ଟୋକନ ଆସିଲା, ଧାନ କିଣା ନୋହିଲା

ହାଟଡିହି: ସରକାରଙ୍କ ଧାନକିଣା ବ୍ୟବସ୍ଥା ପ୍ରହସନ ପାଲଟିଛି। ଚାଷୀଙ୍କ ଟୋକନ ଦିଆଗଲା, ଧାନ ବିକିବାକୁ ମୋବାଇଲକୁ ମେସେଜ ଆସିଲା। କିନ୍ତୁ ଧାନକିଣା ହେଲାନାହିଁ। କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‌ରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ଚଳିତବର୍ଷ ପ୍ରଥମେ ନିଅଣ୍ଟିଆ ବର୍ଷା ଓ ପରେ ଅଦିନିଆ ବର୍ଷା ଯୋଗୁଁ ଚାଷୀମାନେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲେ। ଏବେ ମଣ୍ଡିରେ ଧାନ କିଣଯାଉ ନଥିବାରୁ ଚାଷୀମାନେ ହନ୍ତସନ୍ତ ହେଉଛନ୍ତି। ହାଟଡିହି ବ୍ଲକ୍‌ ଡଅଁର ସମବାୟ ସମିତିରେ ଶହଶହ ଚାଷୀ ଧାନ ବିକିବାରୁ ବଞ୍ଚିତ ହୋଇଛନ୍ତି। କିଛି ଚାଷୀ ମାସେ ହେଲା ମଣ୍ଡିରେ ଧାନ ପକାଇଥିଲେ ମଧ୍ୟ ସେମାନଙ୍କ ଧାନ କିଣାଯାଉନି। ଚାଷୀମାନେ ରାତି ଉଜାଗର ରହି ଧାନ ଜଗୁଛନ୍ତି। ଅନେକ ସମୟରେ ଗୋରୁଗାଈ ଧାନ ଖାଇ ଯାଉଛନ୍ତି। ଧାନ କିଣିବା ପାଇଁ ମଣ୍ଡିକୁ କର୍ମଚାରୀ ଆସୁ ନଥିବା ନିରୋଦ ମଲ୍ଲିକ, ରଙ୍ଗାଧର ଜେନା, ନୃସିଂହ ବେହେରା, ଆନନ୍ଦ ଜେନା ପ୍ରମୁଖ ଚାଷୀ ଅଭିଯୋଗ କରିଛନ୍ତି।

ଚାଷୀ ନିରୋଦ ବାରିକ କହିଛନ୍ତି, ଫେବ୍ରୁଆରି ୧୧ରେ ଧାନ ବିକିବା ପାଇଁ ତାଙ୍କୁ ମେସେଜ ଆସିଥିଲା। ଧାନକିଣାରେ ନିୟୋଜିତ ଅଧିକାରୀଙ୍କୁ ପଚାରିବାରୁ ବର୍ତ୍ତମାନ ନିର୍ବାଚନ ଚାଲିଛି, ନିର୍ବାଚନ ସରିଲେ ଧାନ ଆଣିବ ବୋଲି କହିଥିଲେ। ମାର୍ଚ୍ଚ ୯ ତାରିଖରେ ପଚାରିବାରୁ ଟାର୍ଗେଟ ଆସିନି। ଧାନ କିଣିବାକୁ ମନା କରାଯାଇଛି ବୋଲି ଅଧିକାରୀ କହିଥିଲେ। ସେହିପରି ରାଧାନଗରପାଟଣାର ଚାଷୀ ରଙ୍ଗାଧର ଜେନା କହିଛନ୍ତି, ଫେବ୍ରୁଆରି ୧୨ ତାରିଖରେ ୭୨ କୁଇଣ୍ଟାଲ ୯୫ କେଜି ଧାନ ବିକିବା ପାଇଁ ଟୋକନ ଆସିଥିଲା। ଧାନ ଆଣିବାରୁ ରଖାଗଲା ନାହିଁ।

ବେପାରୀଙ୍କ ପାଖରୁ ଧାନ କିଣି ସମିତି ଟାର୍ଗେଟ ସାରି ଦେଇଥିବା ବେଳେ ଚାଷୀଙ୍କ ଧାନ କିଣାଯାଉ ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି। ସରଳା ଗ୍ରାମର ନୃସିଂହ ଚରଣ ବେହେରାଙ୍କୁ ଫେବ୍ରୁଆରି ୧୦ ତାରିଖରେ ଧାନ ବିକିବା ପାଇଁ ଟୋକନ ଦିଆଯାଇଥିଲା। ଇତିମଧ୍ୟରେ ମାର୍ଚ୍ଚ ୧୦ ତାରିଖ ଗଲାଣି। ହେଲେ ତାଙ୍କ ଧାନ ଉଠାଯାଉନି। ସେ ମଣ୍ଡି ସମ୍ମୁଖରେ ଧାନବସ୍ତା ଜଗି ରହିଛନ୍ତି। ମଣ୍ଡିରେ ଧାନ କିଣା ବନ୍ଦ ହୋଇଯାଇଥିବାରୁ ଚାଷୀ ବେପାରୀଙ୍କୁ କୁଇଣ୍ଟାଲ ପିଛା ୧୨ଶହ ଟଙ୍କାରେ ଧାନ ବିକିବାକୁ ବାଧ୍ୟ ହେଉଛି।

ଏ ସମ୍ପର୍କରେ ସମିତିର ସମ୍ପାଦକ ଉମାକାନ୍ତ ନାୟକଙ୍କୁ ପଚାରିବାରୁ, ଡଅଁର ସମବାୟ ସମିତିରେ ଚଳିତବର୍ଷ ୨୨୬୭ଜଣ ଚାଷୀ ଧାନ ବିକିବାକୁ ପଞ୍ଜିକୃତ ହୋଇଥିଲେ। ପ୍ରଥମ ପର୍ଯ୍ୟାୟରେ ୮୦ ହଜାର ୩୨୭ କୁଇଣ୍ଟାଲ ଧାନ କିଣିବାପାଇଁ ଟାର୍ଗେଟ ଆସିଥିଲା। ୧୭୩୦ଜଣ ଚାଷୀଙ୍କଠାରୁ ୮୦ ହଜାର ୨୦୬କୁଇଣ୍ଟାଲ ଧାନ କିଣା ହୋଇଛି। ଆଉ ଟାର୍ଗେଟ ନ ଆସିବାରୁ ୫ ଶହରୁ ଊର୍ଦ୍ଧ୍ବ ଚାଷୀଙ୍କ ଧାନ କିଣାଯାଇପାରୁ ନାହିଁ। ୨୩ ତାରିଖରେ ଶେଷ ଟୋକନ ଆସିଥିଲା। ତା’ର ଅବଧି ୨୮ ଦିନ ଥିଲା। ୮ ତାରିଖରୁ ଟୋକନ ସବୁ ରଦ୍ଦ ହୋଇଚାଲିଛି।

ଚାଷୀମାନେ ମଣ୍ଡିରେ ଧାନ ପକାଇ ବସିଥିବାରୁ ସେଠାକୁ ଗଲେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ତେଣୁ ସେଠାକୁ ଯିବାକୁ ସେ ସୁରକ୍ଷିତ ମଣୁନାହାନ୍ତି ବୋଲି ଶ୍ରୀ ନାୟକ କହିଛନ୍ତି। ତୁରନ୍ତ ଧାନ କିଣା ନହେଲେ ଚାଷୀମାନେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର