ନୂଆଗାଁରେ ପାଇଖାନା ଦୁର୍ନୀତି : ମିଳିମିଶି ଚାପିଦେଲେ, ଆଦିବାସୀ ଗାଁରେ ୯୦ ପ୍ରତିଶତ ହେର୍‌ଫେର୍‌

ନୂଆଗାଁ : ନୟାଗଡ଼ ଜିଲ୍ଲାରେ ପାଇଖାନା ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି। କେତେବେଳେ ଦଶପଲ୍ଲା ବ୍ଲକ୍ ତ ଆଉ କେତେବେଳେ ଓଡ଼ଗାଁ ବ୍ଲକ୍ ଏବଂ ଆଉ ଏବେ ଏହି ଦୁର୍ନୀତି ନୂଆଗାଁ ବ୍ଲକ୍‌ରେ ସୀମା ଟପିଛି। ସବୁ ତଦନ୍ତକୁ ମିଳିମିଶି ଚାପିଦେଇ ଠିକାଦାର ଉପରେ ଦୋଷ ଲଦିବାରେ ଲାଗିଛନ୍ତି। ଗୋଟିକ ପରେ ଗୋଟିଏ ଦୁର୍ନୀତିର ପର୍ଦ୍ଦାଫାଶ ହେଉଥିବା ଏବଂ ଘଟଣାରେ ସତ୍ୟତା ଥିବା କଥାକୁ ସ୍ବୀକାର କରିବା ପରେ ଅଧିକାରୀମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଛଘୁଞ୍ଚା ଦେଉଛନ୍ତି। ଏହି ଦୁର୍ନୀତିର ଚେର ନୂଆଗାଁ ବ୍ଲକ୍‌ରୁ ଜିଲ୍ଲା କାର୍ଯ୍ୟାଳୟ ପର୍ଯ୍ୟନ୍ତ ଲମ୍ବିଥିବା କୁହାଯାଉଛି। ଏବେ ଆଦିବାସୀ ଇଲାକାରେ ୯୦ ପ୍ରତିଶତ ପାଇଖାନା ହେରଫେର ହୋଇଥିବା ଅଭିଯୋଗ ହୋଇଛି।

ଖବରରୁ ପ୍ରକାଶ, ସ୍ବଚ୍ଛ ଭାରତ ମିସନ ଯୋଜନାରେ ପାଇଖାନା ନିର୍ମାଣ କରିବାକୁ କେନ୍ଦ୍ର ସରକାର ଯୋଜନା କାର୍ଯ୍ୟକାରୀ କଲେ। ବାହାରେ ମଳତ୍ୟାଗ ନ କରି ଘରେ ପାଇଖାନା ବ୍ୟବହାର କରି ପରିବେଶ ସୁସ୍ଥ ରଖିବାକୁ ପ୍ରତି ବ୍ଲକ୍‌କୁ ନିର୍ଦ୍ଦେଶନାମା ଜାରି କରାଗଲା। ଏଥିରେ ଖିଲାପ୍‌ କଲେ ବିଭାଗୀୟ ଅଧିକାରୀଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯିବ ବୋଲି କୁହାଯାଇଥିଲା। ସବୁ ନୀତିନିୟମକୁ ପଛରେ ପକାଇ ବିଭାଗୀୟ ଅଧିକାରୀମାନେ ହିତାଧିକାରୀଙ୍କ ଟଙ୍କା ଆତ୍ମସାତ୍ କରିବାରେ ଲାଗିଛନ୍ତି। ବିଭିନ୍ନ ଠିକାଦାରଙ୍କୁ ପାଇଖାନା ନିର୍ମାଣ କାମରେ ଲଗାଇ ସେମାନଙ୍କଠାରୁ ମୋଟା ଅଙ୍କର ପାଉଣା ପାଇ ଯାହିତାହି ଭାବେ ପାଇଖାନା ନିର୍ମାଣ କରିଛନ୍ତି। ପାଇଖାନା ସବୁ ବ୍ୟବହାର ଉପଯୋଗୀ ନ ହେବାରୁ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା। ଏହି ଖବର ବାରମ୍ବାର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ବ୍ଲକ୍ ପ୍ରଶାସନର ନିଦ ଭାଙ୍ଗିଥିଲା। କିଛି ମାସ ତଳେ ଉଦୟପୁର ପଞ୍ଚାୟତ ଶିଙ୍ଗପୁର ଗ୍ରାମରେ ପାଇଖାନା ଘୋଟାଲାର ଗୁମର ଖୋଲିଥିଲା। ମଲା ଲୋକଙ୍କ ନାଁରେ ପାଇଖାନା ନିର୍ମାଣ କରି ଟଙ୍କା ଆତ୍ମସାତ୍ କରିବା ପରେ ପୁଣି ଥରେ ରାତାରାତି ମଲା ଲୋକଙ୍କ ନାଁରେ ପାଇଖାନା ନିର୍ମାଣ ହୋଇଥିଲା। ବିଡିଓ ଘଟଣାର ତଦନ୍ତ କରି ସତ୍ୟାସତ୍ୟ ଜାଣିଥିଲେ ମଧ୍ୟ କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇନଥିଲେ।

ସେହିପରି ଜାକେଡ଼ା ପଞ୍ଚାୟତ ଚଡ଼କମରା ଗ୍ରାମର ୧୧ ଜଣ ହିତାଧିକାରୀଙ୍କ ପାଇଖାନାକୁ ଗୁମୀ ପଞ୍ଚାୟତର ବରଡିହ ଗ୍ରାମରେ ନିର୍ମାଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାର ପର୍ଦ୍ଦାଫାଶ ହେବା ପରେ ନୂଆଗାଁ ବିଡିଓ ପ୍ରମୋଦ କୁମାର ଦଳବେହେରା ଘଟଣାର ତଦନ୍ତ କରିବାକୁ ବିଭାଗୀୟ ଯନ୍ତ୍ରୀ ଶିଲାପ୍ରଭା ସେଠୀଙ୍କୁ ଦାୟିତ୍ବ ଦେଇଥିଲେ। ଘଟଣାରେ ସତ୍ୟତା ଥିବା ଯନ୍ତ୍ରୀ ବିଡିଓଙ୍କୁ ରିପୋର୍ଟ ପ୍ରଦାନ କରିବା ପରେ ଠିକାଦାରୀ ସଂସ୍ଥା ଉପରେ ଦୋଷ ଢାଳି ଏବେ ଚୁପ୍ ବସି ରହିଛି ପ୍ରଶାସନ। ଗୋଟିଏ ପଞ୍ଚାୟତର ପାଇଖାନା ଅନ୍ୟ ଏକ ପଞ୍ଚାୟତରେ କେଉଁ ନିୟମ ଆଧାରରେ ନିର୍ମାଣ ହେଲା ତାହା ଏବେ ତଦନ୍ତସାପେକ୍ଷ ହୋଇପଡ଼ିଛି। ସମସ୍ତ ଘଟଣାକୁ ପଛରେ ପକାଇ ନୂଆଗାଁ ବିଡିଓ କେବଳ ଠିକାଦାରୀ ସଂସ୍ଥାର ବିଲ୍‌ ବନ୍ଦ କରି ଚୁପ୍ ବସିଛନ୍ତି। ବିଡିଓ ଶ୍ରୀ ଦଳବେହେରା ନୂଆଗାଁ ବ୍ଲକ୍‌ର ଦାୟିତ୍ବ ନେବା ଦିନଠାରୁ ସ୍ବଚ୍ଛତା ଉପରେ ବେଶ୍ ଗୁରୁତ୍ବ ଦେଇଥାନ୍ତି। ବିଭିନ୍ନ ପଞ୍ଚାୟତ ଗସ୍ତ କରି ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରୁଥିବା ବେଳେ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କହି ଆସୁଛନ୍ତି। ତେବେ ବିଡିଓଙ୍କ ଏହି ସ୍ବଚ୍ଛତାର ନାରାବାଜି କେତେଦୂର ଠିକ୍ ତାହା ଦେଖିବାକୁ ବାକି ରହିଛି ବୋଲି ଚର୍ଚ୍ଚା ହେଉଛି।

ଏ ପଟେ ବିଭିନ୍ନ ଆଦିବାସୀ ଲୋକଙ୍କ ସରଳତା ଏବଂ ଅର୍ଥାଭାବର ସୁଯୋଗ ନେଇ ଠିକାଦାର ଏବଂ ଦଲାଲମାନେ ପାଇଖାନା ନିର୍ମାଣ କରିବାକୁ ଆଗେଇ ଆସୁଛନ୍ତି। ଏବେ ବିଭିନ୍ନ ପଞ୍ଚାୟତରେ ଠିକାଦାରୀ ସଂସ୍ଥାମାନେ ପଶି ପାଇଖାନା ନିର୍ମାଣ କରୁଥିବା ଦେଖିବାକୁ ମିଳିଛି। ଠିକାଦାରୀ ସଂସ୍ଥାଙ୍କ ବିରୋଧରେ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ କାହିଁକି ସେମାନଙ୍କୁ ବାରଣ କରାଯାଉ ନାହିଁ ବୋଲି କିଛି ହିତାଧିକାରୀ ଅଭିଯୋଗ କରିଛନ୍ତି। କୋରଡ଼ା ପଞ୍ଚାୟତ ବେଲବଣୀ ଗ୍ରାମରେ ପାଇଖାନା ଯୋଜନାର କେଳେଙ୍କାରୀ ଦେଖିବାକୁ ମିଳିଛି। ଗାଁର ୨୦ ପରିବାର ପାଇଖାନା ଆରମ୍ଭରୁ ଭାଙ୍ଗି ପଡ଼ିଥିବା ବେଳେ ଠିକାଦାର ଟଙ୍କା ଉଠାଇ ଛୁ ମାରିଥିବା ଅଭିଯୋଗ ହୋଇଛି। ଗାଁଟି ଆଦିବାସୀ ଏବଂ ଦୁର୍ଗମ ଅଂଚଳରେ ଥିବାରୁ ଠିକାଦାର ଏହାର ବେଶ ଫାଇଦା ଉଠାଇଛି। ଲୋକଙ୍କୁ ସେହି ପାଇଖାନା ନିର୍ମାଣ କାର୍ଯ୍ୟରେ ନିୟୋଜିତ କରି ସେମାନଙ୍କ ଟଙ୍କାକୁ ହଡ଼ପ କରି ନେଇଥିବା ଗାଁର ଜିତେନ୍ଦ୍ର ମଳିକ, କୁଳମଣି ମଳିକ, ବିରେନ୍ଦ୍ର ମଳିକ, ତ୍ରିଲୋଚନ ମଳିକ, ନୀଳମଣି ମଳିକ, ସୂର୍ଯ୍ୟମଣି ମଳିକ ଏବଂ ବୃନ୍ଦାବନ ମଳିକ କହିଛନ୍ତି। ଏବେ ଏହି ପାଇଖାନା ଭାଙ୍ଗି ପଡ଼ିଥିବା ବେଳେ ବାହାରେ ଯାଇ ମଳତ୍ୟାଗ କରୁଥିବା ପ୍ରକାଶ କରିଛନ୍ତି। ତେବେ ଏଭଳି ଘଟଣା ବାରମ୍ବାର ପଦାକୁ ଆସୁଥିଲେ ମଧ୍ୟ ବିଡିଓ ପ୍ରମୋଦ କୁମାର ଦଳବେହେରା, ବିଭାଗୀୟ ଅଧିକାରୀ ସୌରଭ ଦିକ୍ଷୀତ ଓ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ରାଜୀବ କୁମାର ପାଣିଗ୍ରାହୀ ସବୁ ଜାଣି ଚୁପ୍ ରହୁଛନ୍ତି। ତଦାରଖ କରୁଥିବା କର୍ମଚାରୀଙ୍କ ବିରୋଧରେ କେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ତାହା ଦେଖିବାକୁ ବାକି ରହିଛି ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର