ରାଜ୍ୟର ୪୪୧ ବାଳିକା ଓ ୧୪୮୫ ବାଳକ ବିଦ୍ୟାଳୟରେ ଶୌଚାଳୟ ନାହିଁ : ବିଧାନସଭାରେ ଶାସକ ଓ ବିରୋଧୀଙ୍କ ଉଦବେଗ

ଭୁବନେଶ୍ବର:  ବିଧାନସଭାରେ ଆଜି ସରକାରୀ ସ୍କୁଲଗୁଡିକରେ ଶୌଚାଳୟ ନ ଥିବା ପ୍ରସଙ୍ଗ ଆଲୋଚିତ ହୋଇଛି ।  ଏ ପ୍ରସଙ୍ଗରେ ଉତ୍ତର ରଖି ଭାରପ୍ରାପ୍ତ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, ୨୦୧୭-୧୮ ତଥ୍ୟ ଅନୁସାରେ ରାଜ୍ୟର ୫୪୨୯୮ଟି ସରକାରୀ ସ୍କୁଲ ରହିଛି । ସେଥିମଧ୍ୟରୁ ୫୩୭୬୩ ଟି ବିଦ୍ୟାଳୟରେ ବାଳିକା ଶୌଚାଳୟ ଓ ୫୨୫୨୧ଟି ବିଦ୍ୟାଳୟରେ ବାଳକ ଶୌଚାଳୟ ରହିଛି । ମୋଟ ୪୪୧ଟି ବାଳିକା  ଓ ୧୪୮୫ ବାଳକ ବିଦ୍ୟାଳୟରେ ଶୌଚାଳୟ ନାହିଁ । ଅନ୍ୟପଟେ ସମସ୍ତ ୫୪୨୯୮ଟି ବିଦ୍ୟାଳୟରେ ପାନୀୟ ଜଳ ବ୍ୟବସ୍ଥା ରହିଛି ।

ସମସ୍ତ ବିଦ୍ୟାଳୟରେ ପାଇଖାନା ତଥା ଉତ୍ତମ ପାନୀୟ ଜଳ ଉପଲବ୍ଧ କରାଇବା ପାଇଁ ସରକାର ପ୍ରତିଶ୍ରୁୁତିବଦ୍ଧ ବୋଲି ସୂଚନା ଦେଇଛନ୍ତି ଭାରପ୍ରାପ୍ତ ମନ୍ତ୍ରୀ । କିଛି ବିଦ୍ୟାଳୟରେ ସ୍ଥାୟୀ ପାନୀୟ ଯୋଗାଣ ବ୍ୟବସ୍ଥା ନଥିବାରୁ ସେଠାରେ ମାଠିଆ ଦ୍ୱାରା ପାନୀୟ ଜଳ ଯୋଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ଯେଉଁ ସବୁ ସରକାରୀ ବିଦ୍ୟାଳୟରେ ଶୌଚାଳୟ ନିର୍ମାଣ ହୋଇପାରିନାହିଁ, ସେଠାରେ ଅସ୍ଥାୟୀ ଶୌଚାଳୟ ତିଆରି କରାଯାଇଛି । ବିଦ୍ୟାଳୟରେ ତୁରନ୍ତ ଶୌଚାଳୟ ଓ ପାନୀୟ ଜଳ ବ୍ୟବସ୍ଥା ଯୋଗାଇବା ପାଇଁ ସରକାରଙ୍କ ପକ୍ଷରୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ବିଦ୍ୟାଳୟରେ ଶୌଚାଳୟ ନ ଥିବା ନେଇ ଉଦବେଗ ପ୍ରକାଶ କରିଛନ୍ତି ଉଭୟ ଶାସକ ଓ ବିରୋଧୀ ଦଳ ସଦସ୍ୟ । ଏ ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ସରକାରଙ୍କୁ ସମାଲୋଚନା କରିବା ସହ ତାରା କହିଛନ୍ତି ସମସ୍ତ ବିଦ୍ୟାଳୟରେ ଶୌଚାଳୟ ହୋଇ ନପାରିବା ଅତି ଦୁର୍ଭାଗ୍ୟଜନକ ।

ସମ୍ବନ୍ଧିତ ଖବର