ଆଜି ଭୋଟ: ଟଙ୍କା ବାଣ୍ଟିବା ବେଳେ ଧରାପଡ଼ିଲେ ୨ ମହିଳା

ବାଲିଅନ୍ତା:ରାତି ପାହିଲେ ବାଲିଅନ୍ତା ବ୍ଲକର ୧୬ ପଞ୍ଚାୟତରେ ମତଦାନ ହେବ। ମୋଟ ୮୮ ହଜାର ୨୮ ଭୋଟର ୫୪୪ ସରପଞ୍ଚ, ସମିତି ସଭ୍ୟ, ୱାର୍ଡ଼ ସଭ୍ୟ ଏବଂ ୧୫ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ବେଶ କିଛିଦିନ ଧରି କାନଫଟା ପ୍ରଚାର ଶବ୍ଦରେ ଫାଟି ପଡ଼ୁଥିବା ଗାଁ ଗଳି କନ୍ଦି ଆଜି ନିଃସ୍ତବ୍ଧ ହୋଇପଡ଼ିଛି। ପ୍ରଚାର ସିନା ସରିଯାଇଛି ହେଲେ ସଂଧ୍ୟାରୁ ପ୍ରାର୍ଥୀଙ୍କ ପ୍ରକୃତ ଘୋଡ଼ା ବେପାର ଆରମ୍ଭ ହୋଇଯାଇଛି। ପ୍ରଚାର ସମୟୟରେ ସମର୍ଥନ କରୁଥିବା ଭୋଟର ଶେଷ ସମୟରେ ଅନ୍ୟ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ସ୍ଥିର କରୁଥିବାରୁ ପ୍ରାର୍ଥୀଙ୍କୁ ନାକେଦମ ହେବାକୁ ପଡୁଛି। ତେଣୁ ପ୍ରାର୍ଥୀଙ୍କ ଏବେ ଅନ୍ଧାରିବିଜେ ଚାଲିଛି। ଭୋଟରଙ୍କୁ ନେଇ ଘୋଡ଼ାବେପାର କରାଯାଉଛି।

ପ୍ରାର୍ଥୀମାନେ ଘର ଘର ବୁଲି କଳବଳ ଖଟାଇ ଭୋଟରଙ୍କୁ ଆପଣାଇବାକୁ ଚେଷ୍ଟା କରୁଛନ୍ତି। ବାଲିଅନ୍ତା ବ୍ଲକ ଅଧୀନ ଉମାଦେଇ ବ୍ରହ୍ମପୁର ପଞ୍ଚାୟତ ଅଧୀନ ଯଶୁଆପୁର ଗ୍ରାମରେ ସଂଧ୍ୟାରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି। ପଞ୍ଚାୟତ ମହିଳା କମିଟିର ଜଣେ ପ୍ରମୁଖ ସଦସ୍ୟ ଯଶୁଆପୁର ଗ୍ରାମକୁ ଟଙ୍କା ବାଣ୍ଟିବାକୁ ଯାଇ ଗ୍ରାମବାସୀଙ୍କ ହାତରେ ଧରାପଡ଼ିବା ପରେ ଗ୍ରାମରେ ଉତ୍ତେଜନା ଦେଖାଦେଇଥିଲା। ଦୁଇ ମହିଳାଙ୍କୁ ଅଟକ ରଖି ପୁଲିସକୁ ଖବର ଦିଆଯାଇଥିଲା। ବାଲିଅନ୍ତା ଥାନା ପୁଲିସ ଏବଂ ପାଟ୍ରୋଲିଂ ଦାୟିତ୍ବରେ ଥିବା ମୋବାଇଲ ପୁଲିସ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ନିରବ ରହିବା ପରେ ଉତ୍ତେଜନା ବଢ଼ିବାରେ ଲାଗିଥିଲା। ପୁଲିସ ଟଙ୍କା ଜବ କରି ମହିଳାଙ୍କୁ ଛାଡ଼ି ଦେଇଥିବାରୁ ଲୋକଙ୍କ ପ୍ରଶ୍ନବାଣରେ ପୁଲିସ ଘାଇଲା ହୋଇଥିଲା। ପଡ଼ୋଶୀ ଗ୍ରାମର ମହିଳା ଦ୍ବୟ ଟଙ୍କା ବିଡ଼ା ନେଇ କାହିଁକି ଆସିଥିଲେ ବୋଲି ସ୍ଥାନୀୟ ଲୋକ ପୁଲିସକୁ ପ୍ରଶ୍ନ କରିଥିଲେ।

ଭୋଟ ପାଇଁ ଟଙ୍କା ବାଣ୍ଟୁଥିବା ମହିଳାଙ୍କୁ ଗିରଫ କରିବା ପାଇଁ ଦାବି କରିଥିଲେ। ଶେଷରେ ପୁଲିସ ସେମାନଙ୍କୁ ଥାନାକୁ ନେଇ ଅଟକ ରଖି ପଚରାଉଚରା କରୁଛି। ଉଭୟ ମହିଳାଙ୍କଠାରୁ ୨୯ ହଜାର ୫୦୦ ଟଙ୍କା ଜବତ କରାଯାଇଥିବା ଜଣେ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି। ଗିରଫ ମହିଳା ଦ୍ବୟ ହେଲେ ସ୍ଥାନୀୟ ଟଙ୍କପାଣି ଗ୍ରାମର ସୁକୁମାରୀ ସାହୁ ଏବଂ ହୀରାପୁର ଗ୍ରାମର ସରୋଜିନୀ ମିଶ୍ର। ଘଟଣାସ୍ଥଳରେ ଆଉ ଗୋଟିଏ ଭ୍ୟାନିଟ ବ୍ୟାଗରେ ଥିବା ଟଙ୍କା ଗାଏବ ହୋଇଯାଇଥିବା ଗ୍ରାମବାସୀ କହିଛନ୍ତି। ସମର୍ଥିତ ସରପଞ୍ଚ ଏବଂ ସମିତି ସଭ୍ୟଙ୍କ ଲାଗି ମହିଳା ଟଙ୍କା ବାଣ୍ଟିବାକୁ ପାଖାପାଖି ଦୁଇଟି ଗ୍ରାମର ମହିଳା ଯାଇଥିଲେ।

ମହିଳାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସୁକୁମାରୀ ଏବଂ ସରୋଜିନୀ ଭ୍ୟାନିଟ ବ୍ୟାଗରେ ଟଙ୍କା ଏବଂ ନକଲି ବାଲାଟ ପେପର ନେଇ ଯଶୁଆପୁର ଗ୍ରାମକୁ ଯାଇଥିଲେ। ବାହାର ଗ୍ରାମର ମହିଳାଙ୍କୁ ଦେଖି ଗ୍ରାମବାସୀଙ୍କର ସନ୍ଦେହ ହୋଇଥିଲା। ଲୋକମାନେ ଦୁହିଁଙ୍କୁ ପିଛା କରିଥିଲେ। ମହିଳାମଣ୍ଡଳ ସଦସ୍ୟାଙ୍କୁ ଟଙ୍କା ବାଣ୍ଟିବା ବେଳେ କାବୁ କରିଥିଲେ। ପୁଲିସ ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ବିଭିନ୍ନ ପ୍ରାର୍ଥୀଙ୍କ ସମର୍ଥିତ ଯୁବକମାନଙ୍କ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଯାଇଛି। ବିଭିନ୍ନ ପ୍ରାର୍ଥୀଙ୍କ ସମର୍ଥିତ ଗୋ‌ଷ୍ଠୀ ଗାଁ ଭିତରକୁ ପଶି ଯେମିତି ଟଙ୍କା ନବାଣ୍ଟନ୍ତି ସେନେଇ ପୁଲିସ ଜଗିଛି। ରାତି ତମାମ ଏମିତି ଛକାପଞ୍ଝା ଚାଲିଥିବା ବେଳେ ଆସନ୍ତା କାଲି ସକାଳେ ଭୋଟରମାନେ ପ୍ରାର୍ଥୀ ନିର୍ଣ୍ଣୟ କରିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର