ପଶ୍ଚିମ ଓଡ଼ିଶାର ପ୍ରଥମ ଚଳଚ୍ଚିତ୍ର ପ୍ରଯୋଜକ ତୋଫାନ ତ୍ରିପାଠୀ ଆଉ ନାହାନ୍ତି

‘ସାଧନା ଓ ‘ଅଶାନ୍ତ ଗ୍ରହ’ର ପ୍ରଯୋଜନା କରିଥିଲେ

ସମ୍ବଲପୁର : ପଶ୍ଚିମ ଓଡ଼ିଶାର ପ୍ରଥମ ଚଳଚ୍ଚିତ୍ର ପ୍ରଯୋଜକ ତୋଫାନ ତ୍ରିପାଠୀଙ୍କର ଶୁକ୍ରବାର ୯୨ ବର୍ଷ ବୟସରେ ସମ୍ବଲପୁର ମୁଦିପଡ଼ାସ୍ଥିତ ବାସଭବନରେ ପରଲୋକ ଘଟିଛି। ଶ୍ରୀ ତ୍ରିପାଠୀ ବାର୍ଦ୍ଧକ୍ୟଜନିତ ରୋଗରେ ଆକ୍ରାନ୍ତ ହୋଇ ଦୀର୍ଘଦିନ ହେବ ଶଯ୍ୟାଶାୟୀ ଥିଲେ। ତାଙ୍କ ବିୟାଗରେ ବଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି।

ସ୍ବର୍ଗତ ତ୍ରିପାଠୀ ଓଡ଼ିଆ ଚଳଚ୍ଚିତ୍ର ‘ସାଧନା ଓ ‘ଅଶାନ୍ତ ଗ୍ରହ’ର ପ୍ରଯୋଜନା କରି ବେଶ୍‌ ପ୍ରଶଂସା ସାଉଁଟିଥିଲେ। ତେବେ, କଳା, ସଂସ୍ମୃତି ପ୍ରତି ସମର୍ପିତ ସ୍ବର୍ଗତ ତ୍ରିପାଠୀ ଜମିବାଡ଼ି ସହ ଗହଣା ବନ୍ଧକ ରଖି ଚଳଚ୍ଚିତ୍ର ପ୍ରଯୋଜନା କରିଥିଲେ। ଏଥିପାଇଁ ତାଙ୍କୁ ଘୋର ଆର୍ଥିକ ସଂକଟର ସମ୍ମୁଖୀନ ହେବାକୁ ପଡ଼ିଥିଲା।

୧୯୩୨ ମସିହା ନଭେମ୍ବର ୧୪ ତାରିଖରେ ହୀରାକୁଦ ବୁଡ଼ି ଅଞ୍ଚଳ ପିତାପାଲି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ହୀରାକୁଦ ଜଳଭଣ୍ଡାରରେ ଗାଁ ଜଳମଗ୍ନ ହେବାରୁ ସମ୍ବଲପୁର ଚାଲି ଆସିଥିଲେ। କଲେଜ ପାଠପଢ଼ା ପରେ ହୀରାକୁଦ ଡ୍ୟାମ୍‌ ପ୍ରୋଜେକ୍ଟରେ କିଛି ବର୍ଷ ପାଇଁ ଚାକିରି କରିଥିଲେ। ପରେ ଏକ ସମ୍ବଲପୁରୀ ଲୁଗା ଦୋକାନ କରିଥିଲେ। ପିଲାବେଳୁ ଅଭିନୟ ପ୍ରତି ରୁଚି ରଖିଥିବା ସ୍ବର୍ଗତ ତ୍ରିପାଠୀ ୧୯୬୦ ମସିହା ବେଳକୁ ନିଜେ ଏକ ଥିଏଟର ପାର୍ଟି ମଧ୍ୟ ଗଢ଼ିଥିଲେ ଓ ସେ ନିଜେ ମଧ୍ୟ ଅଭିନୟ କରିଥିଲେ। ସେତେବେଳେ ସମ୍ବଲପୁର ଗେଇଟି ଟକିଜ୍‌ ରୋଡ଼ସ୍ଥିତ ତାଙ୍କ ଲୁଗା ଦୋକାନ ସମ୍ବଲପୁରୀ ବସ୍ତ୍ରାଳୟ କଳା ସଂସ୍କୃତିର ଏକ କେନ୍ଦ୍ର।

୧୯୬୪ ମସିହାରେ ମୁକ୍ତିଲାଭ କରିଥିବା ତାଙ୍କ ପ୍ରଯୋଜିତ ଓଡ଼ିଆ ଚଳଚ୍ଚିତ୍ର ‘ସାଧନା’ ଶ୍ରେଷ୍ଠ ଆଞ୍ଚଳିକ ଚଳଚ୍ଚିତ୍ର ଭାବରେ ରାଷ୍ଟ୍ରପତି ପୁରସ୍କାର ଲାଭ କରିଥିଲା। ପ୍ରଭାତ ମୁଖାର୍ଜୀ, ଶରତ ପୂଜାରୀ, ସବ୍ୟସାଚୀ ମହାପାତ୍ର ସ‌ିନେମାର ନିର୍ଦ୍ଦେଶନା ଦାୟିତ୍ବ ତୁଳାଇଥିବାବେଳେ ବାଳକୃଷ୍ଣ ଦାଶ ଓ ଅକ୍ଷୟ ମହାନ୍ତି ସଂଗୀତ ନିର୍ଦ୍ଦେଶନା ଦେଇଥିଲେ। ସନ୍ଧ୍ୟାରେ ସମ୍ବଲପୁର ରାଜଘାଟଠାରେ ତାଙ୍କର ‌ଶେଷକୃତ୍ୟ ସମ୍ପନ୍ନ ହୋଇଛି। ସାନପୁଅ ସୁନୀଲ ତ୍ରିପାଠୀ ମୁଖାଗ୍ନି ଦେଇଥିଲେ।

ସମ୍ବନ୍ଧିତ ଖବର