ଭୁବନେଶ୍ବର: ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ଶୁକ୍ରବାର ଦିଲ୍ଲୀରେ ବିଜେପି ନେତାଙ୍କ ମଧ୍ୟରେ ମାନସମନ୍ଥନ ହେବ। ଏଥିପାଇଁ ଆଜି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଗତ ବିଧାନସଭାରେ ବିରୋଧୀ ଦଳ ନେତା ଥିବା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ସମେତ ସମସ୍ତ ନିର୍ବାଚିତ ସାଂସଦ ଆଜି ଦିଲ୍ଲୀ ଯାଇଛନ୍ତି। ପୂର୍ବରୁ ଦିଲ୍ଲୀରେ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟସଭା ସାଂସଦ ଅଶ୍ବିନୀ ବୈଷ୍ଣବ ଥିବାରୁ ସେମାନେ ବି ଏହି ବୈଠକରେ ସାମିଲ୍ ହେବେ।
ବିଜେପିରୁ ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ‌ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ବାସଭବନ କିମ୍ବା ବିଜେପି ମୁଖ୍ୟାଳୟରେ ଦଳର ଶୀର୍ଷ ନେତୃତ୍ବଙ୍କ ବୈଠକ ବସିବ। ବୈଠକରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ଦଳର ପ୍ରଭାରୀ ସୁନିଲ ବଂଶଲ, ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂହ ତୋମାର ଏବଂ ଅନ୍ୟ ଶୀର୍ଷ ନେତୃତ୍ବ ଉପସ୍ଥିତ ରହିବେ। ଏଥିରେ ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ବିଚାରବିମର୍ଷ ହେବ। ଏହାପରେ ଓଡ଼ିଶାରେ ବିଜେପି ବିଧାୟକ ଦଳ ବୈଠକ ବସି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଘୋଷଣା ହେବ।
ଯଦି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ ନେଇ ବିରୋଧ ହୁଏ ତେବେ ଜଣେ କେନ୍ଦ୍ରୀୟ ନେତାଙ୍କୁ ସ୍ବତନ୍ତ୍ର ପ୍ରଭାରୀ କରି ଓଡ଼ିଶାକୁ ପଠାଯିବ। ସେ ବିଧାୟକମାନଙ୍କ ସହ ଆଲୋଚନା କରି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ କରି‌ବେ। ଯାହା ହେବ ଆସନ୍ତା ଦୁଇରୁ ତିନି ଦିନ ମଧ୍ୟରେ ହେବ ବୋଲି କୁହାଯାଇଛି।

Advertisment