ଟୋକନ ଲାପ୍ସ ହେବାରୁ ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ

ସିନାପାଲି : ଧାନ ବିକ୍ରି ପାଇଁ ମିଳିଥିବା ଟୋକନ ବାତିଲ୍ ହୋଇଯିବାରୁ ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ କେନ୍ଦୁମୁଣ୍ତା ପଞ୍ଚାୟତ ଧିଙ୍ଗିଆମୁଣ୍ତା ଗାଁର ଚାଷୀ ରୋମାଞ୍ଚଳ ଦଣ୍ତସେନା (୩୬ବର୍ଷ) ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଖଡ଼ିଆଳ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ପ୍ରକାଶ ଯେ, ଗତ ୧ମାସ ହେଲା ରୋମାଞ୍ଚଳ କେନ୍ଦୁମୁଣ୍ତା ମଣ୍ତିରେ ତାଙ୍କ ୮୫ ବସ୍ତା ଧାନ ପକାଇ ରଖିଛନ୍ତି। ମିଲର୍ସଙ୍କ ଅସହଯୋଗ ଓ ଦାୟିତ୍ବରେ ଥିବା କର୍ମଚାରୀଙ୍କ ଖାମଖିଆଲି ଯୋଗୁଁ ତାଙ୍କ ଧାନ ଠିକ ସମୟରେ ଉଠି ପାରିଲା ନାହିଁ। ଫଳରେ ତାଙ୍କୁ ମିଳିଥିବା ଟୋକନ ଲାପ୍ସ ହୋଇଗଲା। ଏଥିରେ ମର୍ମାହତ ହୋଇ ରୋମାଞ୍ଚଳ ଶୁକ୍ରବାର ତାଙ୍କ ଚାଷଜମିକୁ ଯାଇ ବିଷ ପିଇ ଦେଇଥିଲେ। ପରିବାର ଲୋକେ ଜାଣିପାରି ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ସିନାପାଲି ସରକାରୀ ଡାକ୍ତରଖାନାକୁ ନେଇଥିଲେ। ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଖଡ଼ିଆଳ ଉପଖଣ୍ଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ହେଉଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର