ଗୋପାଳପୁର: ମହାମାରୀ ‘କରୋନା’ ପାଇଁ ପ୍ରାୟ ୬ମାସ ହେବ ଗୋପାଳପୁର ବେଳାଭୂମିକୁ ସିଲ୍ କରାଯାଇଥିଲା। କଟକଣା କୋହଳ ପରେ ପ୍ରାୟ ମାସେ ହେବ ପୁଣି ବେଳାଭୂମି ଚଳଚଞ୍ଚଳ ହୋଇଉଠିଛି। ପୂର୍ବଭଳି ପ୍ରତିଦିନ ଏବେ ଶହଶହ ସଂଖ୍ୟାରେ ପର୍ଯ୍ୟଟକ ବେଳାଭୂମିକୁ ଆସୁଛନ୍ତି। ହେଲେ ସେମାନଙ୍କ ପାଇଁ ଶୌଚାଳୟ ଭଳି ସର୍ବନିମ୍ନ ମୌଳିକ ସୁବିଧା ବର୍ତ୍ତମାନ ଏଠାରେ ଉପଲବ୍ଧ ହେଉନାହିଁ। ଫଳରେ ସ୍ତ୍ରୀ, ପିଲା ଓ ପରିବାରବର୍ଗଙ୍କ ସହ ଆସୁଥିବା ପର୍ଯ୍ୟଟକଙ୍କୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି। ପୂର୍ବରୁ ଗାଡ଼ି ପାର୍କିଂ ହେବା ସ୍ଥାନ ନିକଟରେ ଥିବା ଶୌଚାଳୟଟି କୋଭିଡ୍-୧୯ କଟକଣା ଜାରି ହେବା ଦିନଠାରୁ ବନ୍ଦ ପଡ଼ିଛି। ଆଖପାଖରେ ଏହାର କୌଣସି ବିକଳ୍ପ ବ୍ୟବସ୍ଥା ନାହିଁ। ଯାହାକୁ ନେଇ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ପ୍ରାୟ ବର୍ଷେ ତଳେ ପର୍ଯ୍ୟଟକଙ୍କ ସୁବିଧାକୁ ଧ୍ୟାନରେ ରଖି ଏକ ଅତ୍ୟାଧୁନିକ ଶୌଚାଳୟ (ଏ୧) ସ୍ଥାପନ ପାଇଁ ରୂପରେଖ ପ୍ରସ୍ତୁତ ହୋଇଥିଲା। ବେଳାଭୂମିକୁ ଲାଗି ରହିଥିବା ପୁରୁଣା ଏନଏସି କାର୍ଯ୍ୟାଳୟକୁ ଭାଙ୍ଗି ସେଠାରେ ଏହି ଶୌଚାଳୟ ସ୍ଥାପନ ପାଇଁ ନିଷ୍ପତ୍ତି ହୋଇଥିଲା। ଏହି ପ୍ରକଳ୍ପ ପାଇଁ ପ୍ରାୟ ଏକ କୋଟି (୯୧ଲକ୍ଷ)ଟଙ୍କାର ବ୍ୟୟ ଅଟକଳ ହୋଇଥିଲା। ଯେଉଁଥିରେ ଦୁଇ ମହଲା ବିଶିଷ୍ଟ ଏହି ଶୌଚାଳୟର କୋଠା ନିର୍ମାଣ ହେବ। ତଳ କୋଠାରେ ଉଭୟ ପୁରୁଷ ଓ ମହିଳାଙ୍କ ସ୍ନାନ, ଶୌଚ ସୁବିଧା ପାଇଁ ୧୬ଟି ଶୌଚାଳୟ ରହିବ। ଉପର ମହଲାରେ ଏକ ଅଭ୍ୟର୍ଥନା ଗୃହ ରହିବ ବୋଲି ସୂଚନା ମିଳିଥିଲା। ଏଥିପାଇଁ ପ୍ରାଥମିକ ପଦକ୍ଷେପ ସ୍ବରୂପ ଗତବର୍ଷ ନଭେମ୍ବର ମାସରେ ଗୋପାଳପୁର ଏନଏସି କାର୍ଯ୍ୟାଳୟକୁ ଅଚଳ ହୋଇପଡ଼ିଥିବା ନୂଆ ବସ୍ଷ୍ଟାଣ୍ଡ ପରିସରକୁ ସ୍ଥାନାନ୍ତର କରାଯାଇଥିଲା। ଏହାମଧ୍ୟରେ ପ୍ରାୟ ଏକ ବର୍ଷ ଅତିବାହିତ ହେବାକୁ ବସିଲାଣି। କିନ୍ତୁ ପ୍ରକଳ୍ପର ଅଗ୍ରଗତି ବେଶ୍ ନୈରାଶ୍ୟଜନକ ରହିଛି। କେବଳ ପୁରୁଣା ଏନ୍ଏସି କାର୍ଯ୍ୟାଳୟକୁ ଭାଙ୍ଗି ନିଅଁ ପକାଇବା ପାଇଁ ଖୋଳାଖୋଳି ହୋଇଥିବା ଦେଖିବାକୁ ମିଳିଛି। ତେବେ କରୋନା ପାଇଁ ନିର୍ମାଣ କାର୍ଯ୍ୟ ପ୍ରଭାବିତ ହୋଇଥିବା ବେଳେ ୨୦୨୧ରେ ଏହା ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ କାର୍ଯ୍ୟକ୍ଷମ ହେବ ବୋଲି ବିଭାଗୀୟ ଅଧିକାରୀଙ୍କ ଠାରୁ ସୂଚନା ମିଳିଛି।
ଅନ୍ୟପକ୍ଷେ ଗତ ମାର୍ଚ୍ଚମାସରୁ ପାର୍କିଂ ସ୍ଥାନ ନିକଟରେ ଥିବା ପୁରୁଣା ଶୌଚାଳୟଟି ଏବେ ପରିତ୍ୟକ୍ତ ଅବସ୍ଥାରେ ରହିଛି। କୋଠାଟି ରୁଗ୍ଣ ଅବସ୍ଥାରେ ଥିବାବେଳେ ବର୍ତ୍ତମାନ ବ୍ୟବହାର ଉପଯୋଗୀ ହୋଇ ନଥିବାରୁ ମରାମତିର ଆବଶ୍ୟକତା ଅଛି। ବିଶେଷଜ୍ଞ ଦଳ ଅନୁଧ୍ୟାନ କରି ରିପୋର୍ଟ ପ୍ରସ୍ତୁତ କଲାପରେ ଏହି ଶୌଚଳାୟର ମରାମତି ପାଇଁ ପଦକ୍ଷେପ ନିଆଯିବ ବୋଲି ଉକ୍ତ ଅଧିକାରୀ ପ୍ରକାଶ କରିଛନ୍ତି। ତେବେ ପ୍ରସ୍ତାବିତ ‘ଏ୧’ ଶୌଚାଳୟର ନିର୍ମାଣ ଅବା ପୁରୁଣା ଶୌଚାଳୟର ମରାମତି କାର୍ଯ୍ୟ ଆସନ୍ତା କିଛି ମାସ ମଧ୍ୟରେ ଶେଷ ହେଲାଭଳି ଅନୁମେୟ ହେଉନାହିଁ। ତେଣୁ ବେଳାଭୂମିକୁ ଆସୁଥିବା ପର୍ଯ୍ୟଟକ ଶୌଚାଳୟ ଯନ୍ତ୍ରଣାରୁ ରକ୍ଷା ପାଇବା ପାଇଁ ପୂର୍ବ ପ୍ରସ୍ତୁତି କରି ନଆସିଲେ ଅସୁବିଧା ଭୋଗିବା ଏକପ୍ରକାର ନିଶ୍ଚିତ।