ଆଜି ବିଶ୍ବ ହସ୍ତୀ ଦିବସ: ହାତୀ ସମସ୍ୟା ନା ସଂପଦ?

ମହଙ୍ଗା ପଡ଼ିଲା ଜଙ୍ଗଲ ନଷ୍ଟ, ହାତୀ-ମଣିଷ ଲଢେଇ ବଢ଼ୁଛି

ଭବାନୀ ଶଙ୍କର ତ୍ରିପାଠୀ
ଭୁବନେଶ୍ବର: ୧୯୯୦ରୁ ୨୦୦୦ ମଧ୍ୟରେ ରାଜ୍ୟରେ ବର୍ଷକୁ ହାରାହାରି ୩୩ ହାତୀଙ୍କର ମୃତ୍ୟୁ ହେଉଥିଲା। ୨୦୦୦ରୁ ୨୦୧୦ ମଧ୍ୟରେ ଏହି ସଂଖ୍ୟା ୪୬ ଛୁଇଁଲା। ୨୦୧୦ରୁ ୨୦୨୦ ମଧ୍ୟରେ ଫି ବର୍ଷ ୭୭ଟି ହାତୀଙ୍କର ମୃତ୍ୟୁ ଘଟିଛି। ପୂର୍ଣ୍ଣାଙ୍ଗ ରିପୋର୍ଟ ଆସିଲେ, ଏହି ସଂଖ୍ୟା ବଢିପାରେ। ଏତିକି ପରିସଂଖ୍ୟାନ ହିଁ ସୂଚାଇ ଦେଉଛି ଯେ ରାଜ୍ୟରେ ହାତୀଙ୍କ ପ୍ରତି କେତେ ଭୟଙ୍କର ବେଗରେ ବିପଦ ମାଡ଼ିଆସୁଛି। ଅନ୍ୟପକ୍ଷରେ ବେଶି ଦୂରକୁ ନ ଯାଇ ୨୦୧୧-୧୨ରୁ ୨୦୧୮-୧୯ର ଅନ୍ୟ ଏକ ପରିସଂଖ୍ୟାନକୁ ଓଲଟାଇ ଦେଖିଲେ, ଆହୁରି ବିପଜ୍ଜନକ ଚିତ୍ର ସାମ୍ନାକୁ ଆସୁଛି। ତାହା ହେଲା, ହାତୀ ଲାଗି ମଣିଷର ଜୀବନ ପ୍ରତି ବି କିଛି କମ୍ ବିପଦ ସୃଷ୍ଟି ହୋଇନାହିଁ। ମାତ୍ର ୮ବର୍ଷର ଚିତ୍ର ଦର୍ଶାଉଛି ଯେ ୫୬୮ ଜଣ ମଣିଷଙ୍କୁ ରାଜ୍ୟର ବିଭିନ୍ନ ସ୍ଥାନରେ ହାତୀ ଦଳି ମାରିଛନ୍ତି। ୩୩୬ ଜଣ ଆହତ ମଧ୍ୟ ହୋଇଛନ୍ତି। ୭ହଜାର ୮୬୦ଜଣଙ୍କର ଘର ଭାଙ୍ଗି ବିପର୍ଯ୍ୟୟ ମୁହଁକୁ ଠେଲି ଦେଇଛନ୍ତି ହାତୀ। କେବଳ ସେତିକି ନୁହେଁ, ୯୭ ହଜାର ୫୮୦ ଏକର ଚାଷ ଜମିକୁ ଦଳି ଚକଟି ହାତୀ ନଷ୍ଟ କରିଛନ୍ତି, ଯାହାଦ୍ବାରା ୧ଲକ୍ଷ ୯୮ ହଜାର ୧୬୬ ଲୋକ ପ୍ରଭାବିତ ହୋଇଛନ୍ତି। ଏସବୁ ବାବଦରେ ୧୩କୋଟି ୩୧ଲକ୍ଷ ଟଙ୍କା ସରକାର କ୍ଷତିପୂରଣ ଦେଇଛନ୍ତି ସତ, ହେଲେ ଅନେକ ପରିବାର ଉଜୁଡି ଯାଇଛି, ଯାହାର ମୂଲ୍ୟ ଅମୂଲ୍ୟ।

୧୪ କରିଡର, ୩ହାତୀ ରିଜର୍ଭକୁ ଆଇନଗତ ସ୍ବୀକୃତି ନାହିଁ
ନୂଆ ଦୁଇ ହାତୀ ରିଜର୍ଭ ପ୍ରସ୍ତାବ ବି କାଗଜପତ୍ରରେ

ଉଭୟ ପରିସଂଖ୍ୟାନ କେଉଁଠି ନା କେଉଁଠି ସଙ୍କେତ ଦେଉଛି ଯେ ହାତୀ ଓ ମଣିଷ ମଧ୍ୟରେ ଲଢେଇ ଭୀଷଣ ରୂପ ଧାରଣ କରିସାରିଲାଣି। ମଣିଷ ନିଜକୁ ସୁରକ୍ଷିତ ରଖିବା ଲାଗି ଏହି ସମୟ ମଧ୍ୟରେ ୩୨ଟି ହାତୀକୁ ଶିକାର କରିଛି। ୧୦ଟି ହାତୀ ବିଷପାନ କାରଣରୁ ପ୍ରାଣ ହରାଇଛନ୍ତି। ବିଦ୍ୟୁତ ସଂସ୍ପର୍ଶରେ କାରଣରୁ ୪୨ ହାତୀଙ୍କର ଛଟପଟ ହୋଇ ଜୀବନ ଯାଇଛି। ଏଭଳି ଢଙ୍ଗରେ ମରିଥିବା ପାଖାପାଖି ୮୦୦ ହାତୀଙ୍କ ଜୀବନ ବି ଦୁର୍ମୂଲ୍ୟ। ହେଲେ ଉଭୟ ହାତୀ ଓ ମଣିଷ ପ୍ରତି ଦେଖାଦେଇଥିବା ଏଭଳି ସଙ୍କଟ ପାଇଁ ଦାୟୀ କିଏ? ହାତୀ ଗୋଟିଏ ସମସ୍ୟା ନା ସଂପଦ? କିଏ କାହା ଜାଗା ମାଡି ବସୁଛି? ହାତୀ ମଣିଷର ନା ମଣିଷ ହାତୀର?

ବୁଦ୍ଧିଜୀବୀଙ୍କ ଠାରୁ ଆରମ୍ଭ କରି ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ମଧ୍ୟରେ ଏଭଳି କିଛି ପ୍ରଶ୍ନକୁ ନେଇ ବିତର୍କ ଜୋର ଧରିଲାଣି। ଅନ୍ୟପକ୍ଷରେ ଆଉ କେତେ ହାତୀ-ମଣିଷ ମଲେ, ରାଜ୍ୟ ସରକାରଙ୍କ ବନ ବିଭାଗ ଏହାକୁ ଗୋଟିଏ ପ୍ରମୁଖ ପ୍ରସଙ୍ଗ ବୋଲି ବିଚାର କରିବ? ଏଭଳି ପରିସ୍ଥିତି ପାଇଁ କଣ ହାତୀ ଦାୟୀ? ନା ରାଜ୍ୟ ସରକାରଙ୍କ ଅପରିଣାମଦର୍ଶୀ ନିଷ୍ପତ୍ତି, ଯୋଜନା ବିହୀନ କାର୍ଯ୍ୟକ୍ରମ, ବନ ବିଭାଗର ଉଦାସୀନତାକୁ ଦୋଷ ଦିଆଯିବ?

ଗୋଟିଏ ସମୟରେ ସମ୍ରାଟ ଖାରବେଳଙ୍କର ଗଜବାହିନୀ ଥିଲା। ଓଡ଼ିଶା ଥିଲା ହାତୀବହୁଳ ରାଜ୍ୟ। ଓଡ଼ିଶାର ସେନାବାହିନୀରେ ହାତୀ ଥିଲେ ପ୍ରମୁଖ ଯୋଦ୍ଧା। ତାଙ୍କ ମୁଖିଆ ହିସାବରେ ଆଜି ବି ପୁରୀ ରାଜାଙ୍କୁ ଗଜପତି ବୋଲି କୁହାଯାଉଛି। ଉଦୟଗିରି ମଧ୍ୟ ଓଡ଼ିଶାରେ ହାତୀଙ୍କର ଉପସ୍ଥିତି ସଂପର୍କରେ ବର୍ଣ୍ଣନା କରେ। ହେଲେ ଆଜି ଦିନରେ ହାତୀଙ୍କ ସଂଖ୍ୟା ୧୯୭୬ (୨୦୧୭ ଗଣନା)ପର୍ଯ୍ୟନ୍ତ ଖସିଆସିଛି ଓ ସେମାନଙ୍କ ଆବାସସ୍ଥଳୀ ଏବେ ମଣିଷ ସମାଜର ତଥାକଥିତ ବିକାଶର ଛାଇ ତଳେ ବିପଦ ଘେରକୁ ଚାଲିଯାଇସାରିଲାଣି। ଯେଉଁ ସରକାର ପ୍ରତିବର୍ଷ ଶହ ଶହ କିଲୋମିଟର ଜଙ୍ଗଲ ସୃଷ୍ଟି ହେଉଛି ବୋଲି ରିପୋର୍ଟ ଦେଉଛନ୍ତି, ସେହି ସରକାରଙ୍କ ବନ ବିଭାଗ ରିପୋର୍ଟ କହୁଛି ଯେ ଜଙ୍ଗଲ କମିବାରୁ ହାତୀଙ୍କ ଜୀବନ ଏବେ ସଙ୍କଟରେ। ବିଶିଷ୍ଟ ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ଉଦ୍‌ବେଗ ହେଉଛି, ହାତୀ ଦିବସରେ ଅନୁଚିନ୍ତା ଓ କାର୍ଯ୍ୟକ୍ରମ ଭିତରେ ହିଁ ସରକାରଙ୍କର ଏହି ବିଶାଳ ଜୀବ ପ୍ରତି ଦାୟିତ୍ବ ସରିଯାଉଛି। ସରକାର ହେଜିବା କଥା, ଗୋଟିଏ ତିନିରୁ ସାଢେ ତିନି ଟନ୍ ଓଜନର ପ୍ରାଣୀ ଯିବ କୁଆଡେ? ଯେଉଁ ଜଙ୍ଗଲ ସୃଷ୍ଟି ହେଉଛି, ତାହା ହାତୀ ପାଇଁ କେତେଦୂର ଉପଯୋଗୀ? ହାତୀ ପାଇଁ ଦିନକୁ ପ୍ରାୟ ଶହେ ଲିଟର ପାଣି ଦରକାର। ତାକୁ ବି ଯଦି ପୁଷ୍ଟିକର ଖାଦ୍ୟ ନ ମିଳିଲା, ବିଶେଷକରି ପ୍ରୋଟିନ୍, ସୋଡିୟମ୍; ତେବେ ସେ ଜଙ୍ଗଲରେ ରହିବ ନାହିଁ। ବରଂ ଏସବୁ ଯେଉଁଠି ଥିବ, ସେଠାକୁ ଖୋଜି ଖୋଜି ଆସିବ। ତାର ଆବାସସ୍ଥଳୀକୁ କେତେବେଳେ ଲୁହାପଥର ମାଇନିଂ ଆଳରେ ବରବାଦ କରିଦିଆଗଲା ତ ଆଉ କେଉଁଠି ବସତି ସ୍ଥାପନ କରି ଅବା ବିଭିନ୍ନ ପ୍ରକଳ୍ପ, କେନାଲ ଆଦି ଜରିଆରେ ସରକାର ତାର ଘର ଭାଙ୍ଗିଦେଲେ। ସରକାରୀ ବାବୁମାନେ ହିଁ ଜଙ୍ଗଲ କିସମ ବଦଳାଇବା ଲାଗି ଯାବତୀୟ ପେଞ୍ଚ କରିଛନ୍ତି ଓ ସେମାନଙ୍କ ଲାଗି ଆଜି ଉଭୟ ଏବଂ ମଣିଷ ବିପଦରେ। ୧୯୭୯ ମସିହା ମେ’ ବେଳକୁ ରାଜ୍ୟରେ ପାଖାପାଖି ୨୦୪୪ ହାତୀ ଥିଲେ, ଯେତେବେଳେ କି ସେମାନଙ୍କ ଆତଯାତ ମାତ୍ର ୧୭ଟି ଡିଭିଜନ୍ ମଧ୍ୟରେ ସୀମିତ ଥିଲା। ୨୦୧୦ ଏପ୍ରିଲ ବେଳକୁ ସେମାନେ ୩୭ ଡିଭିଜନରେ ଉପସ୍ଥିତି ଜାହିର କରିସାରିଲେଣି। ଆଜି ଦିନର ଚିତ୍ର କହୁଛି, ମାତ୍ର ୪ଟି ଜିଲ୍ଲାକୁ ଛାଡିଦେଲେ, ସବୁ ଜିଲ୍ଲାରେ ହାତୀ ତାର ଖାଦ୍ୟ ଅନ୍ବେଷଣରେ ବୁଲୁଛି। ତଥାପି ସରକାର ଚେତିନାହାନ୍ତି।

ଅନ୍ୟଥା ମହାନଦୀ, ମୟୂରଭଂଜ ଓ ସମ୍ବଲପୁର ଏଭଳି ତିନିଟି ହାତୀ ରିଜର୍ଭର୍ସ କରାଗଲା। କାଗଜପତ୍ର କହୁଛି, ଏହାର ଆକାର ପ୍ରାୟ ୪୧୨୯ ବର୍ଗ କିଲୋମିଟର। ଆଜିଯାଏ ଏହାକୁ ଆଇନଗତ ମାନ୍ୟତା ମିଳିପାରିଲା ନାହିଁ। ମହାନଦୀ ଓ ସମ୍ବଲପୁର ରିଜର୍ଭର୍ସ ଆକାର ବୃଦ୍ଧି କରିବା ଲାଗି ବହୁଦିନରୁ ସୁପାରିସ ହେଲାଣି। ବନ ବିଭାଗର ତଥାକଥିତ କ୍ଷମତାଶାଳୀ ବାବୁମାନଙ୍କ ଆଲୋଚନା, ବୈଠକ ଭିତରେ ଏହା ସୀମିତ। ଏଯାଏ ପ୍ରସ୍ତାବିତ ବ୍ରାହ୍ମଣୀ-ବୈତରଣୀ ଏବଂ ଦକ୍ଷିଣ ଓଡ଼ିଶା ହାତୀ ରିଜର୍ଭସ ନକ୍ସା ପ୍ରସ୍ତୁତ ହୋଇପାରିଲାନି। ବାବୁମାନେ କେତେ କାମ ବ୍ୟସ୍ତ ଯେ ଏସବୁ ପାଇଁ ବର୍ଷ ବର୍ଷ ଲାଗୁଛି?

ଆହୁରି ସାଂଘାତିକ କଥା ହେଲା, ରାଜ୍ୟରେ୧୪ଟି ହାତୀ କରିଡର ବା ହାତୀଙ୍କ ଯାଆସ ରାସ୍ତା ଚିହ୍ନଟ କରାଯାଇଛି। ପାଖାପାଖି ୪୨୧ କିଲୋମିଟର ଦୀର୍ଘ ଏହି କରିଡର ୮୭୦ ବର୍ଗ କିଲୋମିଟର ଅଞ୍ଚଳରେ ପରିବ୍ୟାପ୍ତ। ଏମଧ୍ୟରୁ ଆନ୍ତଃରାଜ୍ୟ କରିଡର ୪ଟି, ଆନ୍ତଃ ଜିଲ୍ଲା ୬ଟି ଏବଂ ଜିଲ୍ଲା ଭିତରେ ୪ଟି କରିଡର ରହିଛି। ଏହି କରିଡରକୁ ବି ଆଇନଗତ ସ୍ବୀକୃତି ମିଳିପାରିଲା ନାହିଁ। ଏଣୁ କିଏ କାହିଁକି ମାନିବେ?

ଏଠାରେ ପ୍ରକାଶଥାଉକି, ହାତୀ-ମଣିଷ ଲଢେଇକୁ ରୋକିବା ଲାଗି ଆଠଗଡରେ ଗଜବନ୍ଧୁ କାର୍ଯ୍ୟକ୍ରମ ପାଇଲଟ୍ ଭିତ୍ତିରେ ଚାଲିଛି। କିନ୍ତୁ ଢେଙ୍କାନାଳରେ ଆରମ୍ଭ କରାଯାଇଥିବା ଅନ୍ୟ ଏକ ପ୍ରକଳ୍ପ ପ୍ରଭାବୀ ହୋଇପାରିନାହିଁ। ଓଡ଼ିଶାରେ ହାତୀକୁ ଲକ୍ଷ୍ମୀଙ୍କ ସହିତ ଯୋଡାଯାଇଛି। ଢେଙ୍କାନାଳ, କେନ୍ଦ୍ରାପଡ଼ା ଠାରୁ ଆରମ୍ଭ କରି ରାଜ୍ୟର ବିଭିନ୍ନ କୋଣ ଅନୁକୋଣରେ ଗଜଲକ୍ଷ୍ମୀ ପୂଜା କରାଯାଇଥାଏ। ଲୋକଙ୍କ ଭାବାବେଗ ଏହା ସହିତ ଜଡିତ। ହାତୀ ମରିଲେ ଲକ୍ଷ୍ମୀଛାଡି ଯାନ୍ତି ବୋଲି ବି ଗାଁ ଗହଳିରେ କୁହାଯାଏ। କାହିଁ କେଉଁ ହାତୀକୁ ନିରାପଦ ରଖିବା ଲାଗି କରାଯାଇଥିବା ଅନୁଶାସନ ଆଜି ଖୋଦ୍ ସରକାରୀସ୍ତରରେ ପାଳନ ହେଉନାହିଁ।

ସମ୍ବନ୍ଧିତ ଖବର