ସୀମା ବିବାଦ, ବେରୋଜଗାର ସମସ୍ୟା, ବ୍ୟାପକ ନିଶା କାରବାର, ଧାନ କିଣାବିକାରେ ଚାଷୀଙ୍କୁ ଶୋଷଣ, ବିଜୁ ସ୍ମାର୍ଟ କାର୍ଡ ପ୍ରହେଳିକା, ପାନୀୟ ଜଳ ସମସ୍ୟା, ଅହେତୁକ ବିଦ୍ୟୁତ ଦର ବୃଦ୍ଧି, ରତ୍ନଭଣ୍ଡାର ଚାବି ହଜିବା ଘଟଣା ଆଦି ପ୍ରସଙ୍ଗରେ ସରକାରଙ୍କ ନିଷ୍କ୍ରିୟତାକୁ ନେଇ ପଦାଧିକାରୀମାନେ ବୈଠକରେ ଚିନ୍ତା ପ୍ରକଟ କରିଥିଲେ। ଆସନ୍ତକାଲି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଏ ସମସ୍ତ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରାଯାଇ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଧାରଣ କରାଯିବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି।
ଆଜିର ବୈଠକରେ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ବରୀ, ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ରାଜ୍ୟ ସାଧାରଣ ସଂପାଦକ ଲେଖାଶ୍ରୀ ସାମନ୍ତସିଂହାର, ସାଧାରଣ ସଂପାଦକ(ସଂଗଠନ) ମାନସ ମହାନ୍ତି, ସାଧାରଣ ସଂପାଦକ ରବି ନାଏକ, ଗୋଲକ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଆସନ୍ତାକାଲି ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ ଓ ବିଶ୍ବେଶ୍ବର ଟୁଡୁଙ୍କ ସମେତ ରାଜ୍ୟ ପ୍ରଭାରୀ, ସହ ପ୍ରଭାରୀ, ସମସ୍ତ ସାଂସଦ, ବିଧାୟକ, ରାଜ୍ୟ ପଦାଧିକାରୀ, ଜିଲ୍ଲା ସଭାପତି ଓ ପ୍ରଭାରୀମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।