ଆଜି ବିଶ୍ବ କ୍ରୀଡ଼ା ଦିବସ: ଦିବ୍ୟାଙ୍ଗ କ୍ରୀଡ଼ାବିତ୍‌ଙ୍କ ଷଠୀଘର ‘ଦୃଷ୍ଟିହୀନ ବିଦ୍ୟାଳୟ’

ବାଲେଶ୍ବର (କବିତା ପାତ୍ର): ବାଲେଶ୍ବର ରାଣୀପାଟଣା ଦୃଷ୍ଟିହୀନ ବିଦ୍ୟାଳୟ ଦିବ୍ୟାଙ୍ଗ କ୍ରୀଡ଼ାବିତ୍‌ଙ୍କୁ ରାହା ଦେଖାଇଛି। ପାଠପଢ଼ା ସହିତ ପ୍ରତିଭାବାନ୍‌ କ୍ରୀଡ଼ାବିତ୍‌ଙ୍କୁ ଆଗକୁ ନେବା ସହ ଏହି ବିଦ୍ୟାଳୟ ଗୋଟିଏ ପରେ ଗୋଟିଏ ସଫଳତା ସାଉଁଟି ଚାଲିଛି। ଏଠିକାର ଛାତ୍ରଛାତ୍ରୀ ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଖେଳି ଗୌରବ ଆଣିଛନ୍ତି। କହିବାକୁ ଗଲେ, ଏହି ବିଦ୍ୟାଳୟ ଦିବ୍ୟାଙ୍ଗ କ୍ରୀଡ଼ାବିତ୍‌ଙ୍କ ଷଠୀଘର ପାଲଟିଛି।

୨୦୦୨ ମସିହା ଡିସେମ୍ବର ୩ ତାରିଖରେ ଦିବ୍ୟାଙ୍ଗଙ୍କ ପାଇଁ ବାଲେଶ୍ବର ରାଣୀପାଟଣା ଅଞ୍ଚଳରେ ଦୃଷ୍ଟିହୀନ ବିଦ୍ୟାଳୟ ପ୍ରତିଷ୍ଠା ହେଲା। ଅଦ୍ୟାବଧି ଅନେକ ଛାତ୍ରଛାତ୍ରୀଙ୍କୁ ଗଢ଼ିବାରେ ସକ୍ଷମ ହୋଇପାରିଛି ଏହି ବିଦ୍ୟାଳୟ। ବହୁ ଛାତ୍ରଛାତ୍ରୀ ଆଜି ରାଜ୍ୟ ଏବଂ ରାଜ୍ୟ ବାହାରେ ବିଭିନ୍ନ ପଦପଦବିରେ ରହିଛନ୍ତି। ପାଠପଢ଼ା ସହିତ କ୍ରୀଡ଼ା କ୍ଷେତ୍ରରେ ଛାତ୍ରଛାତ୍ରୀ ସଫଳତା ଆଣି ବିଦ୍ୟାଳୟକୁ ସ୍ବତନ୍ତ୍ର ପରିଚୟ ଦେଇଛନ୍ତି। ଆଜିଯାଏଁ ବିଦ୍ୟାଳୟରୁ ମୋଟ ୧୫ରୁ ଅଧିକ ଖେଳାଳି ରାଜ୍ୟ ଓ ଜାତୀୟସ୍ତର ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଫଳତା ଆଣିଛନ୍ତି। ରାଜ୍ୟ ଦୃଷ୍ଟିହୀନ ପୁରୁଷ କ୍ରିକେଟ୍‌ ଟିମ୍‌ରେ ସ୍ଥାନ ପାଇଥିବା ବିଦ୍ୟାଳୟର ଛାତ୍ର ସୁକଦେବ ସୋରେନ, ଲାଲୁ ସୋରେନ, ସିଙ୍ଗରାଇ ମାଝୀ, ଅଞ୍ଜନ ସିଂ, ଲାବଣ୍ୟ ପାତ୍ର ନିଜର ବ୍ୟାଟିଂ ଓ ବୋଲିଂ ମାଧ୍ୟମରେ ଅନେକ ସମୟରେ ଓଡ଼ିଶା ଟିମ୍‌କୁ ବିଜୟ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ବହୁଥର ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌, ମ୍ୟାନ୍‌ ଅଫ୍‌ ଦି ସିରିଜ୍‌ ହେବାର ଗୌରବ ଅର୍ଜନ କରିଛନ୍ତି। ସେହିପରି ଓଡ଼ିଶା ଦୃଷ୍ଟିହୀନ ମହିଳା କ୍ରିକେଟ୍‌ ଟିମ୍‌ରେ ବିଦ୍ୟାଳୟର ଛାତ୍ରୀ ବାସନ୍ତୀ ହାଁସଦା, ଫୁଲ ସୋରେନ, ମାମିନା ନାଏକ, ସୁଲୋଚନା ସିଂ, ପଦ୍ମିନୀ ଟୁଡୁ ସ୍ଥାନ ପାଇ ସଫଳତା ହାସଲ କରିଛନ୍ତି। ସେହିପରି ପୁନେଠାରେ ଅନୁଷ୍ଠିତ ଜାତୀୟସ୍ତରୀୟ ବିଦ୍ୟାଳୟ ଚେସ୍‌ ପ୍ରତିଯୋଗିତାରେ ବିଦ୍ୟାଳୟର ୩ ଜଣ ଛାତ୍ର ଅଂଶଗ୍ରହଣ କରିଛନ୍ତି। ଏଥିରେ ସମରାୟ ମାରାଣ୍ଡି ଦ୍ବିତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ଓଡ଼ିଶା ପୁରୁଷ ଫୁଟ୍‌ବଲ୍‌ ଦଳରେ ବିଦ୍ୟାଳୟର ଛାତ୍ର ଦୀପକ ସିଂ ଓ ପହଲା ମୁର୍ମୁ ସ୍ଥାନ ପାଇଛନ୍ତି। ନିକଟରେ ଭାରତୀୟ ମହିଳା ଦଳରେ ଓଡ଼ିଶାରୁ ଏକମାତ୍ର ଖେଳାଳି ଭାବରେ ସ୍ଥାନ ପାଇଥିବା ଛାତ୍ରୀ ପଦ୍ମିନୀ ଗୌରବ ଆଣିଛନ୍ତି।

ଏମିତି ଧୀ‌ରେ ଧୀରେ ଖେଳାଳିଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ବିଦ୍ୟାଳୟ ପକ୍ଷରୁ ମଧ୍ୟ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦେବାକୁ ସ୍ବତନ୍ତ୍ର କୋଚ୍‌ଙ୍କୁ ନିୟୋଜିତ କରାଯାଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଲା, ବହୁତ ଦିବ୍ୟାଙ୍ଗଙ୍କ ଭିତରେ ପ୍ରତିଭା ଅଛି। ହେଲେ ଆବଶ୍ୟକ ଭିତ୍ତିଭୂମି ଅଭାବରୁ ସେମାନେ ଆଗକୁ ଯାଇପାରିନାହାନ୍ତି। ଭିତ୍ତିଭୂମି ଥିଲେ ଦିବ୍ୟାଙ୍ଗ କ୍ରୀଡ଼ାବିତ୍‌ଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇଥାନ୍ତା। ହେଲେ ବିଦ୍ୟାଳୟରେ ଖେଳାଳିଙ୍କ ପାଇଁ ଆବଶ୍ୟକ ସୁବିଧା ନାହିଁ। ଖେଳାଳି ଅଭ୍ୟାସ କରିବାକୁ ପଡ଼ିଆ ବି ପାଉନାହାନ୍ତି। ଯେଉଁଥି ପାଇଁ ସେମାନେ ନାହିଁ ନଥିବା ଅସୁବିଧାରେ ପଡ଼ିଥା’ନ୍ତି। ସେହିପରି ସାଧାରଣ ଖେଳାଳିଙ୍କୁ ଯେପରି ରାଜ୍ୟ ସରକାର ଗୁରୁତ୍ବ ଦେଇ ବିଭିନ୍ନ ସୁବିଧା ଯୋଗାଇ ଦେଉଛନ୍ତି, ଏଠିକାର ଦିବ୍ୟାଙ୍ଗ ଖେଳାଳିଙ୍କ ପାଇଁ ଭିତ୍ତିଭୂମି ନା ପ୍ରୋତ୍ସାହନ; କିଛି ନାହିଁ। ଏମାନେ ନିଜ ଶିଙ୍ଗରେ ନିଜେ ମାଟି ତାଡ଼ୁଛନ୍ତି। ଏମିତିକି କୌଣସି ସଫଳତା ହାସଲ କ‌ଲେ ବି ଜିଲ୍ଲା ପ୍ରଶାସନ କି କ୍ରୀଡ଼ା ବିଭାଗ; କାହାରି ଅଧିକାରୀ ତଥା କର୍ମଚାରୀ ସହାୟତା ଦେବା ତ ଦୂରର କଥା, ଶୁଭେଚ୍ଛା ଜଣାଇବାକୁ ମଧ୍ୟ ଆସନ୍ତି ନାହିଁ।

ଏନେଇ ଅନୁଷ୍ଠାନର ନିର୍ଦ୍ଦେଶକ ଦିବାକର ସ କୁହନ୍ତି, ବିଦ୍ୟାଳୟର ନିଜର ପଡ଼ିଆ ନାହିଁ କି ଘର ନାହିଁ। ଭଡ଼ାଘରେ ଚାଲିଛି ବିଦ୍ୟାଳୟ। ପିଲାଙ୍କ ଖେଳ ଅଭ୍ୟାସ ପାଇଁ ପଡ଼ିଆ ଖୋଜିବାକୁ ପଡ଼ିଥାଏ। ସହରରେ ଯେଉଁ ପଡ଼ିଆ ଅଛି, ସେଠାରେ ଅନ୍ୟ ଖେଳାଳିମାନେ ଅଭ୍ୟାସ କରୁଥା’ନ୍ତି। ରାଜ୍ୟ ସରକାର ନା ଜିଲ୍ଲା ପ୍ରଶାସନ; ଏଥିପ୍ରତି କେହି ଗୁରୁତ୍ବ ଦେଉନାହାନ୍ତି। ଜିଲ୍ଲା କ୍ରୀଡ଼ା ବିଭାଗ ପକ୍ଷରୁ ବି ସେମିତି କିଛି ସହାୟତା ମିଳେନାହିଁ। ଖେଳାଳିଙ୍କୁ ପ୍ରୋତ୍ସାହିତ କରିବା ପାଇଁ ବିଦ୍ୟାଳୟ ତରଫରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ। ସବୁ ପ୍ରକାର ସୁବିଧାସୁଯୋଗ ଦିଆଗଲେ ଅଧିକ ଖେଳାଳି ବାହାରିପାରନ୍ତେ।

ସମ୍ବନ୍ଧିତ ଖବର