ଆଜି ଓଡ଼ିଶା ଦିବସ: ସୀମାନ୍ତରେ ଓଡ଼ିଆ ସ୍କୁଲର ବିକଳ ଚିତ୍ର

କହୁଛନ୍ତି ତେଲୁଗୁ, ପଢ଼ୁଛନ୍ତି ଓଡ଼ିଆ, ଆନ୍ଧ୍ର ସୁବିଧାରୁ ବଞ୍ଚିତ ଭୟରେ ଓଡ଼ିଆ କହୁନାହାନ୍ତି ଲୋକେ

ନବୀନ ଚନ୍ଦ୍ର ସାହୁ
ଜୟପୁର: କହୁଛନ୍ତି ତେଲୁଗୁ, ହେଲେ ପଢ଼ୁଛନ୍ତି ଓଡ଼ିଆ। କେବଳ ନାଁକୁ ମାତ୍ର ସିଲଟ, ଖାତା, ବହି ଧରି ସ୍କୁଲ୍‌ରେ ବସୁଛନ୍ତି ପିଲା। ଲେଖିବା ତ ଦୂରର କଥା ନିଜ ନାଁ ମଧ୍ୟ ଓଡ଼ିଆରେ କହିପାରୁନାହାନ୍ତି। ତେଲୁଗୁରେ ପଚାରିବା କ୍ଷଣି ଚଟାପଟ୍ ଉତ୍ତର ଦେଉଛନ୍ତି। ଓଡ଼ିଶା-ଆନ୍ଧ୍ର ସୀମାନ୍ତ କୋଟିଆର ଅଧିକାଂଶ ଓଡ଼ିଆ ସ୍କୁଲରେ ଦେଖିବାକୁ ମିଳିଛି ଏପରି ଚିତ୍ର। ଯାହା ସୀମାନ୍ତରେ ଓଡ଼ିଆ ଭାଷାର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।

‘ଗ୍ରାଉଣ୍ଡ ଜିରୋ’ ତଥ୍ୟ ଅନୁସାରେ, ପଟାଙ୍ଗୀ ବ୍ଲକ୍ କୋଟିଆ ପଞ୍ଚାୟତର ବିବାଦୀୟ ଗାଁ ଧୂଳିପଦର, ତାଡିୱାଲସା, ଅରଜୁୱାଲସା ସ୍କୁଲ୍‌କୁ ଆସୁଥିବା ଛାତ୍ରଛାତ୍ରୀ ଓଡ଼ିଆ ଅପେକ୍ଷା ତେଲୁଗୁ ଭଲ କହୁଛନ୍ତି। ଏହି ୩ ଗାଁରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ପକ୍କା ସ୍କୁଲ୍ ଘର ନିର୍ମାଣ ହୋଇଛି। ତେଲୁଗୁ ଭାଷା ପ୍ରତି ଅଧିକ ଆକୃଷ୍ଟ କରିବା ପାଇଁ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ସହ ପିଲାଙ୍କୁ ସମସ୍ତପ୍ରକାର ସୁବିଧା ଯୋଗାଇ ଦେଉଛି ଆନ୍ଧ୍ର। ତାଡିୱାଲସା ସ୍କୁଲକୁ ଆସୁଥିବା ସମସ୍ତ ଛାତ୍ରଛାତ୍ରୀ ଯଦିଓ ଓଡ଼ିଆ, ଏମାନଙ୍କ ଭାବର ଆଦାନ ପ୍ରଦାନ ତେଲୁଗୁରେ ହେଉଛି। ବିବାଦୀୟ ଗାଁ ଫଗୁଣସିନେରୀରେ ଆନ୍ଧ୍ର ପକ୍ଷରୁ ଟିଣ ଛପର ଘରେ ସ୍କୁଲ୍ ଚାଲିଛି। ଓଡ଼ିଶା ସ୍କୁଲ୍ ପକ୍କା ଘର ଚାଲିଥିଲେ ମଧ୍ୟ ସ୍କୁଲର ପିଲା ଭଲ ଭାବରେ ଓଡ଼ିଆ କହିପାରୁନାହାନ୍ତି। ଏପରିକି ଓଡ଼ିଶା ସ୍କୁଲକୁ ଆସୁଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକ ବି ତେଲୁଗୁରେ କଥାବାର୍ତ୍ତା କରୁଛନ୍ତି। ଆନ୍ଧ୍ର ଦେଉଥିବା ସୁବିଧା ସୁ‌ଯୋଗକୁ ପ୍ରତ୍ୟାହାର କରିନେବା ଭୟରେ ଗ୍ରାମବାସୀ ଓଡ଼ିଆ କହିବାକୁ ଡରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର