୬୫ ଗୋଷ୍ଠୀଗତ ପାଇଖାନାରେ ଖର୍ଚ୍ଚ ୬. ୨୦ କୋଟି
ରାଉରକେଲା : ବିଶ୍ବର ୧୫ ଶ୍ରେଷ୍ଠ ସହର ତାଲିକାରେ ସ୍ଥାନ ପାଇଛି ସ୍ମାର୍ଟସିଟି ରାଉରକେଲା। ସହରର ବାସ୍ତବ ଚିତ୍ର କିନ୍ତୁ ଭିନ୍ନ। ଯାହାର ଗୋଟିଏ ଜ୍ବଳନ୍ତ ଉଦାହରଣ ହେଉଛି ରାଉରକେଲା ସହରକୁ ନିକଟରେ ବାହ୍ୟ ମଳମୁକ୍ତ ସହର ଘୋଷଣା କରିବା। କେବଳ କାଗଜପତ୍ରରେ ଏହି ଘୋଷଣା କରାଯାଇଥିବା ସ୍ପଷ୍ଟ ଜଣାପଡ଼ିଛି। କାହିଁକିନା; ବସ୍ତିଗୁଡ଼ିକରେ ଯେଉଁ ୬ ହଜାର ୧୭୭ ବ୍ୟକ୍ତିଗତ ପାଇଖାନା ନିର୍ମାଣ ହୋଇଛି, ତା'ର ତଥ୍ୟ ରାଉରକେଲା ମହାନଗର ନିଗମ (ଆର୍ଏମ୍ସି) ପାଖରେ ନାହିଁ।
ବିଶ୍ବର ଶ୍ରେଷ୍ଠ ସହର ତାଲିକାରେ ରାଉରକେଲା ସ୍ଥାନ ପାଇବା ସହରବାସୀଙ୍କ ପାଇଁ ଅତ୍ୟନ୍ତ ଗର୍ବର କଥା। ଏହି ଘୋଷଣା ପରେ ସହରର ପରିମଳ ବ୍ୟବସ୍ଥା ଉପରେ ସମସ୍ତଙ୍କ ଦୃଷ୍ଟିନିବଦ୍ଧ ହୋଇଥିଲା। ସେଥିରୁ ଜଣାପଡ଼ିଥିଲା, ସହରର ବହୁ ବସ୍ତିରେ ବ୍ୟକ୍ତିଗତ ପାଇଖାନା ନାହିଁ। ଆର୍ଏମ୍ସି ପକ୍ଷରୁ ମିଳିଥିବା ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି ଯେ ୬,୧୭୭ ବ୍ୟକ୍ତିଗତ ପାଇଖାନାର ତାଲିକା ନାହିଁ। ଏ ସମ୍ପର୍କରେ ସଚେତନ ଥିବା ଜଣେ ସ୍ଥାନୀୟ ଅଧିବାସୀ କହିଛନ୍ତି, କେବଳ କାଗଜପତ୍ରରେ ପାଇଖାନା ବ୍ୟବସ୍ଥା କରାଯାଇଛି। ଲକ୍ଷ୍ୟ ପୂରଣ କରିବା ପାଇଁ ରାଉରକେଲାକୁ ବାହ୍ୟ ମଳମୁକ୍ତ ସହର ଘୋଷଣା କରି କାମସାରି ଦେଇଛନ୍ତି କର୍ତ୍ତୃପକ୍ଷ। କିନ୍ତୁ ଆଜି ଯାଏଁ ଥରୁଟିଏ ବିଭାଗୀୟ ଅଧିକାରୀମାନେ କେବେ ବାସ୍ତବ ଚିତ୍ର ପରଖିନାହାନ୍ତି। ଫଳରେ, କେଉଁ ବସ୍ତିରେ କେତେ ବ୍ୟକ୍ତିଗତ ପାଇଖାନା ନିର୍ମାଣ ହୋଇଛି , ଏହାର ବିସ୍ତୃତ ତଥ୍ୟ ବିଭାଗ ଅଧିକାରୀ ମଧ୍ୟ ଦେଇ ପାରୁନାହାନ୍ତି।
କେବଳ ବ୍ୟକ୍ତିଗତ ପାଇଖାନା ନୁହେଁ, ୬୫ ଗୋଷ୍ଠୀଗତ ପାଇଖାନାରେ ମଧ୍ୟ ସେହି ସମାନ ସ୍ଥିତି। ୱାର୍ଡ ନଂ ୬ ଅନ୍ତର୍ଗତ ଶାନ୍ତି କଲୋନିରେ ୫ ଲକ୍ଷ ୮୩ ହଜାର ଟଙ୍କା ବ୍ୟୟରେ ଗୋଷ୍ଠୀ ପାଇଖାନା ନିର୍ମାଣ ହୋଇଛି। କିନ୍ତୁ ସେହି ୱାର୍ଡର ଅଧିକାଂଶ ବସ୍ତିବାସିନ୍ଦା ଏବେ ପାହାଡ଼କୁ ଶୌଚ କରିବାକୁ ଯାଉଛନ୍ତି। ତେବେ ସ୍ବଚ୍ଛ ଭାରତ ମିଶନ ନାଁରେ ଆସିଥିବା କୋଟି କୋଟି ଟଙ୍କାକୁ ଠିକାଦାର ଓ ବିଭାଗୀୟ ଅଧିକାରୀ ମିଳିମିଶି ଚଳୁ କରି ଦେଇନାହାନ୍ତି ତ? ଏମିତି ଅନେକ ପ୍ରଶ୍ନ ଉପରୁ ପରଦା ହଟିବାର ଆବଶ୍ୟକତା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/rkl-2.jpg)