‘ଆଜିର ଭାରତ ଓ ନେହରୁ ବିଚାର’ ଆଲୋଚନା ଆସର: ନେହରୁଙ୍କ ସିଦ୍ଧାନ୍ତ ବିନା ଭାରତର ପରିକଳ୍ପନା ଅସମ୍ଭବ

ଭୁବନେଶ୍ବର : ନେହରୁଙ୍କ ସିଦ୍ଧାନ୍ତ ବିନା ଭାରତର ପରିକଳ୍ପନା ଅସମ୍ଭବ। ଆଗକୁ ଯଦି ଭାରତବର୍ଷକୁ ବଞ୍ଚାଇବାର ଅଛି, ତେବେ ଗଣତାନ୍ତ୍ରିକ ଜାତୀୟତାର ଅର୍ଥ ବୁଝିବାକୁ ହେବ। ଏହାଦ୍ବାରା ଦେଶର ବିକାଶ ହୋଇପାରିବ। ବିକଶିତ ଦେଶ ଗଢ଼ିବା ପାଇଁ ହେଲେ ନେହରୁଙ୍କୁ ପଢ଼ିବାକୁ ଓ ବୁଝିବାକୁ ପଢ଼ିବ। ଏହା କେବଳ କୌଣସି ରାଜନୈତିକ ଦଳର କାମ ନୁହେଁ। ଏହା ସମସ୍ତ ସଚେତନ ନାଗରିକଙ୍କ ଦାୟିତ୍ବ। ଅକ୍ଷର ଓ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌ ଫାଇନାନ୍ସ ଆଣ୍ଡ୍‌ ପଲିସି ପକ୍ଷରୁ ଜୟଦେବ ଭବନରେ ବୁଧବାର ଦିନ ଆୟୋଜିତ ‘ଆଜିର ଭାରତ ଓ ନେହରୁ ବିଚାର’ ଆଲୋଚନା ଆସରର ମୁଖ୍ୟବକ୍ତା ଜେଏନ୍‌ୟୁର ପୂର୍ବତନ ପ୍ରଫେସର ପୁରୁଷୋତ୍ତମ ଅଗ୍ରୱାଲ ଏପରି ମତ ରଖିଛନ୍ତି।

ସେ କହିଛନ୍ତି ଯେ ଭାରତୀୟ ସଂସ୍କୃତି ସର୍ବଶ୍ରେଷ୍ଠ। ଏହି ସଂସ୍କୃତିକୁ ବାଜା ବଜାଇ କାହାକୁ ଜଣାଇବାର ଆବଶ୍ୟକତା ନାହିଁ। କିନ୍ତୁ ଆଜି ସଂସ୍କୃତି ଓ ଧର୍ମକୁ ଆଧାର କରି ରାଜନୀତି କରାଯାଉଛି। ଦେଶର ପ୍ରକୃତ ସମସ୍ୟାକୁ ଅଣଦେଖା କରାଯାଉଛି। ଏହା ଦେଶ ପାଇଁ ବିପଦ। ଆଜି ବି ଦେଶର ଅନେକ ସ୍ଥାନରେ ଲୋକମାନେ ଭୋକ ଉପାସରେ ରହିଛନ୍ତି। କିନ୍ତୁ ଏହାକୁ ଅଣଦେଖା କରି ରାଜନୈତିକ ଦଳମାନେ ଧର୍ମ ଓ ସଂସ୍କୃତିକୁ ଗୁରୁତ୍ବ ଦେଉଛନ୍ତି। ଆଜି କିଛି ଲୋକ ହିନ୍ଦୁ- ହିନ୍ଦୀ- ହିନ୍ଦୁସ୍ଥାନ ନାରା ଦେଇ ଦେଶର ପ୍ରକୃତ ସମସ୍ୟାକୁ ଅଣଦେଖା କରି ରାଜନୀତି କରୁଛନ୍ତି। ମାତ୍ର ନେହରୁ ଭାରତର ସଂସ୍କୃତି ସହ ଦେଶର ସମସ୍ୟାକୁ ସମାନ ଢଙ୍ଗରେ ଗୁରୁତ୍ବ ଦେଉଥିଲେ। ଇତିହାସ ସାକ୍ଷୀ ଅଛି, ନେହରୁଙ୍କ ଐତିହାସିକ ଦର୍ଶନ ଭାରତର ବିକାଶ ପାଇଁ ଉଦ୍ଦିଷ୍ଟ ଥିଲା। କିନ୍ତୁ ଆଜି ବିଡ଼ମ୍ବନାର ବିଷୟ ହେଉଛି ଯେ ଆମେ ତାଙ୍କ ଐତିହାସିକ ଦର୍ଶନକୁ ଅଣଦେଖା କରି ଇତିହାସଠାରୁ ଦୂରେଇ ଯାଉଛେ। ସମ୍ପ୍ରତି କିଛି ଲୋକ ଇତିହାସକୁ ବିରୋଧ କରି ଋଣଭୂମି ପ୍ରସ୍ତୁତ କରୁଛନ୍ତି। ଏହାଦ୍ବାରା ଦେଶର ବିକାଶ ହେବ ନାହିଁ, ବରଂ ଦେଶ ସମସ୍ୟାରେ ପଡ଼ିବ। ଆଜି ନେହରୁଙ୍କୁ ନେଇ କିଛି ଲୋକ ନିନ୍ଦା କରିବା ସହ ତାଙ୍କୁ ନେଇ ଅପପ୍ରଚାର କରୁଛନ୍ତି। ତଥା‌ପି ନେହରୁଙ୍କ ସ୍ମୃତି ଓ ଦେଶ ପ୍ରତି ଥିବା ତାଙ୍କ ସମର୍ପଣ ଭାବ ଏବେ ବି ଲୋକଙ୍କ ଭିତରେ ତିଷ୍ଠି ରହିଛି। ନେହରୁଙ୍କ ବିରୋଧରେ ଯେତେ ଅପପ୍ରଚାର କଲେ ମଧ୍ୟ ଦେଶ ପ୍ରତି ଥିବା ତାଙ୍କ ଅବଦାନକୁ କେବେ ଦେଶବାସୀ ଭୁଲି ପାରିବେନାହିଁ। ପରିତାପର କଥା ଆଜି କଂଗ୍ରେସ ବି ନେହରୁଙ୍କୁ ଅଣଦେଖା କରିବା ଭଳି ମନେହୁଏ। ଯେତେବେଳେ ବିରୋଧୀମାନେ ନେହରୁଙ୍କ ବିରୋଧରେ ଅପପ୍ରଚାର କରୁଛନ୍ତି, ସେତେବେଳେ ଦଳ ନିରବ ରହୁଛି। ଆଜି ଗାନ୍ଧୀବାଦ ବିଚାର ଓ ନେହରୁଙ୍କ ଦର୍ଶନ ଭାରତ ପାଇଁ ଆବଶ୍ୟକ। କାରଣ ଏହାଦ୍ବାରା ଦେଶର ବିକାଶ ହୋଇପାରିବ ବୋଲି ଶ୍ରୀ ଅଗ୍ରୱାଲ ଗୁରୁତ୍ବର ସହ କହିଥିଲେ। ଏହି କାର୍ଯ୍ୟକ୍ରମରେ ଅକ୍ଷରର ସଂପାଦକ ଅମିୟ ପାଣ୍ଡବ ସ୍ବାଗତ ଭାଷଣ ଦେଇଥିଲେ।

ସମ୍ବନ୍ଧିତ ଖବର