ଭୁବନେଶ୍ବର: ସଚିବ ବଡ଼ ନା ମନ୍ତ୍ରୀ/ବିଧାୟକ ବଡ଼? ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଗତ କିଛି ଦିନ ହେଲା ଏମିତି ପ୍ରଶ୍ନ ଉଠାଇଥିଲେ। ଆଜି ସୌମ୍ୟରଞ୍ଜନଙ୍କୁ ଦଳର ଉପସଭାପତି ପଦରୁ କାଢ଼ିଦେଇ ବିଜେଡି ସିଧାସଳଖ ଜଣାଇ ଦେଇଛି ଯେ ‘ସଚିବ ହିଁ ବଡ଼। ତାଙ୍କୁ ସମାଲୋଚନା ସବୁବେଳେ ମହଙ୍ଗା ପଡ଼ିବ।’ ସୌମ୍ୟରଞ୍ଜନଙ୍କୁ କାଢ଼ିବା ନେଇ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଦସ୍ତଖତ(?) ଥାଇ ଏକ ଧାଡ଼ିକିଆ ନିର୍ଦ୍ଦେଶନାମା ଜାରି ହୋଇଛି। ବିଜେ଼ଡି ଜଣାଇବାକୁ ଚାହିଁଛି ଯେ ନବୀନଙ୍କର ଏହା ନିଷ୍ପତ୍ତି। ହେଲେ ଏହି ନିର୍ଦ୍ଦେଶନାମାରେ ଦଳର ମୁଖିଆ ଲେଖିନାହାନ୍ତି- କେଉଁ କାରଣ ପାଇଁ ସୌମ୍ୟଙ୍କୁ ଦାୟିତ୍ବରୁ ଅନ୍ତର କରାଗଲା। ଏହି ଘଟଣା ଆଜି ରାଜ୍ୟ ରାଜନୀତିକୁ ସରଗରମ କରିଦେଇଛି। ସବୁଠୁ ବଡ଼ କଥା ହେଲା ସଭାପତି ଶ୍ରୀ ପଟ୍ଟନାୟକଙ୍କ ଦସ୍ତଖତ ଅସଲି ନା ନକଲି, ତାହାକୁ ନେଇ ସୌମ୍ୟରଞ୍ଜନ ସନ୍ଦେହ ପ୍ରକଟ କରିଛନ୍ତି। କେବଳ ସୌମ୍ୟ ନୁହେଁ, ଅନେକ ରାଜନୈତିକ ଦଳ ମଧ୍ୟ ଅନୁରୂପ ସନ୍ଦେହ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଏହି ପ୍ରସଙ୍ଗଟି ଆଜି ବେଶି ଚର୍ଚ୍ଚାର ଖୋରାକ ଯୋଗଇଛି।
ଉପସଭାପତି ପଦରୁ ସୌମ୍ୟରଞ୍ଜନଙ୍କୁ କାଢ଼ିଲା ବିଜେଡି
ଦସ୍ତଖତ ଅସଲି ନା ନକଲି ବୋଲି ସନ୍ଦେହ ପ୍ରକଟ କଲେ ସୌମ୍ୟ
ମନ୍ତ୍ରୀ ବଡ଼ ନା ସଚିବ ବୋଲି ପ୍ରଶ୍ନ ଉଠାଇଥିଲେ
ଉପ ସଭାପତି ଦାୟିତ୍ବରୁ ଅବ୍ୟାହତି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶନାମା ଉପରେ ଗଣମାଧ୍ୟମ ପ୍ରତିକ୍ରିୟା ଲୋଡ଼ିବାରେ ସୌମ୍ୟରଞ୍ଜନ କହିଛନ୍ତି, ତାହା ସଭାପତିଙ୍କର ଇଚ୍ଛାଧୀନ ବ୍ୟାପାର। ସଭାପତି ହିସାବରେ କାହାକୁ ସହଯୋଗୀ କାର୍ଯ୍ୟକର୍ତ୍ତା ଭାବେ ନେବେ, ତାହା ତାଙ୍କର ସମ୍ପୂର୍ଣ୍ଣ ଇଚ୍ଛାଧୀନ। ସେ ଉପସଭାପତି ଦାୟିତ୍ବ ଦେଇଥିଲେ, ଏବେ କାର୍ଯ୍ୟରୁ ଅନ୍ତର କରିଦେଲେ। ଏଥିରେ କିଛି ଅସ୍ବାଭାବିକତା ନାହିଁ। ତେବେ ମୁଁ କିଛି ହରାଇଛି ବୋଲି ଭାବୁନି। କାରଣ ଉପସଭାପତି ହିସାବରେ ମୁଁ କ’ଣ କରୁଥିଲି ଯେ ହରାଇଛି ବୋଲି କହିବି? ଅନେକଗୁଡ଼ିଏ ପଦପଦବିରେ ଆମ ଦଳର ବହୁ ଲୋକ ଅଛନ୍ତି। ସେମାନେ ପ୍ରାୟତଃ କିଛି କରନ୍ତି ନାହିଁ। ତେଣୁ ସେହି ପଦବି କେବଳ ଆଳଙ୍କରିକ ଥିଲା। ତେଣୁ ଏହାକୁ ହରାଇବା ହିସାବରେ ମୁଁ ଗ୍ରହଣ କରୁନି। ହେଲେ ମୋତେ ଦାୟିତ୍ବରୁ ଅନ୍ତର କରିବା ପାଇଁ ନିଆଯାଇଥିବା ନିର୍ଦ୍ଦେଶନାମାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦସ୍ତଖତ ରହିଛି। ଏହି ଦସ୍ତଖତଟି ଅସଲି ନା ନକଲି, ତାହା ସନ୍ଦେହ ହେଉଛି। କାରଣ, ଗୋଟିଏ ସପ୍ତାହ ତଳେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ଦୁଇ ମିନିଟ୍ ସମୟ ମାଗିଥିଲି। ମୋତେ ସମୟ ମିଳିଲା ନାହିଁ। କିନ୍ତୁ ତାହା ବଦଳରେ ଏହି ନିର୍ଦ୍ଦେଶନାମା ମିଳିଛି। ତେଣୁ ମୋର ସନ୍ଦେହ ହେଉଛି, ଦସ୍ତଖତଟି ନକଲି ନା ଅସଲି।