ସୁବର୍ଣ୍ଣପୁର ଜିଲ୍ଲାରେ ଟୋକନ୍‌ ସମସ୍ୟା ସହ ବଢୁଛି କଟନି ଛଟନି; ମିଲର୍ସ ମାଲାମାଲ୍‌, ଚାଷୀଙ୍କ ଅବସ୍ଥା ବେହାଲ

ସୋନପୁର : ସୁବର୍ଣ୍ଣପୁର ଜିଲ୍ଲାରେ ଗତ ନଭେମ୍ବର ୨୦ ତାରିଖରୁ ଖରିଫ ଧାନ କିଣା ଆରମ୍ଭ ହୋଇଛି। ଜିଲ୍ଲାରେ ୬୨ଟି ପେକ୍ସ ଏବଂ ୩୮ଟି ମହିଳା ଏସ୍‌ଏଚ୍‌ଜି ଦ୍ବାରା ଧାନ କ୍ରୟ ହେଉଛି। ଖରିଫ ଧାନ ବିକ୍ରି ପାଇଁ ଜିଲ୍ଲାରେ ୫୫ ହଜାର ୭୦୭ଜଣ ଚାଷୀ ପଞ୍ଜିକୃତ କରିଛନ୍ତି। ଚଳିତ ବର୍ଷ ଜିଲ୍ଲାରେ ଖରିଫ ଧାନ ଫସଲ ଭଲ ହୋଇଥିବାରୁ ଧାନ ଅମଳ ମଧ୍ୟ ଭଲ ହେବ ବୋଲି କୃଷି ବିଭାଗ ଆକଳନ କରିଛି। ଧାନ ବିକ୍ରି ପାଇଁ ଭୁବନେଶ୍ବରରୁ ଟୋକନ୍‌ ବ୍ୟବସ୍ଥା କରାଯାଇଥିବାରୁ ଚାଷୀ ଅସୁବିଧାରେ ପଡ଼ିଥିବାବେଳେ ଏବେ କଟନି ଛଟନି ଯୋଗୁଁ ଚିନ୍ତା ବଢ଼ିଯାଇଛି। ଏଫଏକ୍ୟୁ ଆଳ ଦେଖାଇ ମିଲର୍ସ କଟନି ଛଟନି କରୁଥିବା ଚାଷୀ ଅଭିଯୋଗ କରିଛି। କଟନି ଛଟନି ନହେଲେ ମିଲର୍ସମାନେ ଧାନ ଉଠାଇବାକୁ ଅମଙ୍ଗ ହେଉଛନ୍ତି ବୋଲି ଚାଷୀ ଅଭିଯୋଗ କରିଛନ୍ତି।

ଜିଲ୍ଲାରେ ୪୧ଟି ମିଲର୍ସଙ୍କୁ ଧାନ କ୍ରୟ କରିବା ପାଇଁ ଅନୁମତି ଦିଆଯାଇଛି। ତେବେ ଏହି ମିଲର୍ସମାନଙ୍କ ମଧ୍ୟରୁ ଅଧିକାଂଶ ମିଲର୍ସ କଟନି ଛଟନିରେ ବୁଡ଼ି ରହିଛନ୍ତି। କ୍ବିଣ୍ଟାଲ୍‌ ପିଛା ୨ରୁ ୩ କେଜି ମିଲର୍ସମାନେ କାଟୁଥିବା ଅଭିଯୋଗ ହେଉଛି। କଟନି ଛଟନିରେ ବର୍ତ୍ତମାନ ପର୍ଯ୍ୟନ୍ତ ଶହଶହ କ୍ବିଣ୍ଟାଲ ଧାନ ଗଳି ସାରିଛି। ଏହି କଟନି ଛଟନି ଧାନ ବିଭିନ୍ନ ମିଲ୍‌କୁ ଯାଇଛି। ଏହିଠାରୁ ସ୍ପଷ୍ଟ ଅନୁମାନ ହେଉଛି ଯେ ବେଆଇନ୍‌ ଭାବରେ ମିଲର୍ସମାନଙ୍କ ପାଖକୁ ଶହଶହ କ୍ବିଣ୍ଟାଲ ଧାନ ଗଲାଣି, କିନ୍ତୁ ଏହାର ତଦନ୍ତ ହେଉନାହିଁ। ଜଳସେଚିତ ଅଞ୍ଚଳ ଡୁଙ୍ଗୁରିପାଲି ଏବଂ ବିନିକା ବ୍ଲକ୍‌ ଅଞ୍ଚଳରେ ମିଲର୍ସମାନେ ସର୍ବାଧିକ କଟନି ଛଟନି କରୁଥିବା ଗୁରୁତର ଅଭିଯୋଗ ହେଉଛି। କେବଳ କଟନି ଛଟନିର ଧାନ ମିଲର୍ସଙ୍କ ପାଖକୁ ଯାଉନାହିଁ, କିଛି ମିଲର୍ସ ଗାଁଗାଁରେ ଦଲାଲ୍‌ ନିୟୋଜିତ କରିଛନ୍ତି। ଏହି ଦଲାଲଙ୍କ ମାଧ୍ୟମରେ ବିଶେଷ କରି କ୍ଷୁଦ୍ର ଏବଂ ନାମ ମାତ୍ର ଚାଷୀଙ୍କଠାରୁ କମ୍‌ ମୂଲ୍ୟରେ ଧାନ କ୍ରୟ କରାଯାଉଛି। ଦଲାଲ୍‌ମାନେ ବହାରୁ ଧାନ କ୍ରୟ କରି ସିଧା ମିଲ୍‌କୁ ନେଉଛନ୍ତି, ଯାହାକି ତଦନ୍ତ ସାପେକ୍ଷ। କିନ୍ତୁ ପ୍ରଶାସନ ନିରବଦ୍ରଷ୍ଟା ସାଜିଥିବାରୁ ଏହାର ତଦନ୍ତ କିଏ କରିବ ବୋଲି ଚାଷୀ ପ୍ରଶ୍ନ କରିଛନ୍ତି।

ଧାନ କ୍ରୟ କମିଟି ବୈଠକରେ ଧାନ କ୍ରୟରେ ସ୍ବଚ୍ଛତା ବଜାୟ ରଖିବାକୁ ନିଷ୍ପତି ହୋଇଥିଲା। ଏହି ନିଷ୍ପତି ଠିକ୍‌ ଭାବେ କାର୍ଯ୍ୟକାରୀ ହେଉନାହିଁ, ଯାହାକି କଟନି ଛଟନିରୁ ସ୍ପଷ୍ଟ ହୋଇଛି। ମିଲର୍ସମାନେ ବେଆଇନ୍‌ ଭାବେ କଟନି ଛଟନି କରୁଥିଲେ ମଧ୍ୟ ପ୍ରଶାସନ ତଦନ୍ତ କରି କାହାରି ବିରୋଧରେ କାର୍ଯ୍ୟାନୁଷ୍ଠାନ ‌ନନେବା ଚାଷୀଙ୍କୁ ବିସ୍ମିତ କରିଛି। ଏହି ଧାନ କ୍ରୟ ଅନିୟମିତତାରେ ମିଲର୍ସ, ଯୋଗାଣ ବିଭାଗ ଏବଂ ପେକ୍ସ କର୍ମଚାରୀ ସାମିଲ୍‌ ଥିବାର ମଧ୍ୟ ଗୁରୁତର ଅଭିଯୋଗ ହେଉଛି। ସୁବର୍ଣ୍ଣପୁର ଜିଲ୍ଲା ଏକ କୃଷି ପ୍ରଧାନ ଜିଲ୍ଲା ତଥା ଏଠାକାର ଚାଷୀମାନଙ୍କ ଭାଗ୍ୟ ବିଶେଷ କରି ଖରିଫ ଧାନ ଉପରେ ନିର୍ଭର କରେ। ତେବେ ନିଜର କଷ୍ଟ ଉପାର୍ଜିତ ଧାନ ବିକ୍ରି ପାଇଁ ମଣ୍ଡିକୁ ଆସୁଥିବାବେଳେ ସେମାନଙ୍କୁ କଟନି ଛଟନିର ଶିକାର ହେବାକୁ ପଡୁଥିବାରୁ ଏଦିଗରେ ପ୍ରାଶସନ ଆବଶ୍ୟକ ପଦକ୍ଷେପ ନେବାକୁ ଚାଷୀମାନେ ଦାବି କରିଛନ୍ତି। ଗୋଟିଏ ପଟରେ ଟୋକନ୍‌ ଚିନ୍ତା ଅନ୍ୟପଟେ କଟନି ଛଟନି ଚିନ୍ତାରେ ଚାଷୀଙ୍କ ଅବସ୍ଥା ବେ‌ହାଲ ହୋଇପଡୁଛି। ଏଦିଗରେ ଜିଲ୍ଲା ପ୍ରଶାସନ ଆବଶ୍ୟକ ଦୃଷ୍ଟି ଦେବାକୁ ଚାଷୀମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର