ଏକାମ୍ରରେ ଐତିହ୍ୟ, କୀର୍ତ୍ତିରାଜି ଚିନ୍ତା ଏମିତି : ମନ୍ଦିର ମୁହଁରେ ଶୌଚାଳୟ, ଗର୍ଭଗୃହରେ ଦୋକାନ

ଭୁବନେଶ୍ବର : ଏବେ ସମସ୍ତଙ୍କୁ ଏକାମ୍ର କ୍ଷେତ୍ରର ଐତିହ୍ୟ, କୀର୍ତ୍ତିରାଜି ଚିନ୍ତା ଘାରିଛି। ଏନ୍‌ଏମ୍‌ଏର ବାଇ ଲ’କୁ ନେଇ ବିଜେଡି- ବିଜେପି ମୁହାଁମୁହିଁ ହୋଇଛନ୍ତି। ପରସ୍ପର ଉପରେ ଦୋଷ ଲଦାଲଦି ହେଉଛନ୍ତି। ଏଏସ୍‌ଆଇ କୀର୍ତ୍ତିରାଜିର ସଂରକ୍ଷଣ ଆଳରେ ମଝିରେ ମଝିରେ ଗୋଟିଏ ଲେଖାଏଁ କେଁ ପୂରାଉଛି। କେବଳ ଯେଉଁ କୀର୍ତ୍ତିରାଜିକୁ ଶ୍ରଦ୍ଧାଳୁ ଯାଉଛନ୍ତି, ତାହାର ରକ୍ଷଣା‌ବେକ୍ଷଣ କରୁଛି। କିନ୍ତୁ ଅନ୍ୟ ଅନେକ କୀର୍ତ୍ତିରାଜି ପ୍ରତି ଆଖି ବୁଜି ଦେଇଛି। ରାଜ୍ୟ ସରକାର ବି ସେହି ଢଙ୍ଗରେ ଚାଲିଛନ୍ତି। ଯେଉଁଠି ଏକାମ୍ର ଯୋଜନା କାର୍ଯ୍ୟକାରୀ ହେଉଛି ସେହିଠାରେ ହିଁ ବେଶ୍ କିଛି ଐତିହ୍ୟ, କୀର୍ତ୍ତିରାଜି ସଙ୍କଟାପନ୍ନ ଅବସ୍ଥାରେ ଅଛି। କେଉଁଠି ଲୋକେ ଶତାବ୍ଦୀ ଶତାବ୍ଦୀ ତଳର ନାମ ଅଜଣା ପୁରୁଣା ମନ୍ଦିରକୁ ପାଚେରି ଘେରାଇ ଲୋକେ ମନ୍ଦିର ମୁହଁରେ ଲୋକେ ଶୌଚାଳୟ ତିଆରି କରିଛନ୍ତି ତ ଆଉ କେଉଁଠି ମନ୍ଦିରର ଗର୍ଭଗୃହରେ ଦୋକାନ କରିଛନ୍ତି।
ଯେଉଁ ଶୁକଶାରି ମନ୍ଦିରକୁ ନେଇ ଏଏସ୍‌ଆଇ ଓ ରାଜ୍ୟ ସରକାର ମୁହାଁମୁହିଁ ହୋଇଛନ୍ତି, ସେହି ମନ୍ଦିରର ୫୦ମିଟର ଦୂରରେ ଏମିତି ଏକ ମନ୍ଦିରଅଛି ଯାହାର ନାମ କେହି ଜାଣିନାହାନ୍ତି। ମନ୍ଦିରର ଅବସ୍ଥା ଏପରି ହୋଇଛି ଯେ ମନ୍ଦିର ଭିତରକୁ ଯିବାକୁ ବାଟ ନାହିଁ। ମନ୍ଦିରର ଦୁଇ ପାର୍ଶ୍ବରେ ଘର ନିର୍ମାଣ ହୋଇ ଯାଇଥିବାବେଳେ ମନ୍ଦିର ପ୍ରବେଶ ଦ୍ବାର ନିକଟରେ ଦୁଇଟି ଶୌଚାଳୟ ରହିଛି। କେବଳ ଶୌଚାଳୟ ନୁହେଁ; ଏଠାରେ ଦୁଇଟି ଉଠା ଚୁଲା ବି ପଡ଼ିଛି। ମନ୍ଦିର ଭିତରେ ଠାକୁର ଅଛନ୍ତି କି ନାହିଁ କେହି ଜାଣିନାହାନ୍ତି। ହେଲେ ମନ୍ଦିରର ପାର୍ଶ୍ବ ଦେବତା ଭାବେ ଅଗ୍ରପୂଜ୍ୟ ଶ୍ରୀ ଗଣେଶ ପୂଜା ପାଉଛନ୍ତି। ମନ୍ଦିରର ତିନି ପାର୍ଶ୍ବ ଆବଦ୍ଧ ହୋଇଯାଇଥିବାରୁ ମନ୍ଦିର ଭିତର ଅବସ୍ଥା କେମିତି ଅଛି ତାହା ଜାଣି ହେଉନାହିଁ।

କୌଣସି ଐତିହ୍ୟ କୀର୍ତ୍ତିରାଜିର ୧୦୦ ମିଟର ଦୂରତା ମଧ୍ୟରେ କିଛି ନିର୍ମାଣ ହୋଇପାରିବନି ବୋଲି ନିୟମ ରହିଛି। ତଥାପି କିପରି ଘର କରି ରହୁଛନ୍ତି ବୋଲି ସ୍ଥାନୀୟ ଲୋକଙ୍କୁ ପଚାରିବାରୁ ସେମାନେ ଓଲଟି ପ୍ରଶ୍ନ କରିଛନ୍ତି, ଆମେ ସେବାୟତ ମନ୍ଦିର ପାଖରେ ରହିବୁନି ତ ଆଉ କ’ଣ ଦୂରରେ ରହିବୁ? କେଉଁ କାଳରୁ ଆମ ପୂର୍ବପୁରୁଷ ଏଠାରେ ଅଛନ୍ତି। ଝୁମ୍ପୁଡ଼ି ଘର ଥିଲା। ତା’ପରେ ଆମେ କୋଠା ଘର କରିଛୁ। ଯଦି ରାଜ୍ୟ ସରକାର, କେନ୍ଦ୍ର ସରକାର ଓ ଏଏସ୍‌ଆଇ ଏତେ ତତ୍ପରତା ଦେଖାଉଛନ୍ତି, ତେବେ ଆମକୁ କ୍ଷତିପୂରଣ ଦିଅନ୍ତୁ, ଆମେ ଉଠିଯିବୁ। ଆମର ଯେତିକି ଜମି ଅଛି ସେତିକିରେ ଘ‌ର ନିର୍ମାଣ କରିଛୁ। ମନ୍ଦିର ପାଇଁ କ’ଣ ଆମେ ଘରଦ୍ବାର ଛାଡ଼ି ବସ୍ତିରେ ରହିବୁ?

ସେମାନେ ଆହୁରି କହିଛନ୍ତି, ଏମିତିରେ ଏ ମନ୍ଦିରରେ ଠାକୁର ନାହାନ୍ତି। ଏଏସ୍‌ଆଇ ତ ଏଇଟା କେଉଁ ମନ୍ଦିର କହିପାରୁନି। ମଝିରେ ଥରେ ଆସି ଏହାର ନମ୍ବରିଂ କରିଥିଲେ। ମନ୍ଦିର ଭିତରେ ବାଲି ପୂରାଇ ମନ୍ଦିର ଦ୍ବାର ବନ୍ଦ କରିଦେଇଛନ୍ତି। ଆମେ କିଛି କରିନୁ।

ମନ୍ଦିରରେ ଠାକୁର ନାହାନ୍ତି, ବେପାର ଚାଲିଛି
ଏକାମ୍ର ଯୋଜନାରେ ଶ୍ରୀ ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବ, ବିନ୍ଦୁ ସାଗର ଓ ଅନନ୍ତ ବାସୁଦେବ ମନ୍ଦିର ଚତୁଃପାର୍ଶ୍ବର ଉନ୍ନତୀକରଣ କରାଯାଉଛି। ବିଡିଏର ଏକ ହେରିଟେଜ୍‌ ସେଲ୍‌ ଐତିହ୍ୟ ଓ କୀର୍ତ୍ତିରାଜି ଉପରେ କାମ କରୁଛି। ଏପରିକି ଏନ୍‌ଏମ୍‌ଏ ଅନନ୍ତ ବାସୁଦେବ ମନ୍ଦିର ପାଇଁ ସ୍ବତନ୍ତ୍ର ବାଇ ଲ’ ପ୍ରସ୍ତୁତ କରିଛି। ହେଲେ ଅନନ୍ତ ବାସୁଦେବ ମନ୍ଦିର ପାଖରେ ଉପରୋକ୍ତ ସବୁ ସଂସ୍ଥାଙ୍କ ପାରଙ୍ଗମତା ଜଣାପଡ଼ିଯାଉଛି।

ଅନନ୍ତ ବାସୁଦେବଙ୍କ ମନ୍ଦିର ହନୁମାନ ମନ୍ଦିର ନିକଟରେ ତ୍ରୟୋଦଶ ଶତାବ୍ଦୀର ଏକ ମନ୍ଦିର ଅଛି। ଏହାର ସମ୍ମୁଖ ପାର୍ଶ୍ବରେ ଏକ ଦେବତାଙ୍କ ପ୍ରତିମୂର୍ତ୍ତି ଅଛି। ହେଲେ ଭିତରେ କୌଣସି ଦେବାଦେବୀ ପୂଜା ପାଉନାହାନ୍ତି। ବରଂ ଏହା ଭିତରେ ଦୋକାନ ଚାଲିଛି। ମନ୍ଦିରରେ କେହି ଠାକୁର ନଥିବାରୁ ଏହା ଭିତରେ ମହାପ୍ରସାଦ ପ୍ରସ୍ତୁତି ପାଇଁ କୁଡ଼ୁଆ, ନେବା ପାଇଁ ଟୋକେଇ ଓ ବିଭିନ୍ନ ସାମଗ୍ରୀ ବିକ୍ରି କରାଯାଉଛି। ଏହି ମନ୍ଦିରର ନାଁ କାହାକୁ ଜଣାନାହିଁ। ଐତିହ୍ୟ, କୀର୍ତ୍ତିରାଜି ନାଁରେ ତତ୍ପରତା ଦେଖାଉଥିବା ସଂସ୍ଥାଗୁଡ଼ିକ ବି ଏହି ମନ୍ଦିରର ପରିଚୟ ଖୋଜିବାକୁ ଚେଷ୍ଟା କରିନାହାନ୍ତି। ଫଳରେ ଏହି ମନ୍ଦିରରେ ଏବେ ଠାକୁରଙ୍କ ଚିହ୍ନବର୍ଣ୍ଣ ନାହିଁ।

ଏନେଇ ସ୍ଥାନୀୟ ଜଣେ ସେବାୟତଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ରାଜାମାନେ ପୁରୁଣା ଭୁବନେଶ୍ବରରେ ବହୁତ ମନ୍ଦିର କରିଦେଇଛନ୍ତି। ବହୁ ମନ୍ଦିରରେ ଠାକୁର ନାହାନ୍ତି। ଏ ମନ୍ଦିରରେ ବି ଠାକୁର ନାହାନ୍ତି। ଅନନ୍ତ ବାସୁଦେବଙ୍କ ମନ୍ଦିର ପାଖରେ ହୋଇଥିବାରୁ ଏହା ଠାକୁରଙ୍କ କାମରେ ଲାଗୁଛି।

ଡ୍ରେନ୍‌ କଡ଼ରେ ମହାଦେବ:
ମନ୍ଦିରର ନାଁ ସମ୍ପୂର୍ଣ୍ଣ ଜଳେଶ୍ବର ମନ୍ଦିର। କିମ୍ବଦଂନ୍ତି କହେ, ଏଠାରେ ମହାଦେବ ଜଳରେ ବୁଡ଼ି ରହୁଥିଲେ। ମହାଦେବଙ୍କ ଉପରେ ଏକ ଝରଣା ବହୁଥିଲା। ତେଣୁ ଏହାକୁ ସଂପୂର୍ଣ୍ଣ ଜଳଶ୍ବେର ମନ୍ଦିର କୁହାଯାଏ। ଆଶ୍ବସ୍ତିର ବିଷୟ ଏଠାରେ ମହାଦେବ ଅଛନ୍ତି କିନ୍ତୁ ମହାଦେବଙ୍କ ଉପରେ ଝରଣାର ପାଣି ବହୁନି। ମହାଦେବଙ୍କ କଡ଼ରେ ରାଜଧାନୀର ଯାବତୀୟ ଆବର୍ଜନାର ପାଣି, ଡ୍ରେନ୍, ସ୍ବେରେଜ୍‌ ଟାଙ୍କିର ମଇଳା ଯାଉଛି। ଏମିତି ଦୁର୍ଗନ୍ଧ ହେଉଛି ଯେ, ଶ୍ରଦ୍ଧାଳୁ ବି ମନ୍ଦିର ନିକଟକୁ ‌ଯାଉନାହାନ୍ତି। ଖାଲି ମହାଦେବ ବୋଲି ସେଠାରେ ଅଛନ୍ତି।

ସଂପୂର୍ଣ୍ଣ ଜଳେଶ୍ବର ମନ୍ଦିର ପଛ ପାର୍ଶ୍ବରେ ଏକାମ୍ର ଯୋଜନାରେ ନୂଆ ନିର୍ମାଣ ପାଇଁ ସବୁ ଭାଙ୍ଗିରୁଜି ସଫା କରି ଦିଆଯାଇଛି। ହେଲେ କେହି ଏହି ଡ୍ରେନ୍‌ରେ ହାତ ମାରୁନାହାନ୍ତି। ଡ୍ରେନ୍‌ କଡ଼ରେ ମହାଦେବଙ୍କୁ ଛାଡ଼ି ଦେଇଛନ୍ତି। ଏଏସ୍‌ଆଇ ଅଧୀନରେ ଏହି ମନ୍ଦିର ଯାଉଥିଲେ ହେଁ ଏଠାରେ ୧୦୦ମିଟର ମଧ୍ୟରେ କୌଣସି ନିର୍ମାଣ ହୋଇପାରିବନି ନିୟମକୁ ଫୁ’ କରିଦିଆଯାଇଛି। ଏବେବି ଏଠାରେ ନୂଆ କୋଠା ନିର୍ମାଣ ହେଉଛି। ମନ୍ଦିରର ତିନି ପାର୍ଶ୍ବ‌ରେ ସୁଉଚ୍ଚ କୋଠା ମନ୍ଦିରକୁ ଲୁଚାଇ ଦେଇଛି। ସୂଚନାଯୋଗ୍ୟ ଯେ, ମୁଖ୍ୟ ଡ୍ରେନ୍ ୭ ଓୟୁଏଟି ନିକଟରୁ ବାହାରିବା ପରେ ବିମାନବନ୍ଦର କଡ଼, ନବୀନ ନିବାସ ହୋଇ ପୁରୁଣା ଭୁବନେଶ୍ବରକୁ ଆସିଛି।

ସମ୍ବନ୍ଧିତ ଖବର