ଭୁବନେଶ୍ବର: ନିର୍ଦ୍ଧାରିକ କାର୍ଯ୍ୟସୂଚୀ ଅନୁଯାୟୀ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି । କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର ଓ ବ୍ରହ୍ମପୁର ଲୋକସଭା କ୍ଷେତ୍ର ସମେତ ଏହା ଅଧୀନସ୍ଥ ୨୮ଟି ବିଧାନସଭା ଆସନରେ ଥିବା ୬୨,୮୭,୨୨୨ ଜଣ ମତଦାତା ସେମାନଙ୍କର ପସନ୍ଦର ନେତା ବାଛିବା ଲାଗି ‌ମତଦାନ କେନ୍ଦ୍ରଗୁଡ଼ିକରେ ମତଦାତାଙ୍କର ଧାଡ଼ି ଲାଗିଛି । ନିର୍ବାଚନ ମଇଦାନରେ ଲୋକସଭା ଓ ବିଧାନସଭା ମିଶି ୩୨ଟି ଆସନ ପାଇଁ ୨୭୧ଜଣ ପ୍ରାର୍ଥୀ ଆଜି ମତ ଲୋଡ଼ୁଛନ୍ତି।  ତେବେ ସେମାନଙ୍କ ମଧ୍ୟରୁ ୩୨ଜଣ ନେତାଙ୍କୁ ହିଁ ବାଛିବେ ଭୋଟର। ଆଉ ଜୁନ୍‌ ୪‌ରେ ଜନତାଙ୍କ ପସନ୍ଦର ନେତା ହିଁ ବିଜୟ ମୁକୁଟ ପିନ୍ଧିବେ।

Advertisment

ସୋମବାର ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।ମୋଟ୍ ୭୩୦୩ଟି ମତଦାନ କେନ୍ଦ୍ରରେ ମତଦାତାମାନେ ଭୋଟ୍ ଦେବାକୁ ଥିବାବେଳେ ସବୁ ବୁଥ୍‌ରେ ଯେପରି ମତଦାତାଙ୍କୁ ସୁଖଦ ଅନୁଭୂତି ମିଳିବ ସେଥିପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି। ସମସ୍ତ ବୁଥ୍‌ରେ ପୁଲିଂ କର୍ମଚାରୀ ପହଞ୍ଚି ସାରିଛନ୍ତି। ମେ’ ୧୧ରେ ୩୯୧୨ଟି ପୁଲିଂ ପାର୍ଟି ଓ ମେ’ ୧୨ରେ ୩୩୯୧ଟି ପୁଲିଂ ପାର୍ଟି ବୁଥ୍‌କୁ ଯାଇଛନ୍ତି। ନୂଆପଡ଼ା ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ଥିବା ୬ଟି ବୁଥ୍‌ ପାଇଁ ପୁଲିଂ ପାର୍ଟିଗୁଡ଼ିକୁ ଏୟାର ଡ୍ରପ୍‌ କରାଯାଇଛି। ଅନେକ ଅଞ୍ଚଳକୁ ଡଙ୍ଗାରେ ନଦୀ ପାରି ହୋଇ ପୁଲିଂ ପାର୍ଟିଗୁଡ଼ିକ ଯାତ୍ରା କରିଛନ୍ତି। ୪ଟି ସଂସଦୀୟ କ୍ଷେତ୍ରର ସମସ୍ତ ମତଦାତା ମତଦାନ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ଅପିଲ୍ କରିଛନ୍ତି।

ସୂଚନାଯୋଗ୍ୟ, ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହେବାକୁ ଥିବାବେଳେ ନକ୍ସଲ ପ୍ରଭାବିତ, ସମ୍ବେଦନଶୀଳ ବୁଥ୍‌ରେ ଅପରାହ୍ନ ୪ଟା ଏବଂ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମତଦାନ ହେବ।