ଭୁବନେଶ୍ବର: ମଧ୍ୟପ୍ରଦେଶର କେନ୍ଦ୍ରୀୟ ଭାଗ ଓ ସଂଲଗ୍ନ ଅଞ୍ଚଳ ଉପରେ ରହିଥିବା ଲଘୁଚାପବଳୟ ଆଜି ଦୁର୍ବଳ ହୋଇଯାଇଛି। ଅନ୍ୟପଟେ ଦକ୍ଷିଣ ଝାଡ଼ଖଣ୍ଡ ଓ ସଂଲଗ୍ନ ଅଞ୍ଚଳ ଉପରେ ଏବେ ଏକ ଘୂର୍ଣ୍ଣିବଳୟ ରହିଛି। ତେବେ ଓଡ଼ିଶା ଉପରେ ପାଣିପାଗର କୌଣସି ନିୟାମକ ସକ୍ରିୟ ନଥିବାରୁ ଆସନ୍ତାକାଲି ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ। ତେବେ ଗୋଟିଏ ଦିନର ବିରାମ ପରେ ପୁଣି ୨୧ ତାରିଖରୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ପାଣିପାଗ କେନ୍ଦ୍ରର ସୂଚନା ମୁତାବକ, ୨୧ ତାରିଖ ଦିନ କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, କଳାହାଣ୍ଡି, ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ସେହିଭଳି ୨୨ ତାରିଖ ଦିନ ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କଟକ, ଯାଜପୁର, ବୌଦ୍ଧ, ନୟାଗଡ଼, ଗଞ୍ଜାମ, ଗଜପତି ଓ କନ୍ଧମାଳ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବ। ୨୩ ତାରିଖ ଦିନ ବର୍ଷାର ବିସ୍ତୃତି ଓ ପ୍ରକୋପ ବଢ଼ିବ। କନ୍ଧମାଳ, ବୌଦ୍ଧ, ସୋନପୁର, ବରଗଡ଼, ଅନୁଗୁଳ, ଢେଙ୍କାନାଳ ଓ ଯାଜପୁର ଆଦି ଜିଲ୍ଲାର କେତେକ ସ୍ଥାନରେ ସେ ଦିନ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼, କେନ୍ଦୁଝର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଧା, ପୁରୀ, ଗଞ୍ଜାମ, କଳାହାଣ୍ଡି ଓ ନୟାଗଡ଼ ଆଦି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ୨୧ରୁ ୨୩ ତାରିଖ ଯାଏ ଉକ୍ତ ଜିଲ୍ଲାଗୁଡ଼ିକ ପାଇଁ ୟେଲୋୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/rains-1.jpg)