ଆଜିର ପିଢ଼ି ପ୍ରାଣନାଥଙ୍କୁ ଜାଣିବା ନିହାତି ଦରକାର: ବାଚସ୍ପତି

ପ୍ରାଣନାଥ ସ୍ମୃତି ସଭା ଓ ପ୍ରାଣନାଥ ସମ୍ମାନ ସମାରୋହ

ଭୁବନେଶ୍ବର: ପ୍ରାଣନାଥ ପଟ୍ଟନାୟକ ସ୍ବାଧୀନତା ସଂଗ୍ରାମୀ ଭାବେ ସାରା ଓଡ଼ିଶାରେ ପରିଚିତ ଥିବା ବେଳେ ଗଡ଼ଜାତ ଆନ୍ଦୋଳନ ଏବଂ ପ୍ରଜାମଣ୍ଡଳକୁ ସଂଗଠିତ କରିବାରେ ତାଙ୍କର ଅବଦାନ ଅତୁଳନୀୟ । ତାଙ୍କ ପରି ଲୋକ ଆଜିର ଦିନରେ ମିଳିବା ବହୁତ କଷ୍ଟକର। ତେଣୁ ପ୍ରାଣନାଥଙ୍କ ବିଷୟରେ ଆଜିର ପିଢ଼ି ନିହାତି ଜାଣିବା ଦରକାର ଏବଂ ତାଙ୍କ ଇତିହାସ ଲେଖାଯିବା ଦରକାର। ଆଜି ସଂଧ୍ୟାରେ ୟୁନିଟ-୩ ସ୍ଥିତ ବୃଦ୍ଧ ମନ୍ଦିରରେ ଆୟୋଜିତ ରାଜ୍ୟ ପ୍ରାଣନାଥ ସ୍ମୃତି ସଭା ଓ ପ୍ରାଣନାଥ ସମ୍ମାନ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏ କଥା କହିଛନ୍ତି ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର।

ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଖଣ୍ଡପଡ଼ା ବିଧାୟକ ତଥା ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ କହିଲେ ଯେ ପ୍ରାଣନାଥ ପଟ୍ଟନାୟକ ସ୍ବାଧୀନତା ସଂଗ୍ରାମରେ ଯୋଗ ଦେଇ ବର୍ଷ ବର୍ଷ ଧରି ଜେଲ୍‌ରେ ଥିଲେ; ମହାତ୍ମା ଗାନ୍ଧୀଙ୍କ ସାଙ୍ଗରେ କାମ କରିଥିଲେ; ଜବାହାରଲାଲ ନେହୁର ତାଙ୍କ ନିର୍ବାଚନ ପ୍ରଚାର ପାଇଁ ଆସିଥିଲେ। ତେଣୁ ଏଭଳି ଜଣେ ବିପ୍ଳବୀଙ୍କୁ ମନେ ପକାଇବା ପାଇଁ ଆଜି ବେଶି ଆବଶ୍ୟକତା ରହିଛି। ପ୍ରାଣନାଥ ସାମ୍ୟବାଦ ବିଚାରକୁ ନେଇ ମଧ୍ୟ ସାମଜିକ କ୍ଷେତ୍ରରେ ଅତ୍ୟନ୍ତ ଗ୍ରହଣୀୟ ହୋଇପାରିଥିଲେ। ଶ୍ରୀ ପଟ୍ଟନାୟକ ଆହୁରି କହିଥିଲେ ଯେ ଗୋପବନ୍ଧୁଙ୍କର ବନ ବିଦ୍ୟାଳୟର କୋଠା ନ ଥିଲା କି ବାଡ଼ି ନଥିଲା। କିନ୍ତୁ ଗଛ ତଳେ ରହି ସେ ଯେଉଁଭଳି ପ୍ରତିଭାମାନ ତିଆରି କରିପାରିଥିଲେ, ସେହି ପ୍ରତିଭାମାନଙ୍କୁ ସ୍ମରଣ କରିବା ପାଇଁ ପ୍ରାଣନାଥଙ୍କର ସ୍ମୃତିସଭା ଛୋଟ ଏକ ସୁଯୋଗ ସୃଷ୍ଟି କରିବ।

ଏହି ସମାରୋହକୁ ଉଦ୍‌ଘାଟନ କରି ବିଶିଷ୍ଟ ଲେଖିକା ପ୍ରତିଭା ରାୟ କହିଲେ ଯେ ପ୍ରାଣନାଥ ପଟ୍ଟନାୟକ ଗୋଟେ ବୀରଭୂମିର ସନ୍ତାନ ଥିଲେ, ସେ ବିପ୍ଲବୀ ଥିଲେ, ସେ ଖଟିଖିଆ, ମଜୁରିଆ ଓ ମୂଲିଆମାନଙ୍କୁ ନ୍ୟାୟ ଦେବା ପାଇଁ ଏବଂ ସମାଜରେ ସମାନ ସ୍ତରକୁ ଆଣିବା ପାଇଁ ସେ ବିପ୍ଲବ କରିଥିଲେ। ତେଣୁ ସେ ମାନବପନ୍ଥୀ ଥିଲେ। ତାଙ୍କ ବିଷୟରେ ଆଜିର ପିଲାମାନେ ଜାଣିବା ଦରକାର ବୋଲି ଶ୍ରୀମତୀ ରାୟ କହିଥିଲେ। ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ରାଜ୍ୟସଭା ସାଂସଦ ସୁବାସ ସିଂ ପ୍ରାଣନାଥଙ୍କ ତ୍ୟାଗ ଓ ସଂଗ୍ରାମୀ ଜୀବନ ଯୁଗେଯୁଗେ ପ୍ରେରଣାଦାୟକ ରହିବ ବୋଲି କହିଥିଲେ। ଲୋକ ସେବକ ମଣ୍ଡଳର ରାଷ୍ଟ୍ରୀୟ ଉପସଭାପତି ତଥା ‘ସମାଜ’ର ପ୍ରକାଶକ ନିରଞ୍ଜନ ରଥ କାର୍ଯ୍ୟକ୍ରମରେ ସଭାପତିତ୍ବ କରି ପ୍ରାଣନାଥ ସଂଗ୍ରାମ କରିବା ପାଇଁ ଜନ୍ମ ନେଇଥିଲେ ବୋଲି କହିଥିଲେ ।

ରାଜ୍ୟ ପ୍ରାଣନାଥ ସ୍ମୃତି ସମିତିର ସଭାପତି ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଂପାଦକ ଦିଲ୍ଲୀପ ହାଲି ସଂପାଦକୀୟ ବିବରଣୀ ପାଠ କରିଥିଲେ। ଏହି ଅବସରରେ ଚଳଚ୍ଚିତ୍ର ବ୍ୟକ୍ତିତ୍ବ ଘନଶ୍ୟାମ ମହାପାତ୍ର, ବିଶିଷ୍ଟ ସ୍ବାସ୍ଥ୍ୟ ବିଜ୍ଞାନୀ ଡଃ. ସଂଘମିତ୍ରା ପତି, କଣ୍ଠ ଶିଳ୍ପୀ ଗୀତା ଦାଶ, ସଂସ୍କୃତି ସଂଗଠିକା ତନୟା ଦାସ ଗୋସ୍ବାମୀ, ସାହିତ୍ୟିକ ସୂର୍ଯ୍ୟ ମିଶ୍ରଙ୍କୁ ଚଳିତ ବର୍ଷ ପାଇଁ ‘ପ୍ରାଣନାଥ ସମ୍ମାନ’ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଇଂ ଶ୍ରୀନିବାସ ଘଟୁଆରୀ ।

ସମ୍ବନ୍ଧିତ ଖବର