ଟ୍ରାଫିକ୍‌ ପୁଲିସ ପାଇଁ ପରିସ୍ରାଗାର ପ୍ରସଙ୍ଗ: ୬ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ପୁଲିସ ଡିଜିଙ୍କୁ ନିର୍ଦେଶ

ଭୁବନେଶ୍ୱର: ସାରା ରାଜ୍ୟରେ ମହିଳା ଟ୍ରାଫିକ୍‌ କନଷ୍ଟେବଲ ଓ ହୋମଗାର୍ଡମାନେ ଖରା, ବର୍ଷା ଓ ଶୀତ ଭଳି ପ୍ରତିକୂଳ ପରିସ୍ଥିତିରେ କାମ କରୁଛନ୍ତି। ସେମାନଙ୍କ ପାଇଁ ପୁଲିସ ବିଭାଗ ପକ୍ଷରୁ ସାମନ୍ୟତମ ସୁବିଧା ସଯୋଗ ମଧ୍ୟ ଯୋଗାଇ ଦିଆ ଯାଉ ନାହିଁ। ମହିଳା କନଷ୍ଟେବଲ ଓ ହୋମଗାର୍ଡମାନେ ଡ୍ୟୁଟି କରିବାବେଳେ ଶୌଚ ପାଇଁ ଛକ ନିକଟରେ ଥିବା ସପିଂ ମଲ୍‌ କିମ୍ବା ନିକଟରେ ରହୁଥିବା ସାଧାରଣ ଲୋକଙ୍କ ଘରକୁ ଯିବାକୁ ପଡ଼ୁଛି। ପୁରୁଷ ଟ୍ରାଫିକ୍‌ କନଷ୍ଟେବଲ ଓ ହୋମଗାର୍ଡମାନେ ମଧ୍ୟ ସମାନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ୬ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ରାଜ୍ୟ ମାନବାଧିକାର କମିସନର ଅତିରିକ୍ତ ଗୃହ ସଚିବ ଓ ପୁଲିସ ଡିଜିଙ୍କୁ ରିପୋର୍ଟ ତଲବ କରିଛନ୍ତି। ମାନବାଧିକାର କର୍ମୀ ତଥା ଆଇନଜୀବୀ ବିଶ୍ୱପ୍ରିୟ କାନୁନଗୋ ରାଜ୍ୟ ମାନବାଧିକାର କମିସନରେ ପିଟିସନ୍‌ ଦାଖଲ କରିଥିଲେ।

ଆଇନଜୀବୀ କାନୁନଗୋଙ୍କଠାରୁ ମିଳିଥିବା ସୂଚନା ମୁତାବକ, ଟ୍ରାଫିକ୍‌ କନଷ୍ଟେବଲ ଓ ହୋମଗାର୍ଡମାନେ ପ୍ରତିକୂଳ ପରିସ୍ଥିତିରେ କାମ କରୁଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ଛତା, ଜୋତା, ବର୍ଷାତି, ଚଷମା ଆଦି ଯୋଗାଇ ଦିଆ ଯାଉ ନାହିଁ। କେବଳ ଏତିକି ନୁହେଁ ଡ୍ୟୁଟି କରୁଥିବା ମହିଳା ଟ୍ରାଫିକ୍‌ କନଷ୍ଟେବଲ ଓ ହୋମଗାର୍ଡମାନଙ୍କୁ ଶୌଚ ଲାଗିଲେ ସେମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଛକ ପାଖରେ ଥିବା ସପିଂ ମଲ୍‌, ସରକାରୀ କ୍ୱାଟର୍ସ କିମ୍ବା କୌଣସି ବ୍ୟକ୍ତି ବିଶେଷଙ୍କ ଘରକୁ ଯାଉଛନ୍ତି। ସେହିପରି ପୁରୁଷ କନଷ୍ଟେବଲ ଓ ହୋମଗାର୍ଡମାନେ ମଧ୍ୟ ପାଚେରି କଡ଼ କିମ୍ବା ଗଛମୂଳେ ପରିସ୍ରା କରୁଛନ୍ତି। ଏକ ବିଂଶ ଶତାବ୍ଦୀରେ ଏଭଳି ଘଟଣା ଟ୍ରାଫିକ୍‌ ପୁଲିସଙ୍କର ମାନବାଧିକାର କ୍ଷୂଣ କରୁଛି। ଏ ଭଳି ପରିସ୍ଥିତିରେ ଟ୍ରାଫିକ୍‌ ପୁଲିସ ପାଇଁ ବିଭାଗ କ’ଣ ପଦକ୍ଷେପ ନେଇଛି ଜଣାଇବାକୁ କମିସନ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର