ଟୋକନ୍‌-ଟାର୍ଗେଟର ଚକା ଭଉଁରି : ଅସାଧୁ ମେଣ୍ଟକୁ ସରକାରୀ କଳର ନିରବ ସମର୍ଥନ

ଯାଜପୁର (ପ୍ରଦୀପ କୁମାର ମହାପାତ୍ର) : ନୂତନ କୃଷି ଆଇନ୍‌ ଏବଂ ଏମ୍‌ଏସ୍‌ପି (ମିନିମମ୍‌ ସପୋର୍ଟ ପ୍ରାଇସ୍‌)କୁ ନେଇ ରାସ୍ତାରେ ଚାଷୀ। ସଂସଦରେ ଏହାକୁ ନେଇ ଆଲୋଚନା ଜୋର। ହେଲେ ତୃଣମୂଳସ୍ତରରେ ଚାଷୀ ନିଜ ଉତ୍ପାଦ ବିକିବାକୁ କିଭଳି ସଂଘର୍ଷ କରୁଛି ଏଥି ପ୍ରତି କାହାର ପରବାୟ ନାହିଁ। ମୁଖ୍ୟତଃ ମଣ୍ଡିରେ ଧାନ ବିକିବା ପାଇଁ ଓଡ଼ିଶାର ଚାଷୀଙ୍କୁ ଏବେ ଟୋକନ୍‌- ଟାର୍ଗେଟର ଚକାଭଉଁରିରେ ଘୂରି ବୁଲିବାକୁ ପଡୁଛି। କେତେବେଳେ ମଣ୍ଡିକୁ ଟାର୍ଗେଟ ଆସିନି କହି ଚାଷୀଙ୍କ ଠାରୁ ଧାନ କିଣାଯାଉନି ତ ଆଉ କେତେବେଳେ ଧାନ କିଣିବା ବେଳେ ଟୋକନ୍‌ ଅବଧି ଶେଷ ହୋଇଗଲା କହି ଫେରାଇ ଦିଆଯାଉଛି। ମିଲ୍‌ରଙ୍କ ଦ୍ବାରା ପରିଚାଳିତ ଅସାଧୁ ମେଣ୍ଟ ପ୍ରତି କ୍ବିଣ୍ଟାଲ ଧାନରେ ୫ଶହରୁ ୭ଶହ ଟଙ୍କା ମୁନାଫା କରୁଥିବାବେଳେ ଋଣଯନ୍ତାରେ ଛଟପଟ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛି।

ପ୍ରଥମେ ଚାଷୀ ପଞ୍ଜୀକରଣରେ ଜାଲିଆତି। ଏହାପରେ ମଣ୍ଡି ଖୋଲିବାରେ ଟାଳଟୁଳ ନୀତି। କଟ୍‌ନି- ଛଟନି ସାଙ୍ଗକୁ ଧାନର ମାନ ଆଦି ପ୍ରସଙ୍ଗ ଉଠାଇ ହଇରାଣ। ଚାଷୀଙ୍କୁ ଏତେ ହଇରାଣ ହରକତ କରାଯିବ ଯେ ସେ ମଣ୍ଡି ନାଁ ଶୁଣିଲେ ଚମକିବ। କୌଣସି କାରଣରୁ ଦମ୍ଭ ଦେଖାଇ ନିରୀହ ଚାଷୀଟି ମଣ୍ଡିକୁ ଗଲା ସେଠି ଧାନ ବିକିବାକୁ ତାଙ୍କୁ ଶୀତ କାକରରେ ରାତି ଉଜାଗର ରଖି ମନୋବଳ ଭାଙ୍ଗି ଦିଆଯିବ।

ଦୃଷ୍ଟାନ୍ତ ସ୍ବରୂପ କୋରେଇ ବ୍ଲକ୍‌ ଧନେଶ୍ବର ପଞ୍ଚାୟତ ଚିଲିପଦା ଗ୍ରାମର ବାବନ ଚରଣ ରାଉତଙ୍କ ୮ ଏକର ଜମି ଅଛି। ଏ ବର୍ଷ ପଞ୍ଜୀକରଣ ପାଇଁ ଯିବାରୁ ତାଙ୍କ ଆଧାର କାର୍ଡ, ଜମିପଟ୍ଟା ବ୍ୟବହାର କରି ଧନେଶ୍ବର ଗ୍ରାମର ଜଗବନ୍ଧୁ ରାଉତଙ୍କ ପୁଅ ସୁନିଲ ଆଇଡି ନମ୍ବର-ଏଫ ୧୩୦୮୦୦୦୭୬୧୮ରେ ଭାଗଚାଷୀ ରୂପେ ପଞ୍ଜିକୃତ ହୋଇଛନ୍ତି। ଗତ ୬ ବର୍ଷ ହେଲା ସେ ବାବନ ରାଉତଙ୍କ ଜମିକୁ ଦେଖାଇ ଧାନ ବିକି ଆସୁଛନ୍ତି। ଏ ସଂପର୍କରେ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ନିକଟରେ ଅଭିଯୋଗ କଲେ କିନ୍ତୁ କାର୍ଯ୍ୟାନୁଷ୍ଠାନ ଶୂନ। ସେହିପରି କୋରେଇ ବ୍ଲକ୍‌ର ତଳଗଡ଼ ପାକ୍ସରେ ମଣ୍ଡି ଖୋଲାଯାଇଥିବା ସରକାରୀ ରେକର୍ଡ କହୁଛି। ହେଲେ ଏହା ପଞ୍ଚାୟତର ଏକ ଛୋଟ ଘରେ ଚାଲିଛି। ଖାଲି ଫାଇଲ୍‌ ଚାଷ ହେଉଛି। ଧାନ ବସ୍ତାଏ ରଖିବାକୁ ଜାଗା ବି ନାହିଁ। ଏଠି ଖାତାରେ ଟିପି ଦେଇ ଚାଷୀଙ୍କ ଧାନ ସିଧା ମିଲ୍‌ରେ ଅନ୍‌ଲୋଡ ହେଉଛି। ତାହା ହେଲେ ମଣ୍ଡି ହ୍ୟାଣ୍ଡଲିଂ ବାବଦ ଖର୍ଚ୍ଚ ‌ନେଉଛି କିଏ ? ଏହି ଗୋଟିଏ ନୁହେଁ ଅନେକ ସ୍ଥାନରେ ଏଭଳି ନାମମାତ୍ର ମଣ୍ଡି ଖୋଲାଯାଇଛି। ଯେଉଁଠି ଓଜନ କଣ୍ଟା ନାହିଁ କି ଧାନ ରଖିବା ପାଇଁ ସେଡ୍‌ ନାହିଁ।

ଏବେ ଆସିବା ଟୋକନ୍‌ ବ୍ୟବସ୍ଥା ଉପରକୁ। କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍‌ ଢ଼େଙ୍କିକୋଟ ଲ୍ୟାମ୍ପସ ଅଧୀନସ୍ଥ ପିପିଳିଆ‌ ଅଞ୍ଚଳର ୩୫ଜଣ ଚାଷୀ ଜାନୁଆରି ୬ ତାରିଖରେ ଧାନବିକ୍ରି ପାଇଁ ଟୋକନ୍‌ ପାଇଥିଲେ। ଟାର୍ଗେଟ ଆସିନି କହି ସେମାନଙ୍କ ଠାରୁ ଧାନ କିଣାଗଲା ନାହିଁ। ଫେବ୍ରୁଆରି ୮ ତାରିଖରେ ଧାନକିଣା ପୁଣି ଆରମ୍ଭ ହେବାରୁ ଏହି ଚାଷୀମାନେ ପହଞ୍ଚିଥିଲେ। ହେଲେ ଟୋକନ୍‌ ଅବଧି ଶେଷ ହୋଇଯାଇଛି କହି ସେମାନଙ୍କ ଠାରୁ ଧାନ ନକିଣି ଫେରାଇ ଦିଆଗଲା। ତେଣୁ ଏହି ସବୁ ଦୃଷ୍ଟାନ୍ତରୁ ପ୍ରମାଣିତ ହେଉଛି ଯେ ଚାଷୀଙ୍କୁ ଏଭଳି ଭାବେ ହଇରାଣ କର ଯେ ସେ ଆଉ ମଣ୍ଡି ମୁହାଁ ହେବ ନାହିଁ। ଯାହାକୁ ଗୁହାରି କଲେ ଲାଭ କିଛି ହେବନି। ବାଧ୍ୟ ହୋଇ ଦଲାଲଙ୍କୁ ଧାନ ବିକିବ ଏବଂ ଅସାଧୁ ମେଣ୍ଟ ଫାଇଦା ପାଇ‌ବେ। ଏଭଳି ସୁଚିନ୍ତିତ ଫର୍ମୁଲାରେ ଚାଲିଛି ଚାଷୀ ଶୋଷଣ। ଚାଷୀଙ୍କ ଠାରୁ ଧାନ କିଣିଲେ ୨୪ରୁ ୪୮ ଘଣ୍ଟା ମଧ୍ୟରେ ଦେୟ ପଇଠ କରିବାକୁ ପଡୁଛି। ତେଣୁ ଯେତିକି ଅର୍ଥ ଅଛି ସେହି ଅନୁପାତରେ ଧାନ କିଣାଯାଉଛି। ମଣ୍ଡିରେ କିଣାନଗଲେ ବାଧ୍ୟ ହୋଇ ବାହାରେ ବିକିବେ ଏବଂ ଯୋଗାଣ ବିଭାଗର ଝମେଲା ନଥିବ।

ସରକାରୀ ହିସାବ ଅନୁସାରେ ଯାଜପୁର ଜିଲ୍ଲାରେ ଧାନ ବିକ୍ରି ପାଇଁ ୪୪ହଜାର୨୯୨ ଜଣ ଚାଷୀ ପଞ୍ଜିକୃତ ହୋଇଥିଲେ। ସେ ମଧ୍ୟରୁ ୨୬ହଜାର୮୪ଜଣ ଚାଷୀ ଧାନ ବିକିଛନ୍ତି। ୧୦ଲକ୍ଷ୫୩ ହଜାର୭ଶହ କ୍ବିଣ୍ଟାଲ ଧାନ କିଣିବାକୁ ଧାର୍ଯ୍ୟ ହୋଇଥିବା ବେଳେ ୭ଲକ୍ଷ୮୧ହଜାର୯୧୩ କ୍ବିଣ୍ଟାଲ ଧାନ କିଣାଯାଇଛି। ସେହିପରି କେନ୍ଦୁଝର ଜିଲ୍ଲାରେ ୪୯ ହଜାର ୭୦୧ଜଣ ପଞ୍ଜିକୃତ ଚାଷୀଙ୍କ ମଧ୍ୟରୁ ୨୨ହଜାର୨୮୯ଜଣ ଚାଷୀ ଧାନ ବିକିଛନ୍ତି। ଜିଲ୍ଲାରେ ୧୧ଲକ୍ଷ୭୬ ହଜାର୪୭୦ କ୍ବିଣ୍ଟାଲ ଧାନ କିଣିବା ପାଇଁ ଲକ୍ଷ୍ୟ ରହିଥିବା ବେଳେ ୧୦ଲକ୍ଷ୨୯ ହଜାର୬୫୦ କିଣ୍ଟାଲ ଧାନ କିଣାଯାଇଛି।ଏବେ ବି ଅଧିକାଂଶ ଚାଷୀ ଧାନ ବିକି ନଥିବା ବେଳେ ଧାନକିଣା ଟାର୍ଗେଟର ସିଂହଭାଗ ପୂରଣ ହୋଇଗଲାଣି। ମିଲର କେତେ ଧାନ କେଉଁଠୁ କିଣିଲା ? ଏନେଇ କେବେ ବି ବିଭାଗୀୟ ତଦନ୍ତ ହେଉନି। ରାଜ୍ୟରେ ଚାଲିଥିବା ଏହି ଧାନକିଣା କେଳେଙ୍କାରୀର ଉଚ୍ଚସ୍ତରୀୟ ତଦନ୍ତ ହେଲେ ଅନେକ ଗୁମର ଖୋଲିପାରନ୍ତା।

ସମ୍ବନ୍ଧିତ ଖବର