ଭୁବନେଶ୍ବର ବ୍ଲକ୍‌ରେ ମତଦାନ ଆଜି: ଭୋଟର୍‌ଙ୍କ ଅପେକ୍ଷାରେ ୨୫୬ ବୁଥ୍‌

ମୋତେ ଭୋଟ ଦିଅ, ମୁଁ ସେବା କରିବି

ପ୍ରଶାସନିକସ୍ତରରେ ପ୍ରସ୍ତୁତି ଶେଷ

ପ୍ରାର୍ଥୀଙ୍କ ଅନ୍ଧାରିବିଜେ, ମନ୍ଦିରରେ ପୂଜାର୍ଚ୍ଚନା

ପୁରୁଣା ଭୁବନେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମଙ୍ଗଳବାର ଚତୁର୍ଥ ପର୍ଯ୍ୟାୟ ମତଦାନ ହେବାକୁ ଥିବା ବେଳେ ଭୁବନେଶ୍ବର ବ୍ଲକ୍‌‌ ଅଞ୍ଚଳ‌ରେ ପ୍ରଶାସନିକସ୍ତରରେ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ବ୍ଲକ୍‌ ଅଧୀନ ୨୦ଟି ପଞ୍ଚାୟତର ସମୁଦାୟ ୧ଲକ୍ଷ ୧ ହଜାର ୪୯ଜଣ ଭୋଟର୍‌ ୨୫୬ଟି ବୁଥ୍‌ରେ ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ। ପ୍ରତି ବୁଥ୍‌ରେ ୪ଜଣିଆ ପୋଲିଂ ଟିମ୍‌ ନିୟୋଜିତ ହୋଇଛନ୍ତି। ପୁଲିଂ ଅଧିକାରୀମାନେ ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ କରିବାକୁ ପୂରା ପ୍ରସ୍ତୁତ ହୋଇଛନ୍ତି।

ମତଦାନ କେନ୍ଦ୍ରଗୁଡ଼ିକରେ ଧାଡ଼ିରେ ଛିଡ଼ା ହେବାକୁ ଥିବା ଲୋକ ଯେପରି ଛାଇରେ ରହିବେ, ପିଇବା ପାଣିର ବନ୍ଦୋବସ୍ତ, କେଉଁଠି ପୁଲିଂ ଓ ପ୍ରିଜାଇଡିଂ ଅଧିକାରୀ ବସିବେ, କିଏ ହାତରେ କାଳି ଲଗାଇବେ, କିଏ ତାଲିକା ଥିବା ନାମ ସହ ମତଦାତାଙ୍କ ନାମ ମିଳାଇବେ, କେଉଁଠି ବିଭିନ୍ନ ଦଳର ଏଜେଣ୍ଟମାନେ ବସିବେ, ଭୋଟ୍‌ ଦେବାକୁ ଥିବା ସ୍ଥାନକୁ ଚାରିଆଡ଼ୁ ଆବଦ୍ଧ କରିବା, ଆବଶ୍ୟକ ଭୋଟ୍‌ ବାକ୍ସ ଯାଞ୍ଚ କରି ରଖିବା ଭଳି କାର୍ଯ୍ୟ ସବୁ ଆଜିଠାରୁ ପୁଲିଂ ଅଧିକାରୀମାନେ ଶେଷ କରିଛନ୍ତି। ନିର୍ବାଚନକୁ ଅବାଧ ଓ ନିରପେକ୍ଷ ତଥା ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ପାଇଁ ପୁଲିସ ପାଟ୍ରୋଲିଂ କରିବା ସହ ସବୁ ଭୋଟ୍‌ ଗ୍ରହଣ କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସେହିପରି ସମ୍ବେଦନଶୀଳ ଓ ଅତ୍ୟଧିକ ସମ୍ବେଦନଶୀଳ କେନ୍ଦ୍ରଗୁଡ଼ିକ ଉପରେ ପୁଲିସ କଡ଼ା ନଜର ରଖିଛି।

ଅପରପକ୍ଷେ, ଗତକାଲିଠୁ ପ୍ରଚାର ସରିଥିଲେ ମଧ୍ୟ ପ୍ରାର୍ଥୀମାନେ ଆଜି କିଛି ଅଞ୍ଚଳରେ ଘରକୁ ଘର ବୁଲି ଲୋକଙ୍କୁ ଭୋଟ୍‌ ଭିକ୍ଷା କରିଥିବା ଜଣାଯାଇଛି। ଏହାସହ ନିର୍ବାଚନ ବୈତରଣୀ ପାର୍‌ ହେବା ପାଇଁ ବିଭିନ୍ନ ମନ୍ଦିରରେ ମଧ୍ୟ ପୂଜାର୍ଚ୍ଚନା କରିଥିବା ଜଣାଯାଇଛି। ଆଉ କିଛି ପ୍ରାର୍ଥୀ ମଙ୍ଗଳବାର ସକାଳୁ ପୂଜାର୍ଚ୍ଚନା କରିବା ସହ ବିଭିନ୍ନ ସ୍ଥାନରେ ଅଖଣ୍ଡ ଦୀପ ଜାଳିବାକୁ ନିଷ୍ପତ୍ତି ନେଇଛନ୍ତି।

କମିସନରେଟ୍‌ ପୁଲିସର କଡ଼ା ସୁରକ୍ଷା ବ୍ୟବସ୍ଥା

ସୀମା ସିଲ୍‌ ସହ ରାତି ଚେକିଂ, ବ୍ଲକିଂ

୧୨୯ ସମ୍ବେଦନଶୀଳ ବୁଥ୍‌ରେ ସ୍ବତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନକୁ ନେଇ ସାରା ରାଜ୍ୟରେ ହିଂସା ଦେଖାଦେଉଥିବା ବେଳେ ରାଜଧାନୀ ଉପକଣ୍ଠରେ ପଞ୍ଚାୟତ ନିର୍ବାଚନକୁ ନେଇ ରାଜଧାନୀ ରାଜନୀତି ସରଗରମ ରହିଛି। ନିର୍ବାଚନୀ ମଇଦାନ୍‌ରେ ପତିଆରା ଜାହିର ପାଇଁ ପ୍ରତିଦ୍ବନ୍ଦୀଙ୍କ ମଧ୍ୟରେ ଛକାପଞ୍ଝା ଦେଖାଦେଇଛି। ରାଜଧାନୀର ୬୮ଟି ପଞ୍ଚାୟତ ମଧ୍ୟରୁ କିଛି ପଞ୍ଚାୟତରେ ମତଦାନ ଶେଷ ହୋଇଥିବାବେଳେ ଆଉ କିଛି ଚତୁର୍ଥ ଓ ଅନ୍ତିମ ପର୍ଯ୍ୟାୟରେ ଶେଷ ହେବ। ‌ମୋଟ୍‌ ୯୩୫ଟି ବୁଥରେ ନିର୍ବାଚନ ମତଦାନ ଲାଗି ପୁଲିସ ପ୍ରସ୍ତୁତ ରହିଛି। ସେଥିମଧ୍ୟରେ ୧୨୯ଟି ସମ୍ବେଦନଶୀଳ ବୁଥ୍‌ ରହିଛି। ତେବେ ପଞ୍ଚାୟତ ନିର୍ବାଚନ ରାଜଧାନୀ ଉପକଣ୍ଠ ଭୁବନେଶ୍ବର ବ୍ଲକ ଓ ବାଲିପାଟଣା ବ୍ଲକର ୫୦୧ଟି ବୁଥ୍‌ରେ ମତଦାନ ହେବ।

ନିର୍ବାଚନ ପୂର୍ବରୁ ଏବଂ ନିର୍ବାଚନ ସମୟରେ ଯେଭଳି କୌଣସି ଅପ୍ରୀତିକର ପରିସ୍ଥିତି ନଉପୁଯେ ଏହାକୁ କମିସନରେଟ୍‌ ପୁଲିସ ଗୁରୁତର ସହ ନେଇଛି। ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବା ପାଇଁ ପୁଲିସ ସଜାଗ ରହିଛି। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ନିର୍ବାଚନ ହେବାକୁ ଥିବା ଅଞ୍ଚଳ ଗୁଡ଼ିକରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯିବା ସହ ସୀମାକୁ ସିଲ୍‌ କରାଯାଇଛି। ସେହିପରି ବିଭିନ୍ନ ସ୍ଥାନରେ ବ୍ଲକିଂ, ଚେକିଂକୁ କଡ଼ାକଡ଼ି କରାଯାଇଛି। ୪୯ଟି ପାଟ୍ରୋଲିଂ ୟୁନିଟକୁ ଆଲର୍ଟ କରାଯାଇଛି। ପାଟ୍ରୋଲିଂ ସହ ସ୍ପେସାଲ ଫୋର୍ସ ଥାନାରେ ପ୍ରସ୍ତୁତ ରଖାଯାଇଛି। ସେହିପରି ସମ୍ବେଦନଶୀଳ ବୁଥ୍‌ ଗୁଡ଼ିକ ଉପରେ ହାଇ ଆଲର୍ଟ ଜାରି କରାଯିବା ସହ ସ୍ବତନ୍ତ୍ର ପୁଲିସ ଟିମ୍‌କୁ ମୁତୟନ କରାଯାଇଛି। ଏହାଛଡ଼ା ଆଜି ବୁଥ୍‌ ଗୁଡ଼ିକରେ ପୁଲିସ ଫ୍ଲାଗ ମାର୍ଚ୍ଚ କରିଛି।

ସମ୍ବନ୍ଧିତ ଖବର