ପିସି ପାଇଁ ଟୋଲ୍‌-ଫ୍ରି ନମ୍ବର

ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର : ପଞ୍ଚାୟତିରାଜ ବିଭାଗ ଅଧୀନରେ ପ୍ରତି ବ୍ଲକରେ ବ୍ୟାପକ ରୂପେ ପିସି କାରବାର ଚାଲିଥିବା  ଅଭିଯୋଗକୁ ଖଣ୍ଡନ କରିଛନ୍ତିି ବିଭାଗୀୟ ମନ୍ତ୍ରୀ ପ୍ରଦୀପ ମହାରଥୀ। ସେ ବିଭିନ୍ନ ବ୍ଲକକୁ ଅଚାନକ ଗସ୍ତ କରିଥିଲେ ହେଁ ଏଭଳି କାରବାର ତାଙ୍କ ନଜରକୁ ଆସିନାହିଁ। ଇତି ମଧ୍ୟରେ ବିଧାନସଭା ଅଧିବେଶନ ଯୋଗୁଁ ସେ ତାଙ୍କର ଅଚାନକ ଗସ୍ତ କାର୍ଯ୍ୟକ୍ରମ ସ୍ଥଗିତ ରଖିଛନ୍ତି। ଆସନ୍ତା ୧୫ ତାରିଖ ପରେ ପୁଣି ଆରମ୍ଭ କରିବେ। ଏହା ସତ୍ତ୍ୱେ ପିସି କାରବାର ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ନିର୍ଦେଶ ଦେଇଛନ୍ତି, ତାକୁ କାର୍ଯ୍ୟକାରୀ କରିବା ସହିତ ଲୋକଙ୍କ ବିଭିନ୍ନ ଅଭିଯୋଗ ଗ୍ରହଣ କରିବା ନିମନ୍ତେ ତାଙ୍କ ବିଭାଗରେ ଖୁବଶୀଘ୍ର ଟୋଲ୍‌-ଫ୍ରି ନମ୍ବର ଲଗାଯିବ ବୋଲି ସେ ଘୋଷଣା କରିଛନ୍ତି।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭାଗୀୟ ସମୀକ୍ଷା ପରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଲେ, ବ୍ଲକ ସ୍ତରରେ ଦୁର୍ନୀତି ରୋକିବା ନିମନ୍ତେ ତିନିଜଣିଆ କମିଟି ଗଠିତ ହୋଇଛି। ଏହି କମିଟି ବିଭିନ୍ନ ବ୍ଲକ ଓ ଅନ୍ୟାନ୍ୟ କାର୍ଯ୍ୟାଳୟ ଅଚାନକ ଗସ୍ତ କରି ପଦକ୍ଷେପ ନେଉଛନ୍ତି। ଦୁର୍ନୀତି ଅଭିଯୋଗ ନେଇ ୪୦୩ଜଣ ଅଧିକାରୀଙ୍କୁ କୈଫିୟତ ତଲବ କରାଯାଇଛି। ୨୬୨ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଦିଆଯିବା ସହିତ ୭୮ଜଣଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବା ସେ କହିଥିଲେ।

ସେ କହିଲେ, ରାଜ୍ୟର ୬୮୦୧ ଗ୍ରାମପଞ୍ଚାୟତର ୧୨୨୪ଟିରେ ୨ରୁ ଅଧିକ ପାଇପ ଦ୍ୱାରା ଜଳଯୋଗାଣ, ୧୬୨୫ଟିରେ ୨ଟି, ୩୧୯୦ଟିରେ ଗୋଟିଏ ଲେଖାଏଁ ପାଇପ ଦ୍ୱାରା ଜଳଯୋଗାଣ ବ୍ୟବସ୍ଥା ରହିଛି। କିନ୍ତୁ ୭୬୦ଟି ଗ୍ରାମପଞ୍ଚାୟତରେ ପାଇପ ଜଳଯୋଗାଣ ବ୍ୟବସ୍ଥା ଆଦୌ ନାହିଁ। ଚଳିତ ବର୍ଷ ପ୍ରତି ପଞ୍ଚାୟତର ଅନ୍ତତଃ ପକ୍ଷେ ୨ଟି ଗାଁକୁ ପାଇପ ଯୋଗେ ଜଳ ଯୋଗାଣ ବ୍ୟବସ୍ଥା କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଗତ ମାର୍ଚ ୩୧ ତାରିଖ ସୁଦ୍ଧା ରାଜ୍ୟର ୧ ଲକ୍ଷ ୫ ହଜାର ୭୭୩ଟି ଗ୍ରାମ ମଧ୍ୟରୁ ମାତ୍ର ୨୬ ପ୍ରତିଶତ ଅର୍ଥାତ୍‌ ୪୧,୫୧୪ଟି ଗ୍ରାମରେ ପାଇପ ଜଳଯୋଗାଣ ବ୍ୟବସ୍ଥା କାର୍ଯ୍ୟ କରୁଛି। ବର୍ଷ ଶେଷ ସୁଦ୍ଧା ଏହା ୨୯ ପ୍ରତିଶତକୁ ବୃଦ୍ଧି ପାଇବ।

୨୦୧୪-୧୫ରୁ ଅଦ୍ୟାବଧି ୧୭.୧୦ ଲକ୍ଷ ଗୃହ ନିର୍ମାଣ ସରିଛି। ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ୨୦ ଲକ୍ଷ ଗୃହ ନିର୍ମାଣ ସରିବ। ସ୍ୱଚ୍ଛ ଭାରତ ମିସନରେ ୭୦ ପ୍ରତିଶତ ଶୌଚାଳୟ ନିର୍ମାଣ ସଂପୂର୍ଣ୍ଣ ହୋଇଥିବା ମନ୍ତ୍ରୀ ଶ୍ରୀ ମହାରଥୀ କହିଥିଲେ। ସେହିପରି ମନ୍‌ରେଗା, ଜାତୀୟ ଗ୍ରାମୀଣ ଜୀବିକା ମିସନ, ୧୪ଶ କେନ୍ଦ୍ରୀୟ ଅର୍ଥ କମିସନ, ୪ର୍ଥ ରାଜ୍ୟ ଅର୍ଥ କମିସନଙ୍କ ସୁପାରିସ, ଗୋପବନ୍ଧୁ ଗ୍ରାମୀଣ ଯୋଜନା ଆଦିର ସଫଳତା ସଂପର୍କରେ ସେ ବଖାଣିଥିଲେ।

ସମ୍ବନ୍ଧିତ ଖବର