ପୁରୀ: ସ୍ଥାନାନ୍ତର ହେବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଅଳଙ୍କାର। ଏଥିପାଇଁ ପୁଣିଥରେ ଗୁରୁବାର ରତ୍ନଭଣ୍ଡାର ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ଉଚ୍ଚସ୍ତରୀୟ ରତ୍ନଭଣ୍ଡାର ଯାଞ୍ଚ କମିଟି। ଭିତର ରତ୍ନଭଣ୍ଡାର ଅଳଙ୍କାର ସ୍ଥାନାନ୍ତର ଓ ସ୍ଥିତି ଅନୁଧ୍ୟାନ ପାଇଁ ୧୧ଜଣିଆ ପ୍ରତିନିଧି ଦଳଙ୍କୁ ବଛାଯାଇଛି। ସକାଳ ୯ଟା ୧୫ରୁ ୧୨ଟା ୧୫ ଶୁଭମୁହୂର୍ତ୍ତ ଥିବାରୁ ଏହି ସମୟ ଭିତରେ ପ୍ରତିନିଧି ଦଳ ତାଲା ଖୋଲି ରତ୍ନଭଣ୍ଡାର ଭିତରେ ପ୍ରବେଶ କରିବେ। ଏହା ପୂର୍ବରୁ ସକାଳୁ ପ୍ରତିନିଧି ଦଳଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ବି ଅନୁଷ୍ଠିତ ହେବ। ପରେ ଏହି ଦଳ ରତ୍ନଭଣ୍ଡାର ଚାବି ନେଇ ଭିତରେ ପ୍ରବେଶ କରିବେ। ଯାଞ୍ଚ ବେଳେ ସବୁର ଟିକିନିଖି ଭିଡିଓଗ୍ରାଫି କରାଯିବ। ଶୃଙ୍ଖଳା ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ଗୁରୁବାର ସକାଳ ୮ଟାରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶରେ କଟକଣା ଲଗାଯାଇଛି। ରତ୍ନଭଣ୍ଡାର ଯାଞ୍ଚ ବେଳେ କେବଳ ସିଂହଦ୍ବାର ଖୋଲା ରହିବ। ଅନ୍ୟ ତିନିଦ୍ବାର ବନ୍ଦ ରହିବ। ପ୍ରତିନିଧି ସିଂହଦ୍ବାର ଦେଇ ଶ୍ରୀମନ୍ଦିର ପ୍ରବେଶ କରିବେ। ଯାଞ୍ଚ ପରେ ଉଭୟ ଭିତର ଓ ବାହାର ରତ୍ନଭଣ୍ଡାର ତାଲା ପକାଇ ଜଉମୁଦ ଦେଇ ସିଲ୍‌ କରାଯିବ। ଯେତେଥର ରତ୍ନଭଣ୍ଡାର ଖୋଲାଯିବ, ସେତେଥର ଜଉମୁଦ ଦେଇ ସିଲ୍‌ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ କହିଛନ୍ତି।

Advertisment

ପୂର୍ବ ନିର୍ଦ୍ଧାରିତ ମାର୍ଗଦର୍ଶିକା ଆଧାରରେ ପ୍ରତିନିଧି ଦଳ ପ୍ରଥମେ ବାହାର ରତ୍ନଭଣ୍ଡାର ଖୋଲିବା ପରେ ଭିତର ରତ୍ନଭଣ୍ଡାର ଖୋଲିବେ। ବାହାର ରତ୍ନଭଣ୍ଡାର ଖୋଲିବାକୁ ଗଜପତି ମହାରାଜାଙ୍କ ପ୍ରତିନିଧି, ଭଣ୍ଡାର ମେକାପ ଓ ଶ୍ରୀମନ୍ଦିର ପ୍ରଶାସନ ଚାବି ଆଣିବେ। ତିନି ଚାବିରେ ତାଲା ଖୋଲି ବାହାର ରତ୍ନଭଣ୍ଡାରକୁ ଯିବା ପରେ ଭିତର ରତ୍ନଭଣ୍ଡାର ଖୋଲାଯିବ। ଭିତର ରତ୍ନଭଣ୍ଡାର ଚାବି ଜିଲ୍ଲା ଟ୍ରେଜେରିରୁ ପୁରୀ ଜିଲ୍ଲାପାଳ ଆଣିବେ। ତାଲା ଖୋଲିବା ପରେ ଅଧିକୃତ ବ୍ୟକ୍ତି ଭିତର ରତ୍ନଭଣ୍ଡାରରେ ପ୍ରବେଶ କରିବେ। ଟିକିନିଖି ସ୍ଥିତି ଅନୁଧ୍ୟାନ ପରେ ଭିତର ରତ୍ନଭଣ୍ଡାର ଅଳଙ୍କାର ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହେବ। ପୂର୍ବରୁ ନୂଆ ତିଆରି ହୋଇ ନମ୍ବରିଂ କରି ରଖାଯାଇଥିବା ସିନ୍ଦୁକ ଓ ଆଲମିରାରେ ଅଳଙ୍କାର ରଖାଯିବ। ତଳେ ଥିବା ଅଳଙ୍କାର ବି ସ୍ଥାନାନ୍ତର ହେବ। ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା ଶେଷ ପରେ ପୁରୁଣା ସିନ୍ଦୁକ ଓ ଆଲମିରାକୁ ବାହାରକୁ ଅଣାଯିବ। ଅଳଙ୍କାର ରଖାଯାଇଥିବା ନୂଆ ସିନ୍ଦୁକ ଓ ଆଲମିରାକୁ ଖଟଶେଜ ଘର ଅସ୍ଥାୟୀ ରତ୍ନଭଣ୍ଡାର ତଥା ଷ୍ଟ୍ରଙ୍ଗରୁମ୍‌ରେ ରଖାଯିବ। ଯେଉଁ ସ୍ଥାନରୁ ଯେଉଁ ସିନ୍ଦୁକ ଓ ଆଲମିରା ସ୍ଥାନାନ୍ତର ହୋଇଥିବ, ସେ ସ୍ଥାନ ଚିହ୍ନଟ ହେବ। ମରାମତି କାମ ଶେଷ ପରେ ପୁନର୍ବାର ଯଥାସ୍ଥାନରେ ସିନ୍ଦୁକ ଓ ଆଲମିରା ରଖାଯିବ। ଭିତର ରତ୍ନଭଣ୍ଡାର ସଂପୂର୍ଣ୍ଣ ଖାଲି ହେବା ପରେ ପ୍ରାୟ ୧୫୦ ବର୍ଗଫୁଟର ଏହି ଘରର ଚଟାଣ, କାନ୍ଥ ଆଦି ଯାଞ୍ଚ ହେବ। କାଳେ କେଉଁଠି ଅଳଙ୍କାର କିଛି ରଖାଯାଇଥିବ, ପ୍ରତିନିଧି ଦଳ ଟିକିନିଖି ଯାଞ୍ଚ କରିବେ। ପରେ ଏଏସ୍‌ଆଇ ବୈଷୟିକ ଦଳଙ୍କୁ ଭିତର ରତ୍ନଭଣ୍ଡାର ସ୍ଥିତି ଅନୁଧ୍ୟାନ ପାଇଁ ପଠାଯିବ। ସ୍ଥିତି କ’ଣ ଅଛି ଓ କ’ଣ ସବୁ ମରାମତି ଆବଶ୍ୟକ ହେଉଛି, ବୈଷୟିକ ଦଳ ତାର ତାଲିକା ପ୍ରସ୍ତୁତ କରି କମିଟିକୁ ଦେବେ। ସରକାରଙ୍କ ପରାମର୍ଶକ୍ରମେ ମରାମତି ପ୍ରକ୍ରିୟା ଆରମ୍ଭ ହେବ।

ମରାମତି ଶେଷ ପରେ ସିନ୍ଦୁକ ଓ ଆଲମିରା ପୂର୍ବସ୍ଥାନକୁ ଫେରିବ। ଭିତର ରତ୍ନଭଣ୍ଡାରରେ ଭିତର ରତ୍ନଭଣ୍ଡାର ଅଳଙ୍କାର ଓ ବାହାର ରତ୍ନଭଣ୍ଡାରରେ ବାହାର ରତ୍ନଭଣ୍ଡାର ଅଳଙ୍କାର ଗଣତି ଓ ମଣତି ହେବ। ଅଳଙ୍କାର ମାନ ପରୀକ୍ଷା କରାଯିବ। ଏହା କେତେ ଦିନର ପ୍ରକ୍ରିୟା, ରତ୍ନଭଣ୍ଡାର ଯାଞ୍ଚ କମିଟି ସ୍ପଷ୍ଟ କରି ନଥିଲେ ବି ସମୟସାପେକ୍ଷ ବୋଲି କହିଛନ୍ତି କମିଟିର ଅଧ୍ୟକ୍ଷ ଜଷ୍ଟିସ୍‌ ବିଶ୍ବନାଥ ରଥ। ଅପରପକ୍ଷେ ଗତକାଲି ଅଧିକୃତ ବ୍ୟକ୍ତି ଯାଞ୍ଚ ପାଇଁ ଯିବା ବେଳେ ତାଙ୍କୁ ସହଯୋଗ ପାଇଁ ଶ୍ରୀମନ୍ଦିର ଭିତର ବେଢ଼ାରେ ମେଡିକାଲ୍‌ ଟିମ, ସ୍ନେକ ହେଲ୍‌ପଲାଇନ୍‌, ସ୍ବେଚ୍ଛାସେବୀ ପ୍ରମୁଖ ରହିବେ। ପୁରୀ ଏସ୍‌ପି ସମସ୍ତଙ୍କୁ ଯାଞ୍ଚ କରି ଭିତରକୁ ଛାଡ଼ିବେ। କେହି କୌଣସି ଧାତବ ଜିନିଷ ନେଇ ରତ୍ନଭଣ୍ଡାର ଭିତରକୁ ଯାଇପାରିବେ ନାହିଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ପାଢ଼ୀ କହିଛନ୍ତି।

ସୂଚନାଯୋଗ୍ୟ, ୧୧ଜଣିଆ କମିଟିରେ ରତ୍ନଭଣ୍ଡାର ଯାଞ୍ଚ କମିଟିରୁ ଅଧ୍ୟକ୍ଷ ଜଷ୍ଟିସ୍‌ ବିଶ୍ୱନାଥ ରଥ ଓ ସଦସ୍ୟ ସିବିକେ ମହାନ୍ତି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ, ରତ୍ନଭଣ୍ଡାର ସବ୍‌କମିଟିରୁ ଦୁର୍ଗାପ୍ରସାଦ ଦାସ ମହାପାତ୍ର, ଏଏସ୍‌ଆଇ ଅଧୀକ୍ଷକ ଡ. ଡି ବି ଗଡ଼ନାୟକ, ଛତିଶାନିଯୋଗ ନାୟକ ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ର, ଗଜପତିଙ୍କ ପ୍ରତିନିଧି ପ୍ରବୀଣ ପରିଡ଼ା, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଶ୍ରୀମନ୍ଦିର ବୈଷୟିକ କୋର କମିଟିର ଏନ୍ ସି ପାଲ, ଭଣ୍ଡାର ମେକାପ ଗଣେଶ ମେକାପ, ଚଢ଼ଉକରଣ ହିମାଂଶୁ ଶେଖର ପଟ୍ଟନାୟକ, ଦେଉଳକରଣ ଚନ୍ଦ୍ରଶେଖର ମଙ୍ଗରାଜ ପ୍ରମୁଖ ରହିବେ ବୋଲି ଜଣାପଡ଼ିଛି।