ରାଜନଗର : ପାଇଖାନା ଖାଇଗଲେ ଯନ୍ତ୍ରୀ, ଠିକାଦାର

ଦୁର୍ନୀତି ସ୍ବୀକାର କଲେ ଯନ୍ତ୍ରୀ

ରାଜନଗର : ସ୍ବଚ୍ଛ ଭାରତ ମିଶନ ଯୋଜନା ପାଇଖାନା ନିର୍ମାଣରେ ରାଜନଗର ବ୍ଲକରେ ଖୋଲାମେଲା ଦୁର୍ନୀତି ହୋଇଛି। ହିତାଧିକାରୀ ନିଜେ ପାଇଖାନା ନିର୍ମାଣ କରିଛନ୍ତି। ହେଲେ, ସେମାନଙ୍କ ଆକାଉଣ୍ଟକୁ ଅର୍ଥ ନ ଆସି ସିଧା ଠିକାଦାରଙ୍କ ପାଖକୁ ଯାଇଛି। ଯନ୍ତ୍ରୀ ଏହି ଦୁର୍ନୀତିରେ ସଂପୃକ୍ତ ଅଛନ୍ତି। ଠିକାଦାରଙ୍କ ମିଶି ହିତାଧିକାରୀଙ୍କ ଟଙ୍କା ଚଳୁ କରି ଦେଇଛନ୍ତି। ବଡ଼କଥା ହେଉଛି, ଖୋଦ୍‌ ଯନ୍ତ୍ରୀ ଏହି ଦୁର୍ନୀତିକୁ ସ୍ବୀକାର ବି କରିଛନ୍ତି। ଖାଲି ସେତିକି ନୁହେଁ, ହିତାଧିକାରୀଙ୍କୁ ସେ ନିଜ ହାତରୁ ଟଙ୍କା ଫେରାଇ ଦେବେ ବୋଲି କହିଛନ୍ତି। ରାଜନଗର ବ୍ଲକ ବେଲପାଳ ପଂଚାୟତର ଦେବକୀ ସ୍ବାଇଁ, ନୃସିଂହ ଚରଣ ସ୍ବାଇଁ।

ଏହି ଦୁଇଜଣ ହିତାଧିକାରୀ ନିଜ ଖର୍ଚ୍ଚରେ ବ୍ୟକ୍ତିଗତ ପାଇଖାନା ନିର୍ମାଣ କରିଛନ୍ତି। ମାତ୍ର ଦୁଇଟି ପାଇଖାନା ବାବଦ ଟଙ୍କା ସେମାନଙ୍କ ଆକାଉଣ୍ଟକୁ ନ ଆସି ବାରଦିଆ ଗାଁର ଜୟନ୍ତ ପରିଡାଙ୍କ ଆକାଉଣ୍ଟକୁ ୬ମାସ ତଳୁ ଯାଇସାରିଛି। ହିତାଧିକାରୀ ଏହା ଜାଣି କନିଷ୍ଠ ଯନ୍ତ୍ରୀଙ୍କୁ ଭେଟିବାରୁ ତାଙ୍କୁ ଆଜିକାଲି କହି ଭୁଆଁ ବୁଲାଇ ଚାଲିଛନ୍ତି। ଦେବକୀ ଓ ନୃସିଂହ ଏ ନେଇ ରାଜନଗର ବିଡିଓଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ଅଭିଯୋଗରେ ଜଣାଇଛନ୍ତି ଯେ, ସ୍ବଚ୍ଛ ଭାରତ ମିସନ ଯୋଜନାରେ ବ୍ୟକ୍ତିଗତ ପାଇଖାନା ପାଇବାକୁ ହିତାଧିକାରୀ ତାଲିକାରେ ତାଙ୍କ ନାଁ ଥିଲା। ସେ ନିଜେ ପାଇଖାନା ନିର୍ମାଣ କରିବେ ବୋଲି ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ଅସିତ ସୁନ୍ଦରାୟଙ୍କୁ ଭେଟି ଜଣାଇଥିଲେ। ପ୍ରଥମେ ପାଇଖାନା ନିର୍ମାଣ କର, ତାପରେ ଆକାଉଂଟକୁ ଟଙ୍କା ଯିବ ବୋଲି ଯନ୍ତ୍ରୀ କହିଥିଲେ। ଯନ୍ତ୍ରୀଙ୍କ କହିବା ମୁତାବକ, ସେମାନେ ପାଇଖାନା ନିର୍ମାଣ କରିଥିଲେ। ପାଇଖାନା ନିର୍ମାଣ ପରେ ଘର ପଟ୍ଟା, ପାଇଖାନା ଫଟୋ, ବ୍ୟାଙ୍କ ପାସବୁକର ଜେରକ୍ସ କପି, ଆଧାରକାର୍ଡ, ବ୍ୟକ୍ତିଗତ ପାଇଖାନା ଆବେଦନ ପତ୍ର ସହ ଯୋଡି ବ୍ଲକ କାର୍ଯ୍ୟାଳୟରେ ଜଳ ଓ ପରିମଳ ବିଭାଗରେ ଯନ୍ତ୍ରୀ ଶ୍ରୀ ସୁନ୍ଦରରାୟଙ୍କୁ ଦେଇଥିଲେ। ହିତାଧିକାରୀ ଦ୍ବୟ କାଗଜପତ୍ର ଦେବା ପରେ ଯନ୍ତ୍ରୀ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଦେବା ପରିବର୍ତ୍ତେ ତାଙ୍କର ସଲାସୁତୁରା ଥିବା ଜଣେ ଠିକାଦାରଙ୍କ ଆକାଉଣ୍ଟକୁ ଦୁଇଜଣଙ୍କ ୨୪ ହଜାର ଟଙ୍କା ପଠାଇଥିଲେ।

ଦୀର୍ଘଦିନ ଧରି ବ୍ଲକ କାର୍ଯ୍ୟାଳୟକୁ ଦୌଡିବା ପରେ ହିତାଧିକାରୀ ତାଙ୍କ ଟଙ୍କା ପାଇ ନ ଥିଲେ। ଏହାପରେ ସେ ବୁଝାସୁଝା କରିବାରୁ ତାଙ୍କ ପାଇଖାନା ଟଙ୍କା ଜୟନ୍ତ ପରିଡାଙ୍କ ଆକାଉଣ୍ଟକୁ ଯାଇଥିବା ଜାଣିବାକୁ ପାଇଥିଲେ। ସେ ଏ ନେଇ ଯନ୍ତ୍ରୀଙ୍କୁ ଭେଟି କହିବା ପରେ ଠିକାଦାର ଭୁବନେଶ୍ବରରେ ଅଛନ୍ତି, ଫେରିଲେ ବୁଝି ବ୍ୟବସ୍ଥା କରିବେ ବୋଲି କହିଥିଲେ। ଦୀର୍ଘ ଏକ ମାସ ଧରି ଯନ୍ତ୍ରୀ ତାଙ୍କୁ ଦୌଡାଇବା ପରେ ଗତ ୪ଦିନ ତଳେ ବ୍ଲକ କାର୍ଯ୍ୟାଳୟରେ ଏ ନେଇ ଅଭିଯୋଗ କରିଛନ୍ତି। ଏ ସଂପର୍କରେ ଜଳ ଓ ପରିମଳ ବିଭାଗର କନିଷ୍ଠଯନ୍ତ୍ରୀ ଶ୍ରୀ ସୁନ୍ଦରରାୟଙ୍କୁ ପଚାରିବାରୁ ଠିକାଦାରଙ୍କ ଆକାଉଣ୍ଟକୁ ଟଙ୍କା ଯାଇଥିଲା। ଠିକାଦାର ଭୁବନେଶ୍ବରରୁ ଆସୁନାହାନ୍ତି। ମୁଁ ନିଜ ହାତରୁ ହିତାଧିକାରୀଙ୍କୁ ଟଙ୍କା ଦେଇଦେବି। ଏହି ଘଟଣା ପାଇଖାନା ନିର୍ମାଣରେ ହେଉଥିବା ଦୁର୍ନୀତିକୁ ପଦାରେ ପକାଇଛି।

ସମ୍ବନ୍ଧିତ ଖବର