ରାଉରକେଲା : ଗାଁ ହେଉ କି ସହର। ବାହ୍ୟମଳମୁକ୍ତ କରିବା ଲକ୍ଷ୍ୟରେ ସ୍ବଚ୍ଛ ଭାରତ ମିସନ୍‌ ଜରିଆରେ ପ୍ରତ୍ୟେକ ଘରେ ନିର୍ମାଣ ହୋଇଛି ପାଇଖାନା। ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁ ଗ୍ରାମାଞ୍ଚଳରେ ପାଖାପାଖି ୬୦% ପାଇଖାନା କାମରେ ଆସୁନି। ସୁନ୍ଦରଗଡ଼ ଜିଲ୍ଲାର ପ୍ରତ୍ୟେକ ବ୍ଲକ୍‌ର ଅଧାରୁ ଅଧିକ ଗାଁରେ ଏଭଳି ଚିତ୍ର ଦେଖିବାକୁ ମିଳୁଛି। ପ୍ରତ୍ୟେକ ପାଇଖାନା ନିର୍ମାଣ ବାବଦରେ ୧୨ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ହେଲେ କେଉଁଠି ପାଇଖାନା ଅଧପନ୍ତରିଆ ହୋଇପଡ଼ିଛି ତ ଅନ୍ୟ କେଉଁଠି କବାଟ ନାହିଁ। ଆଉ କେଉଁଠି ଇଟା ଦିଖଣ୍ଡ ପକାଇ କାମ ସାରି ଦିଆଯାଇଛି। କିଛି ସ୍ଥାନରେ କାଗଜ କଲମରେ ଦର୍ଶାଇ ମିଳିଥିବା ଅର୍ଥକୁ ଚଳୁ କରି ଦିଆଯାଇଛି। ହାଣ୍ଡିରୁ ଗୋଟିଏ ଭାତ ଚିପିଲା ପରି ବିଶ୍ରା ଓ ନୂଆଗାଁ ବ୍ଲକରେ ଏଭଳି ଦୁର୍ନୀତି ଚିତ୍ର ସାମ୍ନାକୁ ଆସିଛି।

Advertisment

ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଠାରୁ ମିଳିଥିବା ତଥ୍ୟ ଓ ବାସ୍ତବ ଚିତ୍ର ମଧ୍ୟରେ ଅନେକ ଫରକ ଦେଖିବାକୁ ମିଳିଛି। ଅଫିସ୍‌ କାଗଜପତ୍ରରେ ସବୁକିଛି ଠିକ୍‌ ଭାବେ କରାଯାଇଥିବା ଦର୍ଶାଇ ଠିକାଦାରମାନେ ବିଲ୍‌ ଉଠାଇ ନେଇଥିବା ଅଭିଯୋଗ ହେଉଛି। କାର୍ଯ୍ୟାନୁଷ୍ଠାନ ପାଇଁ ସ୍ଥାନୀୟ ଲୋକ ଏ ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଫଳ କିନ୍ତୁ ଶୂନ୍‌। ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ନୂଆଗାଁ ବ୍ଲକ୍‌ର ୨୦ଟି ପଞ୍ଚାୟତରେ ୨୦୧୬-୧୭ ଆର୍ଥିକ ବର୍ଷରୁ ୨୦୨୦-୨୧ ମଧ୍ୟରେ ମୋଟ୍‌ ୧୫ ହଜାର ୪୦ ପାଇଖାନା ତିଆରି ହୋଇଛି। ୨୦୨୨-୨୩ରେ ଗତ ବର୍ଷ ଠାରୁ କମ୍‌ ନିର୍ମାଣ ହୋଇଛି। ଅଙ୍କୁରପାଲି ପଞ୍ଚାୟତରେ ୫୯୦, ବଡ଼ଯୋଜାଦାରେ ୫୫୫, ବାଗଡ଼େଗାରେ ୯୩୦, ବାରିଲେପ୍‌ଟାରେ ୯୮୯, ଚିତାପେଡ଼ିରେ ୧୨୬୨, ହାତୀବାରିରେ ୮୮୪, ଯାହାଡ଼ିଟୋଲିରେ ୭୭୫, କନ୍ଦରକେଲାର ୯୧୪, କରଡ଼େଗାର ୭୫୨, କର୍କଟନାଶାର ୨୩୦, ଖୁଣ୍ଟଗାଁରେ ୮୭୬, କୋକେରମାରେ ୮୫୨, ଲିମ୍‌ଡ଼ାରେ ୫୭୫, ଲୁକୁମବେଡ଼ାରେ ୬୦୫ ଓ ମେନ୍‌ମେନାରେ ୯୧୮ଟି ପାଇଖାନା ତିଆରି ହୋଇଥିବା କାଗଜପତ୍ରରେ ଦର୍ଶାଯାଇଛି। ଆଶ୍ଚର୍ଯ୍ୟର କଥା ଏହିସବୁ ଜାଗାରେ କିନ୍ତୁ ଏତିକି ସଂଖ୍ୟକ ପାଇଖାନା ନିର୍ମାଣ ହୋଇନଥିବା ଦେଖିବାକୁ ମିଳୁଛି। ସେହି ଭଳି ନୂଆଗାଁ ପଞ୍ଚାୟତରେ ୯୪୫, ପୁରୁଣାପାଣିରେ ୬୯୪, ସୋରଡ଼ାରେ ୭୪୭, ତେତେରକେଲାରେ ୪୫୫ ଓ ଉର୍ମେଇରେ ୪୯୧ଟି ପାଇଖାନା ତିଆରି ହୋଇଛି। ଏଠି ବି ସେହି ସମାନ ସ୍ଥିତି ଦେଖିବାକୁ ମିଳିଛି।

ଅନୁରୂପ ଭାବେ ବିଶ୍ରା ବ୍ଲକ୍‌ର ୧୪ଟି ପଞ୍ଚାୟତରେ ମୋଟ୍‌ ୧୦ ହଜାର ୧୨୫ଟି ପାଇଖାନା ତିଆରି ହୋଇଛି। ବଡ଼ବମ୍ବୁଆ ପଞ୍ଚାୟତରେ ୬୫୪, ଭାଲୁଲତାରେ ୬୫୦,‌ ବିଶ୍ରାରେ ୭୮୩, ବନ୍ଧମୁଣ୍ଡାରେ ୪୪୬, ଡରେଇକେଲାରେ ୭୫୭, ଜାମସେରାରେ ୫୭୮, ଜରେଇକେଲାରେ ୭୦୮ ଟି ପାଇଖାନା ତିଆରି କରାଯାଇଛି। ସେମିତି ଝିରପାଣି ପଞ୍ଚାୟତରେ ୯୩୭ଟି ପାଇଖାନା ତିଆରି ହୋଇଥିବାବେଳେ କପାଟମୁଣ୍ଡାରେ ୮୮୦, ମନ୍‌କୋରେ ୪୪୩, ସନ୍ତୋଷପୁରରେ ୬୫୦, ଠେଠେଇପୋଷରେ ୭୩୯, ତୁଲସୀକାନରେ ୬୩୪ ଓ ଉଡ଼ୁଶୁରେ ୧୨୬୬ଟି ପାଇଖାନା ତିଆରି ହୋଇଛି। ଦୁଇ ବ୍ଲକ୍‌ରେ ୨୫ ହଜାରରୁ ଅଧିକ ପାଇଖାନା ବାବଦରେ ପ୍ରାୟ ୩୦ କୋଟି ୧୯ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ବିଡ଼ମ୍ବନା ହେଲା, ଗ୍ରାମାଞ୍ଚଳରେ ଏବେ ଅଧିକାଂଶ ପରିବାର ବାହାରକୁ ‌ଶୌଚ କରି ଯାଉଛନ୍ତି। କେବଳ ଏହି ଦୁଇଟିଯାକ ବ୍ଲକ୍‌ରେ ନୁହେଁ ଜିଲ୍ଲାର ପ୍ରାୟ ସମସ୍ତ ବ୍ଲକ୍‌ରେ ସେହି ସମାନ ସ୍ଥିତି ଦେଖିବାକୁ ମିଳୁଛି। ମୋଟ୍‌ ଉପରେ, ସାରା ଜିଲ୍ଲାରେ ପାଇଖାନା ନିର୍ମାଣ ମାମଲାରେ କୋଟି କୋଟି ଟଙ୍କା ଦୁର୍ନୀତିର ଗନ୍ଧ ଆସୁଛି। କାମ ନେଇଥିବା ଠିକା ସଂସ୍ଥା ଓ ବିଭାଗୀୟ ଅଧିକାରୀଙ୍କୁ ତଦନ୍ତ ପରିସରଭୁକ୍ତ କରାଗଲେ ବଡଧରଣ ଦୁର୍ନୀତିର ପର୍ଦ୍ଦାଫାସ ହୋଇପାରନ୍ତା।