ସ୍ବଚ୍ଛ ଭାରତରେ ବଡ଼ ଘୋଟାଲା! : ପାଇଖାନା ଦେଖା ନାହିଁ, ଉଠେଇ ନେଲେଣି ଟଙ୍କା

ଟଙ୍କା ପାଇବାକୁ ମାସ ମାସ ଧରି ଲୋକେ ଧାଉଁଛନ୍ତି, ସରକାରୀ ତଥ୍ୟ ଓ ବାସ୍ତବ ଚିତ୍ରରେ ଅନେକ ଫରକ

ବଲାଙ୍ଗୀର : ଯୋଜନାର ନାଁ ସ୍ବଚ୍ଛ ଭାରତ ମିସନ। ଲୋକେ ଏଣେତେଣେ ପାଇଖାନା ନଯାଇ ଘରେ ପାଇଖାନା ନିର୍ମାଣ କରିବା ହେଉଛି ଏହି ମିସନର ଏକ ପରିକଳ୍ପନା। କିଛି ବର୍ଷ ତଳେ ଏହି ଯୋଜନାରେ ବଲାଙ୍ଗୀର ଜିଲ୍ଲାର ସ୍ଥିତି ଭାରି ଖରାପ ଥିଲା। ରାଜ୍ୟର ସବୁଠାରୁ କମ୍ ପାଇଖାନା ବଲାଙ୍ଗୀର ଜିଲ୍ଲାରେ ନିର୍ମାଣ ହୋଇଥିବାରୁ ସମାଲୋଚନାର ଶିକାର ହେବାକୁ ପଡିଥିଲା। କିନ୍ତୁ ସରକାରୀ ତଥ୍ୟ ଅନୁସ‌ାରେ ବର୍ତ୍ତମାନ ବଲାଙ୍ଗୀର ଜିଲ୍ଲା ୬୮.୫୫ ପ୍ରତିଶତ ‌ପାଇଖାନା ନିର୍ମାଣ ହେଲାଣି। ଏହି ଯୋଜନାରେ ଅନେକ ହିତାଧିକାରୀ ଉପକୃତ ହୋଇଛନ୍ତି ତାହା ସ୍ବୀକାର କରିବାକୁ ହେବ। ତେବେ ସରକାରୀ ଭାବେ ଦିଆଯାଉଥିବା ଚିତ୍ର ଓ ସତ କ’ଣ ଜାଣିବାକୁ ସରଜମିନକୁ ଗଲେ ଧରାପଡିଯାଉଛି ସରକାରୀ ରିପୋର୍ଟରେ ଥିବା ଠକାମୀ। ବଲାଙ୍ଗୀର ଜିଲ୍ଲାର ଦେଓଗାଁ ବ୍ଲକର ଉପରଝର ପଞ୍ଚାୟତକୁ ଏହାର ଉଦାହରଣ ଭାବେ ନିଆଯାଉ।

ସ୍ବଚ୍ଛଭାରତ ମିଶନ ୱେବ୍‌ସାଇଟର ତଥ୍ୟ ଅନୁସାରେ, ବଲାଙ୍ଗୀର ଜିଲ୍ଲାରେ ୩ଲକ୍ଷ ୪୭ହଜାର ୬୧୭ଟି ପାଇଖାନା ନିର୍ମାଣ ଯୋଜନା ରହିଛି। ୧୩ହଜାର ୯୦୧ ଲୋକଙ୍କ ଘରେ ପାଇଖାନା ଅଛି। ୨ଲକ୍ଷ ୩୮ହଜାର ୧୭୦ଜଣ ପାଇଖାନା ନିର୍ମାଣ କଲେଣି। ୧ଲକ୍ଷ ୯ହଜାର ୪୪୭ଜଣ କରିନାହାନ୍ତି। ସେହିପରି ୨୦୧୪-୧୫ ବର୍ଷରେ ୨ହଜାର ୬୮୮, ୧୫-୧୬ ବର୍ଷରେ ୪୯ହଜାର ୧୩୪, ୧୬-୧୭ ବର୍ଷ‌ରେ ୨୬ହଜାର ୯୩୮, ୧୭-୧୮ ବର୍ଷରେ ୩୫ହଜାର ୮୩୨, ୧୮-୧୯ ବର୍ଷରେ ୧ଲକ୍ଷ ୯ହଜାର ୬୭୨ଜଣ ‌ପାଇଖାନା କଲେଣି।

ଇଏ ହେଉଛି ସରକାରୀ ନଥି ପତ୍ରର ହିସାବ। ଏବେ ଦେଓଗାଁ ବ୍ଲକ ଉପରଝର ପଞ୍ଚାୟତର ରେଙ୍ଗାଲି, ଫଟାମୁଣ୍ଡା, ନୂଆପାଲି, କୋହିମୁଣ୍ଡା ଗାଁର ପାଇଖାନାର ହାଲ୍ ଦେଖିଲେ ବେଶ ବୁଝାପଡିଯିବ ସରକାରୀ ରିପୋର୍ଟ ସତ ନା ସତ ଲୋକଙ୍କ ନାଁରେ ମିଛ ପାଇଖାନା ତିଆରି କରି ଟଙ୍କା ହଡପର ଷଡଯନ୍ତ୍ର। ଉପରଝର ପଞ୍ଚାୟତରେ ୧୦୪୬ଟି ହିତାଧିକାରୀ ଚିହ୍ନଟ କରାଯାଇଥିଲା ପାଇଖାନା ନିର୍ମାଣ ପାଇଁ। ସରକାରୀ ରିପୋର୍ଟରେ ଦର୍ଶାଯାଇଛି ଯେ, ୯୩୬ଜଣଙ୍କର ଅନୁମୋଦିତ ହୋଇ ପାଇଖାନା ନିର୍ମାଣ ହୋଇଛି। ବାହ୍ୟ ମଳ ମୁକ୍ତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ହେଲେ ଉପରଝର ଗାଁର ଯୋଗୀରାମ ଭଏଁଷା, କନ୍ଧ ବିଶ୍ବାଳ, ଫଟାମୁଣ୍ଡା ଗାଁର ଅଶୋକ ଅଗ୍ରୱାଲ, ରାଧାକାନ୍ତ ପ୍ରଧାନ, ଚମ୍ପାବତୀ ରାୟ, ସୁମିତ୍ରା ରାୟଙ୍କ ଭଳି ୧୧୮ଜଣ ହିତାଧିକାରୀଙ୍କ ନାଁରେ ୧୨ହଜାର ଟଙ୍କା ଲେଖାଏଁ ଉଠିଯାଇଛି। ହେଲେ ସେମାନେ ପାଇଖାନା ବାବଦରେ ଜାଣନ୍ତି ନାହିଁ। କେବଳ ପାଇଖାନା ହେବ ବୋଲି ଭୋଟର କାର୍ଡ ଓ ଆଧାର କାର୍ଡ ନେଇଯାଇଥିଲେ କିଛି ବାବୁ। ଏବେ ସେମାନେ ଜାଣିବା ବେଳକୁ କିଛି ନାହିଁ। ଦେଓଗାଁ ବ୍ଲକର ଉପରଝର ପଞ୍ଚାୟତର ୟେ ଉଦାହରଣ ମାତ୍ର। କେବଳ ଗୋଟିଏ ପଞ୍ଚାୟତ ନୁହେଁ, ଏଭଳି ଅନେକ ପଞ୍ଚାୟତରେ ପାଇଖାନା ନିର୍ମାଣ ନାଁରେ ଭୂତ ଲୋକଙ୍କ ନାଁରେ କୋଟି କୋଟି ଟଙ୍କାର ହେରଫେର କରାଯାଇଥିବା ଅଭିଯୋଗ।

କେବଳ ସେତିକି ନୁହେଁ, ପୁଇଁନ୍ତଳା ବ୍ଲକର ଘଟଣା। ମଲମୁଣ୍ଡା ଗାଁର କ୍ଷମାନିଧି ପଟେଲ ତାଙ୍କ ଘରେ ପାଇଖାନା ତିଆରି କରିଥିଲେ। ଗଲା ୮ମାସରୁ ୯ ମାସ ହେଲା ୧୨ ହଜାର ଟଙ୍କା ପାଇଁ ବାରମ୍ବାର ବ୍ଲକକୁ ଧାଉଁଛନ୍ତି। ଚାଷୀ ମୂଲିଆ ପରିବାରର ଶ୍ରୀ ପଟେଲ କେବଳ ନୁହନ୍ତି, ତାଙ୍କ ଭଳି ବ୍ଲକକୁ ଅନେକ ଲୋକ ଟଙ୍କା ପାଇଁ ଧାଇଁ ଧାଇଁ ନିରାଶ ହେଉଛନ୍ତି। ତା’ହେଲେ ଯୋଜନାର ସଫଳତା ଲୋକେ ପାଇବେ କେମିତି? ମାତ୍ର ୧୨ ହଜାର ଟଙ୍କା ପାଇଁ ଅଧିକାରୀଙ୍କଠାରୁ ସମସ୍ତଙ୍କ ସହ ସାଲିସ କରିବା ସହ ନେହୁରା ବି ହେଲେଣି। ତମେ ଚିନ୍ତା କର ନାହିଁ କହି ବିଦା କରି ଦିଆଯାଉଛି। କ୍ଷମାନିଧି ଚରିତ୍ର ମାତ୍ର, କିନ୍ତୁ ଏଭଳି ଅନେକ ଚରିତ୍ର ପାଇଖାନା ନିର୍ମାଣ କରି ବ୍ଲକକୁ ଧାଉଁଛନ୍ତି ଟଙ୍କା ପାଇବା ଆଶାରେ। ନିରାଶ ହୋଇ ଶେଷ‌ରେ ନୀରବ ହେବାକୁ ବାଧ୍ୟ ହେଉଛନ୍ତି।

ସମ୍ବନ୍ଧିତ ଖବର