ଭୁବନେଶ୍ବର : ସ୍କୁଲ୍ରେ ପାଇଖାନା ନିର୍ମାଣ ହେଉଛି। ସରକାର କାଗଜପତ୍ରରେ ଲମ୍ବା ତାଲିକା ଦେଖାଉଛନ୍ତି। କିନ୍ତୁ ନିର୍ମାଣ ହେଲା ପରେ ସେଗୁଡ଼ିକର ରକ୍ଷଣାବେକ୍ଷଣ କିପରି ହେବ, ସେ କଥା ଚିନ୍ତା କରୁ ନାହାନ୍ତି। କେଉଁଠି ପାଣି ନାହିଁ ତ କେଉଁଠି କର୍ମଚାରୀ ନାହାନ୍ତି। ତେଣୁ ସେଗୁଡ଼ିକ ବ୍ୟବହାର ଉପଯୋଗୀ ହେଉନି। ଆଜି ବିଧାନସଭାର ପ୍ରଶ୍ନକାଳରେ ଦଳ, ମତ ନିର୍ବିଶେଷରେ ବିଧାୟକମାନେ ଏମିତି ଉଦ୍ବେଗ ପ୍ରକାଶ କରିଥିଲେ। ଆଉ ଦାବି ଜଣାଇଥିଲେ, ସବୁ ସ୍କୁଲ୍ରେ ପିଅନ୍ ନିଯୁକ୍ତି ଦିଅ। ସ୍କୁଲ୍ ପାଇଖାନା ସମେତ ପରିସରକୁ ସଫା ରଖିବା ଝାଡ଼ୁଦାର ନିଯୁକ୍ତିର ବ୍ୟବସ୍ଥା କର। ଶାସକ ଦଳ ସଭ୍ୟ ପ୍ରଦୀପ ମହାରଥୀ ପାଦେ ଆଗକୁ ଯାଇ ଶାଣିତ ଭାଷାରେ କହିଥିଲେ, ବାଞ୍ଝ ଦୋଷ କାଟିବା ପାଇଁ ପିଲା ଜନ୍ମ କରିଦେଲେ ହେବ ନାହିଁ। ତାହାକୁ ଲାଳନ ପାଳନ କରି ମଣିଷ କରିବାର ଆବଶ୍ୟକତା ରହିଛି।
ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପିଅନ, ଝାଡ଼ୁଧାର ନିଯୁକ୍ତି ନେଇ କୌଣସି ପ୍ରତିଶ୍ରୁତି ଦେଇ ନ ଥିଲେ। ପାଇଖାନା ସଫା ରଖିବା ଓ ସ୍କୁଲ୍ ପରିସରକୁ ସ୍ବଚ୍ଛ ରଖିବାର ଦାୟିତ୍ବ ସମସ୍ତଙ୍କର ଅଛି କହି ବିଭାଗ ଉପରକୁ ଦାୟିତ୍ବ ନେଇ ନ ଥିଲେ।
କଂଗ୍ରେସ ସଭ୍ୟ ସନ୍ତୋଷ ସିଂହ ସାଲୁଜାଙ୍କ ମୂଳ ପ୍ରଶ୍ନ ଥିଲା, ରାଜ୍ୟ ସରକାର କେତୋଟି ବାଳିକା ହାଇସ୍କୁଲ୍ ଓ ଏମ୍ଇ ସ୍କୁଲ୍ରେ ପାଇଖାନା ତିଆରି କରିଛନ୍ତି ଓ କେତୋଟିରେ ଆଜି ପର୍ଯ୍ୟନ୍ତ ହୋଇ ନାହିଁ ? କେଉଁ ସମୟସୀମା ମଧ୍ୟରେ ସରକାର ସମସ୍ତ ଉଚ୍ଚ ମାଧ୍ୟମିକ ସ୍କୁଲ, ହାଇସ୍କୁଲ, ବାଳିକା ହାଇସ୍କୁଲ୍ ଓ ଏମ୍ଇ ସ୍କୁଲ୍ରେ ପାଇଖାନା ନିର୍ମାଣ କରିବେ? ଗଣଶିକ୍ଷା ମନ୍ତ୍ରୀଙ୍କ ଉତ୍ତର ଥିଲା, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଭାଗିତାରେ ରାଜ୍ୟର ସମସ୍ତ ୧୬,୧୧୭ଟି ସରକାରୀ ଏମ୍ଇ ସ୍କୁଲ୍େର ପାଇଖାନା ତିଆରି ହୋଇଛି। କେବଳ କେନ୍ଦ୍ରାପଡ଼ା ଜିଲ୍ଲାର ଦେ ସାହିସ୍ଥିତ ପଞ୍ଚାୟତ ବାଳିକା ହାଇସ୍କୁଲ୍କୁ ଛାଡ଼ି ରାଜ୍ୟର ୨୮୮ଟି ସରକାରୀ ବାଳିକା ହାଇସ୍କୁଲ୍ରେ ପାଇଖାନା ଅଛି। ସେହିପରି ବେସରକାରୀ ଅନୁଦାନପ୍ରାପ୍ତ ହାଇସ୍କୁଲ୍ଗୁଡ଼ିକ ମଧ୍ୟରୁ ୧୧ଟି ବାଳିକା ହାଇସ୍କୁଲ୍ରେ ପାଇଖାନା ନାହିଁ। ବିଭାଗ ଅଧୀନସ୍ଥ ସମସ୍ତ ଉଚ୍ଚ ମାଧ୍ୟମିକ ସ୍କୁଲ୍ରେ ପାଇଖାନା ତିଆରି କରାଯାଇଛି।
ମୂଳ ପ୍ରଶ୍ନକର୍ତ୍ତା ଶ୍ରୀ ସାଲୁଜା କ୍ଷୋଭ ପ୍ରକାଶ କରି କହିଥିଲେ, ପ୍ରଧାନମନ୍ତ୍ରୀ ଆମେରିକାରେ କହୁଛନ୍ତି ଯେ ଭାରତରେ କେହି ଶୌଚ ପାଇଁ ବାହାରକୁ ଯାଉ ନାହାନ୍ତି। କିନ୍ତୁ ଓଡ଼ିଶାରେ ଏବେ ବି ଏମିତି ସ୍କୁଲ୍ ଅଛନ୍ତି, ଯେଉଁଠାରେ ଶୌଚାଳୟ ନାହିଁ। ବାଳିକା ସ୍କୁଲ୍ରେ ଶୌଚାଳୟ ନ ଥିବା ଏକ ସାଂଘାତିକ ସମସ୍ୟା। ଏହାର ତୁରନ୍ତ ପ୍ରତିକାର କରନ୍ତୁ। ଭୂପିନ୍ଦର ସିଂହ କହିଥିଲେ, ବର୍ତ୍ତମାନ ଅଧିକାଂଶ ସ୍କୁଲ୍ରେ ଛାତ୍ରୀଙ୍କ ସଂଖ୍ୟା ଅଧିକ। ତେଣୁ ଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ କମନ୍ ରୁମ୍ରେ ସଂଲଗ୍ନ କରାଯାଇ ଶୌଚାଳୟ ନିର୍ମାଣ କରାଯାଉ। ପ୍ରଦୀପ ମହାରଥୀ ଓ ଅମର ଶତପଥୀ ଶୌଚାଳୟ ସଫା ହେଉ ନ ଥିବାରୁ ଉଦ୍ବେଗ ପ୍ରକାଶ କରିଥିଲେ। ବିଷ୍ଣୁ ଚରଣ ସେଠୀ ଅତିରିକ୍ତ ପ୍ରଶ୍ନ କରିଥିଲେ।
ମନ୍ତ୍ରୀ ଶ୍ରୀ ଦାଶ କହିଥିଲେ, କିଛି ସ୍କୁଲ୍ରେ ଜମି ସମସ୍ୟା ଯୋଗୁ ଶୌଚାଳୟ ନିର୍ମାଣ ହୋଇପାରିନି। ତେବେ ଅସ୍ଥାୟୀ ବ୍ୟବସ୍ଥା କରିବାକୁ ସ୍କୁଲ୍ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରାୟ ସବୁ ସ୍କୁଲ୍ରେ ପାଣି ବ୍ୟବସ୍ଥା ଅଛି। ଶୌଚାଳୟ ସଫା ରଖିବା ଓ ଏହାକୁ ବ୍ୟବହାର କରିବା ପାଇଁ ସବୁ ସ୍ତରରେ ସଚେତନ ହେବା ଆବଶ୍ୟକ। ସମେସ୍ତ ନିଜ ନିଜ ଦାୟିତ୍ବ ପ୍ରତି ସଚେତନ ହେଲେ ଶୌଚାଳୟ ରକ୍ଷଣାବେକ୍ଷଣ ଠିକ୍ ହୋଇପାରିବ।