ଭୁବନେଶ୍ବର : ଟୋକନ୍ ପ୍ରସ୍ତୁତି ପ୍ରକ୍ରିୟାକୁ ମାନବ ହସ୍ତକ୍ଷେପରୁ ମୁକ୍ତ କରାଯାଇଛି। ଏହା ଅନ୍‌ଲାଇନ୍‌ରେ କମ୍ପ୍ୟୁଟରୀକୃତ ବ୍ୟବସ୍ଥା ମାଧ୍ୟମରେ କରାଯାଉଛି। ଏହା ସ୍ବଚ୍ଛ, ଯୁକ୍ତିଯୁକ୍ତ ଓ ନ୍ୟାୟୋଚିତ। ତୃଣମୂଳ ସ୍ତରରେ ଟୋକନ୍‌ ବଣ୍ଟନରେ ଅନିୟମିତତାକୁ ଏହା ପ୍ରତିହତ କରିବ। ଚାଷୀମାନଙ୍କୁ ଟୋକନ୍ ପାଇଁ କ୍ରୟକାରୀ ସୋସାଇଟି ନିକଟକୁ ବାରମ୍ବାର ଦୌଡ଼ିବାକୁ ପଡ଼ିବ ନାହିଁ। ଏହା କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ସଶକ୍ତ କରିବ। ଖରିଫ ଧାନ ସଂଗ୍ରହ ସମ୍ପର୍କରେ ବିଧାନସଭାରେ ବିବୃତି ରଖି ଅନ୍‌ଲାଇନ୍ ଟୋକନ୍ ବ୍ୟବସ୍ଥା ସପକ୍ଷରେ ଏମିତି ଯୁକ୍ତି ବାଢ଼ିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ।

Advertisment

ପଶ୍ଚିମ ଓଡ଼ିଶାରେ ଚାଷୀ ଆନ୍ଦୋଳନ ଚାଲିଥିବା ବେଳେ ଜଣେ ମନ୍ତ୍ରୀ ଓ ସରକାରୀ ଦଳ ଉପମୁଖ୍ୟ ସଚେତକ ଚାଷୀମାନଙ୍କ ସହ ଆଲୋଚନା କରି ଟୋକନ୍ ବ୍ୟବସ୍ଥା ରହିବନି ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ବିଭାଗୀୟ ମନ୍ତ୍ରୀ ବିଧାନସଭାରେ ଟୋକନ୍ ବ୍ୟବସ୍ଥା ଉଚ୍ଛେଦ ନେଇ କୌଣସି ସୂଚନା ଦେଇ ନ ଥିଲେ। ଫଳରେ ଗୃହରେ ବିରୋଧୀ ଦଳ ବିଧାୟକମାନେ ମନ୍ତ୍ରୀଙ୍କ ବିବୃତି ଦାବି କରିଥିଲେ। ଆଜି ମନ୍ତ୍ରୀ ବିବୃତି ରଖିଥିଲେ ବି ଟୋକନ୍ ଉଚ୍ଛେଦ ନେଇ କୌଣସି ସୂଚନା ଦେଇ ନ ଥିଲେ। ବରଂ ପୂର୍ବରୁ ସେ ଗୃହରେ ଯାହା କହିଥିଲେ ତାହାକୁ ଦୋହରାଇବା ସହ ଟୋକନ୍ ବ୍ୟବସ୍ଥା ଠିକ୍ ବୋଲି ବଳିଷ୍ଠ ଯୁକ୍ତି ଉପସ୍ଥାପନ କରିଥିଲେ।

ମନ୍ତ୍ରୀ କହିଥିଲେ ଯେ ଟୋକନ୍ ବ୍ୟବସ୍ଥା ଚାଷୀମାନଙ୍କ ହିତ ପାଇଁ ଉଦ୍ଦିଷ୍ଟ। ଏହା ମଣ୍ଡି ସ୍ତରରେ ଧାନ କ୍ରୟ ବିକ୍ରୟ କାର୍ଯ୍ୟକଳାପକୁ ଶୃଙ୍ଖଳିତ କରିବ ଏବଂ ଚାଷୀଙ୍କୁ ଅନିଶ୍ଚିତତା ଓ ଆଶଙ୍କାରୁ ମୁକ୍ତ କରିବ। ଧାନ ସଂଗ୍ରହର ଯଥେଷ୍ଟ ପୂର୍ବରୁ ଚାଷୀମାନଙ୍କୁ ସେମାନଙ୍କ ବିକ୍ରିଯୋଗ୍ୟ ଧାନ ସହ ସଂପୃକ୍ତ ମଣ୍ଡିରେ ଉପସ୍ଥିତ ରହିବା ପାଇଁ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ପଞ୍ଜୀକୃତ ମୋବାଇଲ୍‌ ନମ୍ବରକୁ ବାର୍ତ୍ତା ପଠାଯାଉଛି। ଅନ୍‌ଲାଇନ୍ ଟୋକନ୍‌ ତାଲିକା କ୍ରୟକାରୀ ‌େସାସାଇଟି/ମହିଳା ସ୍ବୟଂ ସହାୟକ ଗୋଷ୍ଠୀ କାର୍ଯ୍ୟାଳୟରେ ମଧ୍ୟ ଉପଲବ୍ଧ ହେଉଛି। ସ୍ଥିରୀକୃତ ଦିବସରେ ପଞ୍ଜୀକୃତ ଚାଷୀ ଧାନ ବିକ୍ରି ନ କରିପାରି‌ଲେ, ସଂପୃକ୍ତ ଚାଷୀଙ୍କୁ ଧାନ ବିକ୍ରି ପାଇଁ ପୁନର୍ବାର ଏକାଧିକ ସୁଯୋଗ ଦିଆଯିବ।

ମନ୍ତ୍ରୀ ଆହୁରି କହିଥିଲେ ଯେ ଚାଷୀ ଯେଉଁ ବସ୍ତାରେ ଧାନ ନେଇ ମଣ୍ଡିକୁ ଆସୁଛନ୍ତି, ତାହାକୁ ଫେରସ୍ତ କରିବାର ନିୟମ ରହିଛି। ଯେଉଁଠି ଫେରସ୍ତ କରାଯାଉ ନାହିଁ, ସେ କ୍ଷେତ୍ରରେ ବସ୍ତା ବାବଦକୁ ଚାଷୀଙ୍କୁ ପ୍ରାପ୍ୟ ପ୍ରଦାନ ମିଲରର୍‌ମାନଙ୍କ ତରଫରୁ କରାଯିବା କଥା। ‌େଯଉଁ ମିଲର୍‌ମାନେ ଏହାକୁ ଉଲ୍ଲଂଘନ କରୁଛନ୍ତି, ‌ଜିଲ୍ଲାପାଳ, ସିଏସ୍‌ଓ କିମ୍ବା ବିଭାଗର ଦୃଷ୍ଟିକୁ ଆଣିଲେ ସଂପୃକ୍ତ ମିଲର୍‌ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଚଳିତ ଖରିଫ ଧାନ ସଂଗ୍ରହ ପାଇଁ ରାଜ୍ୟ ସରକାର ଜଳସେଚିତ ଓ ଅଣଜଳସେଚିତ ଜମିରୁ ଯଥାକ୍ରମେ ଏକର ପ୍ରତି ୧୯ କ୍ବିଣ୍ଟାଲ ଓ ୧୩ କ୍ବିଣ୍ଟାଲ ହାରରେ ପଞ୍ଜୀକୃତ ଚାଷୀଙ୍କ ଠାରୁ ଧାନ କ୍ରୟ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ରାଜ୍ୟରେ ଖରିଫ ଧାନ ସଂଗ୍ରହ ଆରମ୍ଭ ହୋଇଛି। ବରଗଡ଼, ସମ୍ବଲପୁର, କଳାହାଣ୍ଡି, ସୁବର୍ଣ୍ଣପୁର, ନୂଆପଡ଼ା, ବଲାଙ୍ଗୀର, ମାଲକାନଗିରି ଓ କୋରାପୁଟ ଜିଲ୍ଲାରୁ ଏହା ଆରମ୍ଭ ହୋଇଛି। ଅମଳ ସମୟ ଅନୁସାରେ ଏହା ଅନ୍ୟାନ୍ୟ ଜିଲ୍ଲାମାନଙ୍କ‌େର ଆରମ୍ଭ ହେବ। ୨୪.୧୧.୨୦୧୯ ସୁଦ୍ଧା ୧,୭୫,୫୫୮ କ୍ବିଣ୍ଟାଲ ଧାନ ୮ଟି ଜିଲ୍ଲାରୁ ସଂଗ୍ରହ କରାଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ।