ଭୁବନେଶ୍ବର, ୧୪/୩ (ଇମିସ): ଡ୍ରାଇଭରମାନଙ୍କ ୧୦ଦଫା ଦାବିକୁ ରାଜ୍ୟ ସରକାର ପୂରଣ କରିନଥିବାରୁ ବୁଧବାରଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଡାକରା ଦେଇଛି ଡ୍ରାଇଭର ଏକତା ମହାମଞ୍ଚ। ରାଜ୍ୟ ସରକାରଙ୍କ ସହ ଡ୍ରାଇଭର ଏକତା ମହାମଞ୍ଚର ଆଲୋଚନା ବିଫଳ ହୋଇଥିବାରୁ ସାରା ରାଜ୍ୟରେ ଯାନାବାହନ ଚଳାଚଳ ଠପ୍ ହେବା ଆଶଙ୍କା ସୃଷ୍ଟି ହୋଇଛି। ଅପରପକ୍ଷେ ଏବେ ମାଟ୍ରିକ ଓ +୨ ପରୀକ୍ଷା ଚାଲିଥିବାରୁ ଏହି ଆନ୍ଦୋଳନର ପ୍ରଭାବ ଯେପରି ଛାତ୍ରଛାତ୍ରୀଙ୍କ ଯାତାୟତ ଉପରେ ନପଡ଼େ ସେଥିପାଇଁ ପୁଲିସ ପ୍ରଶାସନ ପକ୍ଷରୁ ଜୋରଦାର୍ ପ୍ରସ୍ତୁତି ହୋଇଛି।
ଏନେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ଯେ, ଡ୍ରାଇଭର ସଂଘ ସହ ଆଲୋଚନାକୁ ଆମେ ଗୁରୁତର ସହ ନେଉଛୁ। ଡ୍ରାଇଭରଙ୍କ ପାଇଁ ଆମେ ସକରାତ୍ମକ ଚିନ୍ତାଧାରା ରଖିଛୁ। ମୁଖ୍ୟମନ୍ତ୍ରୀ ମଧ୍ୟ ସକରାତ୍ମକ ଚିନ୍ତା ରଖିବେ। କୋଭିଡ ଯୋଗୁଁ ଦୁଇ ବର୍ଷ ପରେ ପିଲାମାନେ ମାଟ୍ରିକ୍ ପରୀକ୍ଷା ଦେଉଛନ୍ତି, ତେଣୁ ମୁଁ ଡ୍ରାଇଭରମାନଙ୍କୁ ଅନୁରୋଧ କରୁଛି ପରୀକ୍ଷାର୍ଥୀଙ୍କ ଯାତାୟତ ଏବଂ ସାଧାରଣ ଜନଜୀବନକୁ ପ୍ରଭାବିତ ନକରନ୍ତୁ। ଆମେ ସେମାନଙ୍କ ଦାବିକୁ ଗୁରୁତର ସହ ବିଚାର କରିବୁ। ଡ୍ରାଇଭର ଏକତା ମହାମଞ୍ଚର ନେତା ଅକ୍ଷୟ ନାୟକ କହିଛନ୍ତି ଯେ, ଆସନ୍ତାକାଲି ଆମେ ସମସ୍ତଙ୍କ ସହଯୋଗରେ ଆନ୍ଦୋଳନ କରିବୁ। ରାଜ୍ୟର ସମସ୍ତ ବ୍ଲକ ମୁଖ୍ୟରାସ୍ତାକୁ ଅବରୋଧ କରାଯିବ। ସ୍କୁଲ ବସ୍, ପରୀକ୍ଷା ଡ୍ୟୁଟିରେ ନିୟୋଜିତ ହୋଇଥିବା ଗାଡ଼ି, ଛାତ୍ରଛାତ୍ରୀ ଯାଉଥିବା ଗାଡ଼ି, ଆମ୍ବୁଲାନ୍ସ, ମେଡିକାଲ ଷ୍ଟାଫ୍, ଆମ୍ବୁଲାନ୍ସ, ବିଦ୍ୟୁତ୍ ବିଭାଗ ଗାଡ଼ି, ଦମକଳ ଆଦିକୁ ଛଡ଼ାଯିବ। ହେଲେ ବିଭିନ୍ନ ସାମଗ୍ରୀ ପରିବହନ ପାଇଁ ନିୟୋଜିତ ଗାଡ଼ିଗୁଡ଼ିକୁ ଅଟକ ରଖାଯିବ।
ସମୀକ୍ଷା କଲେ ମୁଖ୍ୟ ସଚିବ; ଜିଲ୍ଲାପାଳ, ଏସ୍ପିମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ
କୌଣସି ପରିସ୍ଥିତିରେ ଛାତ୍ରଛାତ୍ରୀଙ୍କୁ ଅଟକାଯିବନି
ଡ୍ରାଇଭରମାନେ ଛାତ୍ରଛାତ୍ରୀଙ୍କର କୌଣସି ଅସୁବିଧା ନକରନ୍ତୁ: ପରିବହନ ମନ୍ତ୍ରୀ
ଏହାସହ ଶ୍ରୀ ନାୟକ କହିଛନ୍ତି ଯେ, ଆମେ ଦୀର୍ଘ ଦିନ ହେଲା ରାଜ୍ୟ ସରକାରଙ୍କୁ ଆମ ଦାବି ନେଇ ଅବଗତ କରିଛୁ। ଏପରିକି ଗତକାଲି ବିଭାଗୀୟ ମନ୍ତ୍ରୀ ଆମ ସହ ଆଲୋଚନା କରିଥିଲେ। ଏଥିରେ ଆମେ ୬ଟି ପ୍ରମୁଖ ଦାବି ପୂରଣ କରିବାକୁ କହିଥିଲୁ। ଏପରିକି ୬ଟିରୁ ଏବେ ଗୋଟିଏ ଦାବି ଯଥା କର୍ମଜୀବୀ ଡ୍ରାଇଭରମାନଙ୍କ ପାଇଁ ଦୁର୍ଘଟଣା ବୀମା ଅର୍ଥାତ୍ ଗାଡ଼ି ଚଳାଇବା ସମୟରେ ଦୁର୍ଘଟଣା ଘଟିଲେ ୨୦ ଲକ୍ଷ ଟଙ୍କା, ଶାରୀରିକ ବିକଳାଙ୍ଗ ହେଲେ ୧୦ ଲକ୍ଷ ଟଙ୍କା, ଆହତଙ୍କ ଆଶୁ ଚିକିତ୍ସା ପାଇଁ ୫ଲକ୍ଷ ଟଙ୍କାର ବୀମା ରାଶି ତୁରନ୍ତ ଯୋଗାଇ ଦିଆଯାଉ ବୋଲି କହିଥିଲୁ। ମନ୍ତ୍ରୀ ଦାବି ପୂରଣ କରିବା ବୋଲି କହିଲେ। ପୂର୍ବରୁ ଏମିତି କହିଥିବାରୁ ଆମେ କହିଥିଲୁ ଯେ ଆପଣ ଯାହା କହୁଛନ୍ତି ତାହାକୁ ୧୫ଦିନ ମଧ୍ୟରେ ପୂରଣ କରିବେ ବୋଲି ଲିଖିତ ଆକାରରେ ଦିଅନ୍ତୁ। କିନ୍ତୁ ମନ୍ତ୍ରୀ ଶୁଣିଲେନି। ମନ୍ତ୍ରୀ କହିଥିଲେ ଯେ, ଅାପଣଙ୍କ ଦାବିଗୁଡ଼ିକ କ୍ୟାବିନେଟ୍ ଅନୁମୋଦନ ପାଇଁ ଯାଇଛି। ୧୫ଦିନ ପରେ ଆସନ୍ତୁ ଆଲୋଚନା କରିବା। ଆଲୋଚନା ବିଫଳ ହୋଇଥିବାରୁ ଆମେ ଆନ୍ଦୋଳନକୁ ଓହ୍ଲାଇଛୁ।
ଅପରପକ୍ଷେ ଘରୋଇ ବସ୍ ମାଲିକ ସଂଘ, ନିଖିଳ ଓଡ଼ିଶା ଅଟୋ ମହାସଂଘ, କ୍ୟାବ ସର୍ଭିସ ସଂଘ ସମେତ ଓଡ଼ିଶା ସଡ଼କ ପରିବହନ ଶ୍ରମିକ ମହାସଂଘ ମଧ୍ୟ ଆନ୍ଦୋଳନକୁ ସମର୍ଥନ କରୁନଥିବା କହିଛନ୍ତି। ଘରୋଇ ବସ୍ ମାଲିକ ସଂଘ କହିଛି ଯେ, ଆନ୍ଦୋଳନ ସମୟରେ ରାଜ୍ୟର ସମସ୍ତ ରୁଟରେ ଘରୋଇ ବସ୍ ସ୍ୱାଭାବିକ ଭାବେ ଚଳାଚଳ କରିବ। ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ପୁଲିସ ଡିଜିଙ୍କ ସହାୟତା ଲୋଡ଼ିଛୁ। ଏହାସହ ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ଡ୍ରାଇଭରମାନଙ୍କ ଦାବି ଏବେ ପରିବହନ ବିଭାଗର ବିଚାରାଧୀନ ଅଛି। ମାଟ୍ରିକ, +୨, ପଲିଟେକନିକ୍ ପରୀକ୍ଷା ଚାଲିଥିବାରୁ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ କୁହାଯାଇଛି। ଏହାସହ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ପରିବହନ ବିଭାଗ, ଓସେପା ନିର୍ଦ୍ଦେଶକ, ଡିସିପି, ସମସ୍ତ ଜିଲ୍ଲାପାଳ, ଏସ୍ପି, ଆର୍ଟିଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ, ଆନ୍ଦୋଳନ ପାଇଁ ଯେପରି ସର୍ବସାଧାରଣ କି ଛାତ୍ରଛାତ୍ରୀ ଅସୁବିଧାର ସମ୍ମୁଖୀନ ହେବେନି ସେନେଇ ସ୍ବତନ୍ତ୍ର ପଦକ୍ଷେପ ନେବେ। ଯେଉଁମାନେ ଆନ୍ଦୋଳନକୁ ସମର୍ଥନ କରିବେନି ସେମାନଙ୍କୁ ପୁଲିସ ପ୍ରଶାସନ ପକ୍ଷରୁ ସମସ୍ତ ସୁରକ୍ଷା ଯୋଗାଇ ଦିଆଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/driver-1.jpg)