ଟୋକନ ଲେପ୍ସ, ଧାନର ଅଭାବୀ ବିକ୍ରି

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ଚାଷୀ ଟୋକନ ଲେପ୍ସ ଓ ଭିଜା ଧାନ ଯୋଗୁଁ ଅଭାବୀ ବିକ୍ରିର ଶିକାର ହୋଇଛନ୍ତି। ଶହ ଶହ ବସ୍ତା ଭିଜି ଧାନ ମଣ୍ଡିରେ ପଡ଼ିରହିଥିବା ଯୋଗୁଁ ଅଡୁଆ ସୃଷ୍ଟି ହୋଇଛି। ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲାରେ ପ୍ରାକ୍‌ ମୌସୁମୀ ବର୍ଷା ଯୋଗୁଁ ଚାଷୀ ମଣ୍ଡିରେ ଭିଜି ଯାଇଥିବା ଧାନ ଧରି ପଡ଼ିରହିଛି। ଗୋଟିଏ ପଟେ କୋଭିଡ ମହାମାରୀର ପ୍ରକୋପ ଅନ୍ୟପଟେ ପ୍ରାକ୍‌ ମୌସୁମୀ ବର୍ଷା ଚାଷୀଙ୍କୁ ଦାଉ ସାଧୁଛି। ଚାଷୀଙ୍କ ଟୋକନ ଲେପ୍ସ ଯୋଗୁଁ ଅତି କମ୍‌ ଦରରେ ଦଲାଲକୁ ବିକିବାକୁ ବାଧ୍ୟ ହେଉଛି। ଲେପ୍ସ ଟୋକନ କେବେ ଅନୁମତି ମିଳିବ ଚାଷୀ ଅପେକ୍ଷାରେ ଅଛନ୍ତି। କିନ୍ତୁ ବିଳମ୍ବ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ଜୁନାଗଡ଼ ବ୍ଲକ୍‌ର ମେରିଆବନ୍ଧଲି ପଞ୍ଚାୟତର ବଡ଼ଡୁମେରବାହାଲ ଗ୍ରାମର କୃପାସିନ୍ଧୁ ବାଗ ଟୋକନ୍‌ ପାଇଁ ଆବେଦନ କରିଥିଲେ। ତାଙ୍କ ମୋବାଇଲକୁ ମେସେଜ ଆସିଥିଲା, କିନ୍ତୁ ପେକ୍ସକୁ ଯାଇ ବୁଝିବା ପରେ ଟୋକନ ଆସିନଥିବା ଜଣାପଡ଼ିଛି। ବର୍ତ୍ତମାନ ଟୋକନ ନଥିବା ଯୋଗୁଁ ୨୦୦ କୁଇଣ୍ଟାଲ ଧାନ ବିକ୍ରି କରି ପାରିନାହାନ୍ତି। ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହେଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ସେହିଭଳି  ସେହି ଗ୍ରାମର ପରମେଶ୍ୱର ମାଝୀଙ୍କ ଧାନବିକ୍ରି ପାଇଁ ମେ’ ୧୭ ତାରିଖ ଟୋକନ ତାରିଖ ଥିଲା। ବର୍ତ୍ତମାନ ଏହି ଟୋକନ ଲେପ୍ସ ହୋଇଯାଇଛି। ଫଳରେ ଜୁନାଗଡ଼ ମଣ୍ଡିରେ ୧୧୭ କୁଇଣ୍ଟାଲ ଧାନ ଧରି ସେ ପଡ଼ିରହିଛନ୍ତି। ସେହିପରି ମଦନପୁର ରାମପୁରର ହିରେନ୍ଦ୍ର ପ୍ରସାଦ ସିଂହଦେଓ ୭୬ କୁଇଣ୍ଟାଲ ଧାନବିକ୍ରି ପାଇଁ ଟୋକନ ଆବେଦନ କରିଥିଲେ। ମାତ୍ର ୬ କୁଇଣ୍ଟାଲ ଧାନ ବିକ୍ରି ପାଇଁ ଟୋକନ ଆସିଛି। ଏ ନେଇ ଯୋଗାଣ ବିଭାଗକୁ ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ ନିରୂପାୟ ବୋଲି ଉତ୍ତର ମିଳୁଛି।

ସେହିଭଳି ମଦନପୁର ରାମପୁରର ହେମନ୍ତ ପ୍ରହରାଜଙ୍କ ମଧ୍ୟ ଟୋକନ ଆସିନଥିବା ଯୋଗୁଁ ଅଡ଼ୁଆରେ ପଡ଼ିଛନ୍ତି। ଜୁନାଗଡ଼ ବ୍ଲକ୍‌ ଭଇରିଗୁଡ଼ାର ବିଷ୍ଣୁ ପୁଝାରୀଙ୍କ ଟୋକନ ମେ’ ୧୪ ତାରିଖ ପାଇଁ ଆସିଥିଲା। ଏହି ଟୋକନ ଲେପ୍ସ ହେବା ଯୋଗୁ ଧାନ ବିକ୍ରି କରି ପାରିନାହାନ୍ତି। ଏହିଭଳି ବହୁ ଚାଷୀ ଟୋକନ ସମସ୍ୟା ଯୋଗୁ ଧାନ ବିକ୍ରି କରିପାରୁ ନଥିବା ଯୋଗୁଁ ଅଣ୍ଡର ରେଟ୍‌ରେ ଦଲାଲକୁ ଧାନ ବିକିବାକୁ ବାଧ୍ୟ ହେଉଛନ୍ତି। ଅନ୍ୟପଟେ ବର୍ଷା ଭିଜା ଧାନ ନେଇ ୧୦ରୁ ୧୨ କେଜି କଟ୍‌ନିଛଟନି କରୁଥିବା ଯୋଗୁଁ ଚାଷୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଅଣ୍ଡର୍‌ରେଟ୍‌ରେ ଧାନ କ୍ରୟ କରିବା ପରେ ମିଲର୍ସମାନେ ମିଲ୍‌ମାନଙ୍କରେ ଧାନ ମହଜୁଦ ରଖିଥିବା ଅଭିଯୋଗ ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ପର୍ଯ୍ୟନ୍ତ ମିଲ୍‌ମାନଙ୍କ ଷ୍ଟକ୍‌ ଭେରି‌ଫିକେସନ, ମିଲିଂ କ୍ଷମତାର ତଦନ୍ତ କରାଯାଇନାହିଁ। ତୁରନ୍ତ ଏ ନେଇ ପଦକ୍ଷେପ ନେବାକୁ ଚାଷୀ ମହଲରେ ଦାବି ହେଉଛି। ଧାନର ଅଭାବୀ ବିକ୍ରି ‌ନେଇ ଚାଷୀମୁଣ୍ଡରେ ଚଡ଼କ ପଡ଼ିଛି। ତୁରନ୍ତ ରାଜ୍ୟ ସରକାର ଏ ନେଇ ହସ୍ତକ୍ଷେପ କରିବାକୁ ଚାଷୀ ମହଲରେ ଦାବି ହୋଇଛି।

ବଣିଜରା ମଣ୍ଡିରେ ଅବ୍ୟବସ୍ଥା‌: ଭଡ଼ାରେ ଲାଗିଛି ସେଡ୍‌ ଓ ଗୋଦାମ, ଖୋଲା ଆକାଶ ତଳେ ଚାଷୀଙ୍କ ଧାନ
ଧର୍ମଗଡ଼ : ଜୁନାଗଡ଼ ବ୍ଲକ୍‌ ବଣିଜରା ମଣ୍ଡି ଅଞ୍ଚଳର ଏକ ବଡ଼ ମଣ୍ଡି। ଚାଷୀଙ୍କ ଧାନ ବିକ୍ରି ଚାହିଦାକୁ ଦେଖି ନିୟନ୍ତ୍ରିତ ବଜାର କମିଟି ତରଫରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ ଏଠାରେ ପିଣ୍ଡି, ସେଡ ଓ ଗୋଦାମ ଘର ନିର୍ମାଣ କରାଯାଇଛି। ଚାଷୀମାନେ ସୁରକ୍ଷିତ ଭାବେ ଏଠାରେ ଧାନ ରଖି ପାରିବେ ବୋଲି ବ୍ୟବସ୍ଥା କରାଯାଇଛି। ହେଲେ ବର୍ତ୍ତମାନ ଏହି ମଣ୍ଡିର କିଛି ପିଣ୍ଡି, ସେଡ୍‌ ଓ ଦୁଇଟି ଗୋଦାମ ଘରକୁ ପ୍ରସାଦ ସିଡ୍ସ ନାମକ ଏକ ସଂସ୍ଥାକୁ ଭଡ଼ାରେ ଦିଆଯାଇଛି। ସଂପୃକ୍ତ ସଂସ୍ଥା ଏଠାରେ ତାର ସାମଗ୍ରୀ ରଖିବା ସହ ଅଧିକାଂଶ ଅଞ୍ଚଳକୁ ଅଳିଆ ଆବର୍ଜନା କରିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ଚାଷୀମାନେ ପିଣ୍ଡି, ସେଡ୍‌ ଓ ଗୋଦାମ ଅଭାବରୁ ବିକ୍ରି ପାଇଁ ଆଣିଥିବା ନିଜର ଧାନକୁ ଖୋଲା ଆକାଶ ତଳେ ପକାଇ ରଖିଛନ୍ତି। ବର୍ତ୍ତମାନ ତାହା ଭିଜି ଗଜା ମଧ୍ୟ ହେଉଛି। ହେଲେ ଆରଏମ୍‌ସି ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ମଣ୍ଡିରେ ଶତାଧିକ ଚାଷୀଙ୍କ ଧାନ ପଡ଼ିଛି। ହେଲେ ଆର୍‌ଏମ୍‌ସି ପକ୍ଷରୁ ମାତ୍ର ୧୫ ଟି ଭଲ ତାରପୋଲିନ ଓ ୫ଟି ଫଟା ତାରପୋଲିନ ଦିଆଯାଇଛି। ଫଳରେ ଚାଷୀ ନିଜ ଧାନକୁ ତଳେ ରଖିବା ସହ ନିଜେ ତାରପୋଲିନ କିଣି ଢାଙ୍କିଛି। ଏବେ ଆର୍ଦ୍ରତା ବାହାନା କରି ଚାଷୀଙ୍କ ଧାନ ୫ରୁ ୮ଜେଜି କଟନି କରାଯାଇଛି। ଏହାକୁ ନିଜେ ଧାନ କ୍ରୟ କରୁଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଭାପତି ମଧ୍ୟ ମାନିଛନ୍ତି।

ଗୋଦାମ ଓ ସେଡ୍‌ ଭଡ଼ା ଦେବା ଘଟଣା ଉପରେ ଆର୍‌ଏମ୍‌ସି ସମ୍ପାଦକ ଟଙ୍କଧର ନାୟକଙ୍କୁ ଯୋଗାଯୋଗ କରିବାରୁ ଆର୍‌ଏମ୍‌ସିର ରାଜସ୍ୱ ଆଦାୟ ଲାଗି ଏହି ଗୋଦାମ ଘର ଭଡ଼ା ଦିଆଯାଇଛି, କିନ୍ତୁ, ସେଡ୍‌କୁ ଯଦି ସେ ଅକ୍ତିଆର କରିଛନ୍ତି ଚାଷୀଙ୍କ ହିତ ଲାଗି ତାହା ତୁରନ୍ତ ଖାଲି କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର