ବ୍ରଜରାଜନଗର: ନବ ଦାସଙ୍କ ଦ୍ୱାଦଶାହ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସରବାହାଲ ସରକାରୀ ହାଇସ୍କୁଲ ପଡ଼ିଆରେ ଏନେଇ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶ୍ରଦ୍ଧାଞ୍ଜଳି ସଭା ପାଇଁ ଶୀତତାପ ନିୟନ୍ତ୍ରିତ ମଣ୍ଡପ ନିର୍ମାଣ କରାଯରାଇଛି। ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସେଥିପାଇଁ ଉତ୍କଳ କଣ୍ଟିନେଣ୍ଟଲ ନିକଟରେ ସ୍ୱତନ୍ତ୍ର ଭାବେ ଏକ ଅସ୍ଥାୟୀ ହେଲିପ୍ୟାଡ୍‌ ତିଆରି ହୋଇଛି। ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରୁ ବିମାନ ଯୋଗେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ମଧ୍ୟାହ୍ନ ୧୨ଟାରେ ଅବତରଣ କରିବେ। ସେଠାରୁ ହେଲିକପ୍ଟରରେ ଆସି ଅସ୍ଥାୟୀ ହେଲିପ୍ୟାଡ୍‌ରେ ୧୨.୧୫ରେ ଅବତରଣ କରି ନିକଟରେ ଥିବା ସରବାହାଲ ହାଇସ୍କୁଲ ପଡିଆକୁ ଯାଇ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେବେ। ୧୨.୪୫ମି.ରେ ହେଲିକପ୍ଟରରେ ଝାରସୁଗୁଡା ବିମାନ ବନ୍ଦରକୁ ଯିବା ପରେ ଅପରାହ୍‌ଣ ୧ଟାରେ ବିମାନରେ ଭୁବନେଶ୍ୱର ଫେରିଯିବାର କାର୍ଯ୍ୟକ୍ରମ ରହିଛି। ଏହି ସଭାରେ ମନ୍ତ୍ରୀ, ପୂର୍ବତନ ମନ୍ତ୍ରୀ, ବିଧାୟକ, ବିରୋଧୀ ଦଳନେତା, ସାଂସଦମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଶ୍ରଦ୍ଧାଞ୍ଜଳି ମଣ୍ଡପ ନିକଟରେ ନବ ଦାସଙ୍କ ବଡ଼ ବଡ଼ ହୋର୍ଡିଂ ସବୁ ଲାଗିବାର ବ୍ୟବସ୍ଥା ହୋଇଛି।

Advertisment

ନବ ବାବୁଙ୍କ ଏହି ଶ୍ରଦ୍ଧାଞ୍ଜଳି ସଭାରେ ୫୦ହଜାରରୁ ଅଧିକ ଲୋକଙ୍କ ଖାଦ୍ୟର ବ୍ୟବସ୍ଥା କରାଯାଇଛି। ସେଥିପାଇଁ  ୪୦ ରୁ ଅଧିକ କାଉଣ୍ଟର ବ୍ୟବସ୍ଥା ହୋଇଛି। ଭିଭିଆଇପି, ମହିଳାମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏହାକୁ ଆଖି ଆଗରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ଆବଶ୍ୟକ ଟ୍ରାଫିକ ବ୍ୟବସ୍ଥା ଗ୍ରହଣ ହୋଇଥିବା ଝାରସୁଗୁଡା ଏସ୍‌ପି ସୂଚନା ଦେଇଛନ୍ତି। ଝାରସୁଗୁଡ଼ା ବସ୍‌ଷ୍ଟାଣ୍ଡରୁ ସରବାହଲ ହାଇସ୍କୁଲ ପର୍ଯ୍ୟନ୍ତ ରାସ୍ତାରେ ଭାରୀଯାନ ଚଳାଚଳ ବନ୍ଦ ରହିବ। ପୁଲିସ ପକ୍ଷରୁ ୧୨ ପଏଣ୍ଟରେ ନାକା ଲଗାଯିବ। ସହରରେ ସାଧାରଣ ଟ୍ରାଫିକ ରହିବ। ଯେଭଳି ସଧାରଣ ଲୋକ ପ୍ରଭାବିତ ନହେବେ ସେଥିପ୍ରତି ଦୃଷ୍ଟି ଦିଆଯାଇଛି। ଏଥିରେ ୨୫ ପ୍ଲାଟୁନରୁ ଅଧିକ ପୁଲିସ ଫୋର୍ସ ମୁତୟନ କରାଯିବ।

ଟ୍ରାଫିକ ସମ୍ପର୍କିତ ନକ୍ସା ବିଭିନ୍ନ ସାମାଜିକ ଗଣମାଧ୍ୟମ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦିଆଯାଇଥିବା ଏସ୍‌ପି ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମଟି ମୁଖ୍ୟତଃ ନବବାବୁଙ୍କର ପାରିବାରିକ କାର୍ଯ୍ୟକ୍ରମ ଓ ଏଥିରେ ବହୁ ଭିଭିଆଇପି ଆସିବାର କାର୍ଯ୍ୟକ୍ରମ ଥିବାରୁ ସେମାନଙ୍କ ସୁରକ୍ଷା ପ୍ରତି ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦେଇ ପଦକ୍ଷେପ ଆରମ୍ଭ କରିଥିବା ଜିଲ୍ଲାପାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସେହିପରି ନବ ଦାସଙ୍କ ସ୍ମୃତି ଉଦେଶ୍ୟରେ ଏକ ରକ୍ତଦାନ ଶିବିର ମଧ୍ୟ ସେଠାରେ ଆୟୋଜନ କରାଯାଇଛି। ଏଥିରେ ୧୦୦୦ ୟୁନିଟ୍‌ ରକ୍ତ ସଂଗ୍ରହ ପାଇଁ ଲକ୍ଷ୍ୟ ରହିଛି।  ସ୍ବର୍ଗତ ନବବାବୁଙ୍କ ଝିଅ ଦୀପାଳି ଓ ପୁଅ ବିଶାଳ ଆଜି ଏହି ସବୁ କାର୍ଯ୍ୟର ତଦାରଖ କରିଥିଲେ। ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମକୁ ସୁପରିଚାଳନା ପାଇଁ ଆଜି କଟକ ମେୟର ସୁଭାଷ ସିଂଙ୍କ ଅଧକ୍ଷତାରେ ଏକ ବୈଠକ ହୋଇଥିଲା। ଏଥିରେ ୫ଶହ ସ୍ୱେଚ୍ଛାସେବୀ ଯୋଗ ଦେଇଥିଲେ।