ବାଲେଶ୍ୱର: ଆଜି ଜୁନ୍ ମାସ ୧୪ ତାରିଖ ପବିତ୍ର ରଜ ସଂକ୍ରାନ୍ତି। ବାଲେଶ୍ବର ମାଟିର କ୍ରାନ୍ତିପୁରୁଷ ବ୍ୟାସକବି ଫକୀରମୋହନ ସେନାପତିଙ୍କର ପୁଣ୍ୟତିଥି ଓ ବିଶ୍ବ ରକ୍ତଦାତା ଦିବସ ଅବସରରେ ଜିଲ୍ଲାର ସମସ୍ତ ରକ୍ତଦାତା ଭାଇଭଉଣୀ ଓ ରକ୍ତଦାନ ଶିବିର ଆୟୋଜକ ବନ୍ଧୁମାନଙ୍କୁ ସଶ୍ରଦ୍ଧ ନମସ୍କାର।
ଆଜି ବାଲେଶ୍ବର ରକ୍ତଦାନ କ୍ଷେତ୍ରରେ ଏକ ଅଗ୍ରଣୀ ଜିଲ୍ଲା। ରକ୍ତଦାତା ଓ ଶିବିର ଆୟୋଜକମାନଙ୍କର ଅକୁଣ୍ଠ ସେବା, ସମର୍ଥନ ପାଇଁ ଏହା ସମ୍ଭବ ହୋଇପାରିଛି। ଆଜି ଭଳି ଦିନରେ ମୁଁ ମୋର ଛାତ୍ର ଜୀବନର ଏକ ଛୋଟ ଘଟଣାକୁ ଅବତାରଣା କରିବା ପାଇଁ ଉଚିତ ମନେ କରୁଛି। ୧୯୭୭ ମସିହାର ଏକ ଘଟଣା ଜଣେ ରକ୍ତଦାତା ଭାବେ ପରିଣତ କରିବା ପାଇଁ ମତେ ପ୍ରେରଣା ଯୋଗାଇଥିଲା। ଭୁବନେଶ୍ବର ବିଜେବି କଲେଜରେ ଦ୍ବିତୀୟ ବର୍ଷ ଆଇଏ ପଢ଼ିବା ସମୟରେ ବନ୍ଧୁ କ୍ରିକେଟ୍ ଖେଳାଳି ଭବାନୀ ଦାସଙ୍କ ମୁଣ୍ଡରେ କ୍ରିକେଟ୍ ବଲ୍ ବାଜି ରକ୍ତ କ୍ଷରଣ ହୋଇଥିଲା। ପରବର୍ତ୍ତୀ ସମୟରେ ରକ୍ତ ପାଇବାରେ ବିଳମ୍ବ ଯୋଗୁଁ ଇହଧାମରୁ ସବୁଦିନ ପାଇଁ ବିଦାୟ ନେଇଥିଲେ ଭବାନୀ। ରକ୍ତ ଅଭାବରୁ ବନ୍ଧୁ ଭବାନୀଙ୍କ ଦେହାନ୍ତ ମୋ’ ମନରେ ଗଭୀର ରେଖାପାତ କରିଥିଲା। ସେହିଦିନଠାରୁ ନିୟମିତ ବ୍ୟବଧାନରେ ନିଜେ ରକ୍ତଦାନ କରିବା ସହ ରକ୍ତଦାନ ଶିବିର ଆୟୋଜନ କରିଆସୁଛି। ବାଲେଶ୍ବରକୁ କର୍ମକ୍ଷେତ୍ର ହିସାବରେ ବାଛିନେଲା ପରେ ଜିଲ୍ଲାରେ ରକ୍ତଦାନ ଆନ୍ଦୋଳନର ସଂଯୋଜକ ହିସାବରେ ଅନେକ ମିଶ୍ର ଅନୁଭୂତି ସାଉଁଟିଛି। ଜିଲ୍ଲାର ବିଭିନ୍ନ ପ୍ରାନ୍ତରରେ ରକ୍ତଦାନ ଶିବିର ଆୟୋଜନ ଓ ରକ୍ତଦାନ ପାଇଁ ସଚେତନତା ସୃଷ୍ଟି କରିବା ଦିଗରେ ବିଶିଷ୍ଟ ସମାଜସେବୀ ହୋସେନ୍ ଚାଚା, ଡ.ଶାନ୍ତନୁ କୁମାର ଦାସ ଓ ତତ୍କାଳୀନ ରକ୍ତଭଣ୍ଡାର ଅଧିକାରୀ ଡା.ଅଜୟ କୃଷ୍ଣ ସାମଲଙ୍କର ସହଯୋଗ, ପ୍ରେରଣା ପାଇଁ ଆଜି ବାଲେଶ୍ବର ଜିଲ୍ଲା ରକ୍ତଭଣ୍ଡାର ସମୃଦ୍ଧ ହୋଇପାରିଛି।
ରକ୍ତଦାନକୁ ଓଡ଼ିଶାର ପୁରପଲ୍ଲୀରେ ପହଞ୍ଚାଇ ଏହାକୁ ଏକ ଗଣ ଆନ୍ଦୋଳନର ରୂପ ଦେଇଥିବା ଦୈନିକ ଖବରକାଗଜ ‘ସମ୍ବାଦ’ର ପ୍ରତିଷ୍ଠାତା ସୌମ୍ୟରଞ୍ଜନ ପଟ୍ଟନାୟକ ଏ କ୍ଷେତ୍ରରେ ଏକ ଶ୍ରଦ୍ଧାଶୀଳ ଉଚ୍ଚାରଣ। ୧୯୯୬ ମସିହା ଜୁଲାଇ ୧୭ ତାରିଖରେ ତାଙ୍କ ଦ୍ବାରା ଗଠିତ ‘ଆମ ଓଡ଼ିଶା’ ସଙ୍ଗଠନ ଆଜି ଓଡ଼ିଶାର ୩୧୪ଟି ବ୍ଲକ୍ରେ ନିୟମିତ ଶିବିରମାନ ଆୟୋଜନ କରି କେତେ ଯେ ଜୀବନ ବଞ୍ଚାଉଛି, ତାକୁ ଯେତେ ପ୍ରଶଂସା କଲେ ମଧ୍ୟ କମ୍ ହେବ। ‘ଆମ ଓଡ଼ିଶା’ର ଏହି ଗଣ ଆନ୍ଦୋଳନରେ ବାଲେଶ୍ବର ଜିଲ୍ଲା ମଧ୍ୟ ସାମିଲ ହୋଇ ରକ୍ତଦାନ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛି। ୨୦୦୪ ମସିହାରେ ବାଲେଶ୍ବର ଜିଲ୍ଲା ରକ୍ତଦାତା ସଂଘ ଗଠନ ହୋଇଥିବା ବେଳେ ନେତାଜୀ ଜୟନ୍ତୀରେ ଜିଲ୍ଲା ହାଇସ୍କୁଲରେ ଏକ ମେଗା ରକ୍ତଦାନ ଶିବିରରୁ ୧୦୦୦ରୁ ଅଧିକ ୟୁନିଟ୍ ରକ୍ତ ସଂଗ୍ରହ ହୋଇ ରେକର୍ଡ ସୃଷ୍ଟି ହୋଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ରକ୍ତଭଣ୍ଡାର ଅଧିକାରୀ ଡା. ମହେଶ କୁମାର ବିଶ୍ୱାଳ, ଡା.ବସନ୍ତ ଉପାଧ୍ୟାୟଙ୍କ ସଫଳ ଚେଷ୍ଟା ଓ ନିଷ୍ଠାପର ଉଦ୍ୟମ ଫଳରେ ବାଲେଶ୍ବର ଜିଲ୍ଲା ରକ୍ତଦାନ କ୍ଷେତ୍ରରେ ଏକ ଅଗ୍ରଣୀ ଜିଲ୍ଲା ଭାବେ କ୍ରମାଗତ ଭାବେ ରାଜ୍ୟସ୍ତରରେ ପୁରସ୍କୃତ ହୋଇଆସୁଛି। ୨୦୨୦ ମସିହା କୋଭିଡ୍ ସମୟରେ ଆମ ଜିଲ୍ଲାରେ ୩୬୪ଟି ଶିବିରରୁ ୨୩୦୦୩ ୟୁନିଟ୍ ରକ୍ତ ସଂଗ୍ରହ ହେବା ଏକ ସର୍ବକାଳୀନ ରେକର୍ଡ। ୨୦୨୧ ମସିହାରେ ନୀଳଗିରି ରକ୍ତଭଣ୍ଡାର ଓ ବାଲେଶ୍ବର ରକ୍ତଭଣ୍ଡାର ମିଳିତ ଭାବରେ ୪୧୭ଟି ଶିବିର ଓ ୨୬୦୦୦ ରୁ ଅଧିକ ୟୁନିଟ୍ ରକ୍ତ ସଂଗ୍ରହ କରିବା ଏକ ଗୌରବର ବିଷୟ। ଆମ ଜିଲ୍ଲାରେ ରକ୍ତ ଚାହିଦାର ପାଖାପାଖି ୯୬% ରୁ ୯୮% କେବଳ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଯୋଗେ ଭରଣା ହେଉଥିବା ଏକ ଉଲ୍ଲେଖନୀୟ ଘଟଣା। ଏ ଦିଗରେ ଜିଲ୍ଲା ରକ୍ତଦାତା ସଂଘର ସମସ୍ତ କର୍ମକର୍ତ୍ତା, ଆଜୀବନ ସଦସ୍ୟ ଓ ଉପଦେଷ୍ଟା ମଣ୍ଡଳୀଙ୍କର କାର୍ଯ୍ୟ ପ୍ରଶଂସନୀୟ।
ଜିଲ୍ଲାରେ ୧୨ଟି ବ୍ଲକ ଓ ୫ଟି ପୌରସଂସ୍ଥା ଥିବାବେଳେ ଆମ ସଂଗଠନର ଶାଖା ଜଳେଶ୍ବର, ଭୋଗରାଇ, ବସ୍ତା, ବାଲିଆପଳ, ନୀଳଗିରି ମଧ୍ୟରେ ସୀମିତ ରହିଛି। ଆଗାମୀ ଦିନରେ ଅନ୍ୟ ସମସ୍ତ ବ୍ଲକ୍ରେ ଶାଖାମାନ ଗଠନ କରାଯାଇ ପ୍ରତ୍ୟେକ ପରିବାରରୁ ଅତି କମ୍ରେ ଜଣେ ଲେଖାଏ ରକ୍ତଦାତା ସୃଷ୍ଟି କରିବାକୁ ହେବ। ଜିଲ୍ଲାବାସୀଙ୍କର ଦୀର୍ଘଦିନର ଦାବି ରକ୍ତ ପୃଥକୀକରଣ କେନ୍ଦ୍ର କାର୍ଯ୍ୟକ୍ଷମ ହେବା ସଭିଁଙ୍କ ମନରେ ଆଶା ସଞ୍ଚାର କରିଛି। କିନ୍ତୁ ପରିତାପର ବିଷୟ ବସ୍ତା, ଜଳେଶ୍ବର, ସୋର, ଭୋଗରାଇ ଓ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରକ୍ତ ସଂରକ୍ଷଣର ବ୍ୟବସ୍ଥା ଥିଲେ ମଧ୍ୟ ତାହା ଏଯାବତ କାର୍ଯ୍ୟକ୍ଷମ ହୋଇ ପାରିନାହିଁ। ଆଗାମୀ ଦିନରେ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଫକୀରମୋହନ ଭେଷଜ ମହାବିଦ୍ୟାଳୟ, ଏମ୍ସ ସାଟେଲାଇଟ୍ କେନ୍ଦ୍ର ଆଦି ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲେ ରକ୍ତର ଚାହିଦା ବର୍ତ୍ତମାନ ଚାହିଦାଠାରୁ ଦୁଇରୁ ତିନିଗୁଣ ଆବଶ୍ୟକ ପଡ଼ିବ। ଏଥିପାଇଁ ଏବେଠାରୁ ଆମ ସମସ୍ତଙ୍କୁ ସଚେତନ ହେବାକୁ ପଡ଼ିବ। ସର୍ବଶେଷରେ ସନ୍ଥକବି ଭୀମଭୋଇଙ୍କ ଭାଷାରେ, “ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ, ଦେଖୁ ଦେଖୁ କିବା ସହୁ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ”; ଏହି ବାଣୀକୁ ପାଥେୟ କରି ଆମ ଜିଲ୍ଲାରେ ରକ୍ତ ବିନା ଜଣେ କେହି ନ ମରନ୍ତୁ, ଆଜିର ଦିବସରେ ଏହା ହିଁ କାମନା।
କମଳ ଚକ୍ରବର୍ତ୍ତୀ, ସଭାପତି, ବାଲେଶ୍ବର ଜିଲ୍ଲା, ରକ୍ତଦାତା ସଂଘ