ନୂଆଗାଁ ବ୍ଲକ୍‌ରେ ପାଇଖାନା ଯୋଜନାରେ ବଡ଼ ଧରଣର ଘୋଟାଲା : ମଲାଲୋକଙ୍କ ନାଁ’ରେ ତିଆରି ହେଉଛି ପାଇଖାନା!

ନୂଆଗାଁ : ନୂଆଗାଁ ବ୍ଲକ୍‌ରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି। କେତେବେଳେ ମଲା ଲୋକଙ୍କ ଭତ୍ତା ଟଙ୍କା ହଡ଼ପ କଲେଣି ତ ଆଉ କେତେବେଳେ ଥିଲାବାଲା ଲୋକଙ୍କୁ ଆବାସ ପ୍ରଦାନ କରୁଛନ୍ତି। ଆଉ ଏବେ ପାଇଖାନା ଯୋଜନାରେ ଏକ ବଡ଼ ଧରଣର ଘୋଟାଲା ହୋଇଥିବା ନଜରକୁ ଆସିଛି। କେବଳ ପାଇଖାନା ତିଆରି କରିନାହାନ୍ତି, ମଲାଲୋକଙ୍କ ନାଁରେ ପାଇଖାନା ଟଙ୍କା ଉଠାଇ ଆତ୍ମସାତ୍ କରିଛନ୍ତି। ଉଦୟପୁର ପଞ୍ଚାୟତର ବିଭିନ୍ନ ଆଦିବାସୀ ଗ୍ରାମରେ ଏଭଳି ଦୁର୍ନୀତି ହୋଇଥିବା ନଜରକୁ ଆସିଛି। ଖବର ପ୍ରକାଶ ପାଇବା ପରେ ଠିକାଦାର ମଲାଲୋକଙ୍କ ନାଁରେ ପାଇଖାନା ତିଆରି କରୁଛି। ଏହି କେଳେଙ୍କାରୀରେ କେବଳ ଯେ ଠିକାଦାର ସାମିଲ୍ ଅଛନ୍ତି ତାହା ନୁହେଁ, ବ୍ଲକ୍‌ର ବଡ଼ ବଡ଼ ଅଧିକାରୀଙ୍କ ହାତ ଥିବା ଅଭିଯୋଗ ହୋଇଛି।

greendatabase.org

ସୂଚନା ଥାଉକି, ମଲା ଲୋକଙ୍କ ଭତ୍ତା ଟଙ୍କା ହଡ଼ପ କରିବା ଅଭିଯୋଗରେ ବ୍ଲକ୍‌ର ଦୁଇଜଣ କର୍ମଚାରୀଙ୍କୁ ଜିଲ୍ଲାପାଳ ଚାକିରିରୁ ନିଲମ୍ବନ କରିବା ଘଟଣା ମନରୁ ନ ଲିଭୁଣୁ ଏବେ ପୁଣି ପାଇଖାନା ଦୁର୍ନୀତି ପଦାକୁ ଆସିଛି। ବ୍ଲକ୍‌ର ଉଦୟପୁର ପଞ୍ଚାୟତର ଶିଖରଗୋଛା, ଶିଙ୍ଗପୁର ଗାଁରେ ହିତାଧିକାରୀଙ୍କ ପାଇଖାନା ନିର୍ମାଣ କରିବାକୁ ଯାଇ ବ୍ୟାପକ ହେରଫେର ହୋଇଛି। ଏହି ଘଟଣାକୁ ନେଇ ବ୍ଲକ୍‌ରେ ତମ୍ବିତୋଫାନ ପରିସ୍ଥିତି ସୃଷ୍ଟି ହୋଇଥିଲା। ତଥ୍ୟ ମାଗିବାକୁ ଯାଇଥିବା ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କୁ ତଥ୍ୟ ନଦେବାରୁ ସେ ବ୍ଲକ୍ ସମ୍ମୁଖରେ ଧାରଣା ଦେଇଥିଲେ। ଶିଙ୍ଗପୁର ଅତି ନିପଟ ଆଦିବାସୀ ଗାଁ ହୋଇଥିବାରୁ ଠିକାଦାର ଓ ଜଳ ପରିମଳ ବିଭାଗ କର୍ମଚାରୀମାନେ ଏହାର ବେଶ୍ ଫାଇଦା ଉଠାଇଛନ୍ତି। ଗାଁର ଗୋଟିଏ ପାଇଖାନାକୁ ଦେଖାଇ ଦୁଇ ଦୁଇଥର ବିଲ୍‌ କରିବା ଓ ମଲା ଲୋକଙ୍କ ନାଁରେ ପାଇଖାନା ନିର୍ମାଣ ହୋଇଥିବା ଦର୍ଶାଇ ଟଙ୍କା ଉଠାଇ ଆତ୍ମସାତ୍ କରିବା ଘଟଣା ସାମ୍ନାକୁ ଆସିଛି। ଜଳ ଓ ପରିମଳ ବିଭାଗ କର୍ମଚାରୀଙ୍କ ଇସାରାରେ ଗ୍ରାମର ଅନ୍ତର୍ଯ୍ୟାମୀ ଯାନୀଙ୍କ ସ୍ତ୍ରୀ ଭମା ଯାନୀ ପାଇଖାନା ନିର୍ମାଣ ନ କରି ତାଙ୍କ ନାଁରେ ଟଙ୍କା ଉଠାଣ ହୋଇଥିବା ବେଳେ ବିଶ୍ୱନାଥ ଯାନୀଙ୍କ ସ୍ତ୍ରୀ ଅଧିକା ଯାନୀ, ବସନ୍ତ ଯାନୀଙ୍କ ସ୍ତ୍ରୀ ସୀତା ଯାନୀ ଏବଂ ଚନ୍ଦ୍ରମଣୀ ଯାନୀଙ୍କ ଝିଅ ସୁବର୍ଣ୍ଣ କଅଁରଙ୍କ ନାମରେ ପାଇଖାନା ନିର୍ମାଣ ହୋଇଥିବା ଦର୍ଶାଇ ଟଙ୍କା ହଡ଼ପ କରାଯାଇଛି। ସେହିପରି ଗାଁର ଆସନ କଅଁର ମୃତ ହୋଇଥିଲେ ମଧ୍ୟ ତାଙ୍କ ନାମରେ ବିଲ୍‌ କରି ଟଙ୍କା ଉଠାଯାଇଛି। ଏହିସବୁ ଟଙ୍କା ରାଧାକୃଷ୍ଣ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ଗ୍ରୁପ୍‌ ନାମରେ ଛଡ଼ାଯାଇଛି। ମଲାଲୋକଙ୍କ ଟଙ୍କା ଆତ୍ମସାତ୍ କରିଥିବା କର୍ମଚାରୀ ଏବଂ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ତାଙ୍କ ନାମରେ ପାଇଖାନା ଘର ତିଆରି ହେଉଥିବା ଚର୍ଚ୍ଚାର ବିଷୟ ହୋଇଛି।

ସେହିପରି ଶିଖରଗୋଚ୍ଛା ଗ୍ରାମର ଭଗବାନ ବେହେରାଙ୍କ ପାଇଖାନାକୁ ଦେଖାଇ ଦୁଇ ଦୁଇଜଣ ଟଙ୍କା ଉଠାଇ ନେଇଥିବା ବେଳେ ମହେଶ୍ୱର ବେହେରାଙ୍କ ନାଁରେ ମଧ୍ୟ ଟଙ୍କା ଉଠା ଯାଇଥିବାର ପ୍ରମାଣ ମିଳିଛି। ଏସବୁକୁ ଦେଖିବାକୁ ଗଲେ, ବିଭାଗୀୟ ଯନ୍ତ୍ରୀ ଏବଂ ଅଧିକାରୀ କିଭଳି ନ ଦେଖି ରିପୋର୍ଟ ପ୍ରଦାନ କଲେ, ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏପଟେ ବ୍ଲକ୍ ଡାଟା ଏଣ୍ଟ୍ରି ଅପରେଟର୍‌ଙ୍କ ସ୍ଥାନରେ ରିସର୍ଚ୍ଚ କୋଅର୍ଡିନେଟର‌୍ କାହ୍ନୁଚରଣ ବେହେରାଙ୍କୁ ଦାୟିତ୍ୱ ଦେବା ଦିନଠାରୁ ପ୍ରତି ପଞ୍ଚାୟତରେ ଘୋଟାଲା ଚାଲିଥିବା ପୂର୍ବରୁ ଅଭିଯୋଗ ହୋଇ ଆସୁଥିଲା। ଏହି ଖବର ‘ସମ୍ବାଦ’ ପୃଷ୍ଠାରେ ପ୍ରକାଶିତ ହେବା ପରେ ବ୍ଲକ୍ କର୍ମଚାରୀମାନେ ଗୁପ୍ତ ଭାବେ ଠିକାଦାରକୁ କହି ଏବେ ପାଇଖାନା ନିର୍ମାଣ କାମରେ ଲାଗି ପଡ଼ିଛନ୍ତି। ତେବେ ପାଇଖାନା ନିର୍ମାଣ ନ ହୋଇ କିଭଳି ହିତାଧିକାରୀଙ୍କ ପାଇଖାନା ହୋଇଥିବା ଦର୍ଶାଯାଇଥିଲା, ଏଥିପାଇଁ କିଏ ଦାୟୀ ବୋଲି ହିତାଧିକାରୀମାନେ ପ୍ରଶ୍ନ ଉଠାଇଛନ୍ତି। ଏହି ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ବିରୋଧରେ ଜିଲ୍ଲା ପ୍ରଶାସନ କିପରି କାର୍ଯ୍ୟାନୁଷ୍ଠାନ ନେଉଛି, ତାହା ଏବେ ଦେଖିବାକୁ ବାକି ରହିଛି। ଏହି ଘଟଣାରେ ବିଭାଗୀୟ ଅଧିକାରୀ ସୌରଭ ଦୀକ୍ଷିତଙ୍କୁ ଫୋନ୍‌ କରିଥିଲେ ମଧ୍ୟ ସେ ଇଚ୍ଛାକୃତ ଭାବେ ଫୋନ୍ ଉଠାଇ ନଥିଲେ।

ସମ୍ବନ୍ଧିତ ଖବର