ଭୁବନେଶ୍ବର: ଚର୍ଚ୍ଚ ପରିସରରେ ଶୋଭା ପାଉଥିଲା ଖ୍ରୀଷ୍ଟମାସ ଲ୍ୟାମ୍ପ୍। ଝୁଲୁଥିଲା ଜିଙ୍ଗଲ୍ ବେଲ୍। ଝଲସୁଥିଲା ବିଭିନ୍ନ ଉପହାର ଖଚିତ ଖ୍ରୀଷ୍ଟମାସ୍ ବୃକ୍ଷ। ଭାସି ଆସୁଥିଲା ସମବେତ କାରୋଲ୍ ସଙ୍ଗୀତ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା ଦିବ୍ୟଯଜ୍ଞ ଓ ପୂଜାପାଠ। ଭକ୍ତିରେ ଲୀନ ଶ୍ରଦ୍ଧାଳୁମାନେ ଶୀତକୁ ଖାତିର ନକରି ଈଶ୍ୱରଙ୍କ ବାକ୍ୟ ଶୁଣିବାରେ ମସଗୁଲ୍ ଥିଲେ। ଯୀଶୁଙ୍କ ଜନ୍ମ ବୃତ୍ତାନ୍ତକୁ ବ୍ୟାଖ୍ୟା କରୁଥିଲା ସ୍ୱତନ୍ତ୍ର ଭାବେ ନିର୍ମିତ ଏନ୍ତୁଡ଼ିଶାଳ। ବଡ଼ଦିନର ଏହି ମହାର୍ଘ୍ୟ ଅବସରରେ ରାଜଧାନୀର ଚର୍ଚରେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଲାଗିଥିଲା ଗହଳିଚହଳି। କେବଳ ଖ୍ରୀଷ୍ଟ ଧର୍ମାବଲମ୍ବୀ ନୁହେଁ, ଅନ୍ୟ ଧର୍ମ ଓ ଜାତିର ଲୋକେ ଏହି ପବିତ୍ର ମୁହୂର୍ତକୁ ଉପଭୋଗ କରିବା ପାଇଁ ସାମିଲ୍ ହୋଇଥିଲେ। ମଧ୍ୟରାତ୍ରିରେ ଧରାବତରଣ କଲେ ଭଗବାନ ଯୀଶୁ। ତାଙ୍କୁ ସ୍ୱାଗତ କରିବା ତଥା ଭକ୍ତିଅର୍ଘ୍ୟ ଢାଳିବା ପାଇଁ ପ୍ରାୟ ରାତି ୩ଟା ପର୍ଯ୍ୟନ୍ତ ଚଳଚଞ୍ଚଳ ଥିଲା ସାରା ଖ୍ରୀଷ୍ଟିଆନ୍ ସମ୍ପ୍ରଦାୟ ଓ ଚର୍ଚ୍ଚସମୂହ। ବଡ଼ଦିନର ଏହି ପର୍ବକୁ ଜାକଜମକରେ ପାଳନ କରିବା ପାଇଁ ସତ୍ୟନଗରସ୍ଥିତ ‘ଭିନ୍ସେଣ୍ଟ କ୍ୟାଥଲିକ୍ ଚର୍ଚ୍ଚ’ରେ ଜମିଥିଲା ଅସମ୍ଭାଳ ଭିଡ଼।
ଠିକ୍ ମଧ୍ୟ ରାତ୍ରିରେ ପ୍ରତୀକଧର୍ମୀ ଗୁହାଳ ଭିତରେ ମଦର ମେରିଙ୍କ ଗର୍ଭରୁ ଯୀଶୁ ଅବତରି ଥିଲେ। ଏହାପରେ ଆରମ୍ଭ ହୋଇ ଯାଇଥିଲା ଶୁଭେଚ୍ଛାର ପର୍ବ। ପରସ୍ପରକୁ କୋଳାଗ୍ରତ କରି ଜଣାଇଥିଲେ ବଡ଼ଦିନର ଶୁଭେଚ୍ଛା। ରାତି ପ୍ରାୟ ୧୦ଟାରୁ ଆରମ୍ଭ ହୋଇଥିଲା ସମବେତ କାରୋଲ୍ ଗାନ। ରାତି ୧୧ଟାରୁ ଆରମ୍ଭ ହୋଇଥିଲା ମହାଜାଗରଣି ଦିବ୍ୟଯଜ୍ଞ ଓ ପୂଜାପାଠ। ରାତି ପ୍ରାୟ ସାଢ଼େ ୩ଟାରେ ସରିଥିଲା ଏହି ପର୍ବ। ସେହିଭଳି ୟୁନିଟ୍-୪ସ୍ଥିତ ଖ୍ରୀଷ୍ଟ ଚର୍ଚ ତଥା ୟୁନିୟନ୍ ଚର୍ଚରେ ମଧ୍ୟ ରାତି ସାଢ଼େ ୧୦ଟାରୁ ମଧ୍ୟରାତ୍ରି ପ୍ରାର୍ଥନା ହୋଇଥିଲା। ଓଡ଼ିଆ ଓ ଇଂରାଜୀରେ ସଂଗୀତ ଦଳ ପ୍ରାର୍ଥନା ପରିବେଷଣ କରିଥିଲେ। ପରେ ବାଇବେଲ୍ ପାଠ ଓ ପ୍ରାର୍ଥନା କରାଯାଇଥିଲା। ମଦର ମେରିଙ୍କୁ ସ୍ମରଣ କରି ଶ୍ରଦ୍ଧାଳୁମାନେ ମହମବତି ଜାଳିଥିଲେ। ଉତ୍ସବର ଏହି ମହାଆସରରେ ବିଳମ୍ବିତ ରାତି ଯାଏଁ ସାମିଲ୍ ହୋଇଥିଲେ ହଜାର ହଜାର ଶ୍ରଦ୍ଧାଳୁ। ଏତେସଂଖ୍ୟକ ଭିଡ଼କୁ ସମ୍ଭାଳିବା ତଥା ଆଇନଶୃଙ୍ଖଳା ରକ୍ଷା ନିମନ୍ତେ ରାଜଧାନୀର ବିଭିନ୍ନ ଚର୍ଚ୍ଚରେ ୫ ପ୍ଲାଟୁନ୍ ପୁଲିସ୍ ମୁତୟନ ହୋଇଥିଲେ ବୋଲି କହିଛନ୍ତି ଭୁବନେଶ୍ୱର କମିସନରେଟ୍ ପୁଲିସ୍ ଡିସିପି ଅନୁପ ସାହୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/dgt65jh74dg98j4dg65j4dg65jdgjdgjdgj.jpg)