ବରଗଡ଼: ରବିଧାନ କିଣା ଆରମ୍ଭ ନହେଉଣୁ ପୁଣି ପୁରୁଣା ରୋଗ ଆରମ୍ଭ ହୋଇଛି। ଚାଷୀଙ୍କ ଟୋକନ୍ ସମସ୍ୟା ସମାଧାନରେ ସଭିଏଁ ଫେଲ୍ ମାରିଛନ୍ତି। ବିଳମ୍ବ ଏବଂ ସ୍ବଳ୍ପ ଅବଧିର ଟୋକନ୍ ଚାଷୀଙ୍କ ପାଇଁ ଚିନ୍ତା ବଢ଼ାଇ ଦେଇଛି। ଏହାବାଦ୍ ଜିଲ୍ଲାର ଶହଶହ ଚାଷୀଙ୍କ ଧାନ ବିକ୍ରି ପାଇଁ ଟୋକନ୍ ୬/୮ ଏବଂ ୧୦ କ୍ବିଣ୍ଟାଲର ଆସିଛି। ବମ୍ପର ଉତ୍ପାଦନ ସତ୍ବେ ଚାଷୀଙ୍କୁ ସ୍ବଳ୍ପ ଧାନ ବିକିବାକୁ ଟୋକନ୍ ମିଳିଛି। ତେଣୁ ବଳକା ଧାନ ନେଇ ଚାଷୀ କ'ଣ କରିବେ ବୋଲି ପ୍ରଶ୍ନ ଉଠିଛି।
ପଞ୍ଜିକୃତ ସମସ୍ତ ଚାଷୀଙ୍କ ଜମି ପରିମାଣ ମୁତାବକ ଧାନବିକ୍ରି ପାଇଁ ଟୋକନ୍ ଦେବାକୁ ଜୟ କିସାନ ଆନ୍ଦୋଳନ ସଭାପତି ସୁଶୀଲ ସାହୁ, ସଂପାଦକ ହର ବଣିଆଁ, ସୁରେନ୍ଦ୍ର ମେହେର, ଭଞ୍ଜନ ବାରିକ, ସରୋଜ ପଧାନ, ନିମାଇଁ ଚରଣ ମହାପାତ୍ର, ବିରଞ୍ଚି ମହାକୁର, ସୁଶାନ୍ତ ସାହୁ ଏବଂ ଅନ୍ୟ ସଦସ୍ୟ ଜିଲ୍ଲା ପ୍ରଶାସନ ପାଖରେ ଦାବି କରିଛନ୍ତି। ଦାବି ପୂରଣ ନହେଲେ ଶୀଘ୍ର ତୀବ୍ର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି।