ଧାନ ଫସଲ ନଷ୍ଟ ପ୍ରସଙ୍ଗ: କୃଷି ବିଭାଗ ପକ୍ଷରୁ ଟୋଲ ଫ୍ରି ନମ୍ବର ଜାରି

ପୁଣି କ୍ଷେତରେ ଲାଗିଲା ନିଆଁ, ବୃନ୍ଦାଙ୍କ ଘରେ ପହଞ୍ଚିଲା ପ୍ରଶାସନ

ଭୁବନେଶ୍ୱର: ଗତ ୩ ଦିନ ଭିତରେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଚାଷୀମାନଙ୍କ ଦ୍ୱାରା ଧାନ ଫସଲ ନଷ୍ଟ କରାଯିବା ପରେ ରାଜ୍ୟ ସରକାରଙ୍କ କୃଷି ବିଭାଗ ଗୁରୁବାର ଟୋଲ୍‌ ଫ୍ରି ନମ୍ବର ଜାରି କରିଛନ୍ତି। ଟୋଲ୍‌ ଫ୍ରି ନମ୍ବର ୧୮୦୦-୧୮୦-୧୫୫୧କୁ ଚାଷୀ ଫୋନ କରି ଚାଷ ସମ୍ପର୍କିତ ସମସ୍ୟା ଉପରେ ବୁଝି ପାରିବେ ବୋଲି କୃଷି ସଚିବ ସୌରଭ ଗର୍ଗ ସୂଚନା ଦେଇଛନ୍ତି। ଦିନ ୧୦ଟାରୁ ସନ୍ଧ୍ୟା ୬ଟା ଭିତରେ ଚାଷୀ ଫୋନ୍‌ କରିପାରିବେ। ସରକାର ୮ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ କ୍ଷୟକ୍ଷତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ରିପୋର୍ଟ ଆସିବା ପରେ କ୍ଷତିଗ୍ରସ୍ତଙ୍କୁ ସହାୟତା ମିଳିବ। ଫସଲହାନୀ ହୋଇଥିବା ସ୍ଥାନରେ ବୈଠକ ପାଇଁ କୃଷି ଅଧିକାରୀଙ୍କୁ ନିର୍ଦ୍ଦେଶ ହୋଇଛି। କୀଟନାଶକ ପ୍ରୟୋଗ ବିଷୟରେ କୃଷକଙ୍କୁ ଜଣାଇବେ। ନକଲି  କୀଟନାଶକ ବିକ୍ରେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ।

ପୁଣି ଚାଷ ଜମିରେ ନିଆଁ
ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଖପ୍ରାଖୋଲରେ ଗୁରୁବାର ଆଉ ଜଣେ ଚାଷୀ କ୍ଷେତରେ ନିଅାଁ ଲଗାଇଛନ୍ତି। ଚକଡ଼ା ପୋକ ଯୋଗୁଁ ଫସଲ ନଷ୍ଟ ହେବାରୁ ନିଆଁ ଲଗାଇଥିବା ଜଣାପଡ଼ିଛି। ନିଆଁ ଲଗାଇବା ପାଇଁ ପ୍ରଶାସନକୁ ଚାଷୀ ଅବଗତ କରିଥିଲେ। ଚାଷୀଙ୍କୁ ବୁଝାସୁଝା ପରେ ନିଆଁକୁ ପ୍ରଶାସନ ଆୟତ୍ତ କରିଛି। ଚାଷୀଙ୍କ ୩ ଏକରରୁ ୨୦ଡେସିମିଲ ଜମିରେ ନିଆଁ ଲାଗିଛି।

ମୃତ ଚାଷୀ ବୃନ୍ଦାବନଙ୍କ ଘରେ ପ୍ରଶାସନ
ଧାନ କ୍ଷେତରେ ନିଆଁ ଲଗାଇ ବାରେ ଆତ୍ମହତ୍ୟା କରିଥିବା ବୃନ୍ଦାବନଙ୍କ ଘରେ ଗୁରୁବାର ପ୍ରଶାସନିକ ଅଧିକାରୀମାନେ ପହଞ୍ଚିଛନ୍ତି। ସ୍ଥାନୀୟ ତହସିଲଦାର, କୃଷି ଅଧିକାରୀ, ରାଜସ୍ୱ ନୀରିକ୍ଷକ ଓ ପୁଲିସ ବୃନ୍ଦାଙ୍କ ପରିବାର ସଦସ୍ୟଙ୍କୁ ଚାଷ କ୍ଷତି ସମ୍ପର୍କରେ ବୁଝାସୁଝା କରିଛନ୍ତି। ରିପୋର୍ଟ ଆସିବା ପରେ ବୃନ୍ଦାଙ୍କ ପରିବାରକୁ କ୍ଷତିପୂରଣ ମିଳିବ ବୋଲି ଅଧିକାରୀମାନେ ଆଶ୍ୱାସନା ଦେଇଛନ୍ତି।

ସୂଚନାଯୋଗ୍ୟ, ଜଳସେଚନର ଅଭାବ ଓ ସରକାରଙ୍କ ଅସହଯୋଗ ଯୋଗୁଁ ଋଣ ଗ୍ରସ୍ତ ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ଚାଷୀମାନେ ଚାଷ ପ୍ରତି ବିତୃଷ୍ଣା ଭାବ ଦେଖାଉଛନ୍ତି। ପୋକ ଲାଗିିବାରୁ ବରଗଡ଼ ଜିଲ୍ଲାର କଳାପାଣି ଗ୍ରାମରେ ମଙ୍ଗଳବାର ବୃନ୍ଦା ସାହୁ ନାମକ ଜଣେ ଚାଷୀ ନିଜ ଧାନ ବିଲରେ ନିଅାଁ ଲଗାଇବା ପରେ ବୁଧବାର ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ବରଗଡ଼ ଜିଲ୍ଳାରେ ଋଣ ଗ୍ରସ୍ତ ଚାଷୀ ବିଲରେ ନିଆଁ ଲଗାଇଥିବା ବେଳେ ପଡୋଶୀ ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲାରେ ମଧ୍ୟ ବୁଧବାର ଚାଷୀମାନେ ସେମାନଙ୍କ ଫସଲରେ ନିଆଁ ସଂଯୋଗ କରିଛନ୍ତି।

ଗତକାଲି ସମ୍ବଲପୁର ଜିଲ୍ଲା ଧନକଉଡ଼ା ବ୍ଲକର ଖୁଦପାଲି ଗ୍ରାମର ଚାଷୀ ସତ୍ୟାନନ୍ଦ ସେଠ୍‌ ନିଜ ଧାନ ବିଲରେ ନିଆଁ ଲଗାଇଛନ୍ତି। ଚକଡ଼ା ପୋକ ପ୍ରଭାବରେ ଫସଲ ନଷ୍ଟ ହେବାରୁ ଧାନ ଫସଲ ନଷ୍ଟ ହୋଇ ଯାଇଥିଲା। ବିଲରେ ଲାଗିଥିବା ରୋଗକୁ ଠିକ କରିବାକୁ ସତ୍ୟାନନ୍ଦ କୌଣସି ଉପାୟ ଅଥବା ସରକାରୀ ସହାୟତା ପାଇ ନ ଥିଲେ। ସେହିପରି ଝାରସୁଗୁଡ଼ା ଜିଲ୍ଲା ଲଖନପୁର ଅଞ୍ଚଳର ଅଏଁଲପଡା ଗ୍ରାମରେ ଜଣେ ଚାଷୀ ଧାନ ଚାଷ କରିଥିବା ନିଜର ବିଲରେ ନିଅାଁ ଲଗାଇଛନ୍ତି। ରୋଗ ଓ ପୋକର ପ୍ରଭାବରେ ଫସଲ ଉଜୁଡ଼ି ଯାଇଥିବା ବେଳେ ମନ ଦୁଃଖରେ ଦିନ କାଟୁଥିବା ଚାଷୀ ଡିଲେଶ୍ୱର ପ୍ରଧାନ ଅନ୍ୟ ଉପାୟ ନ ପାଇ ଶେଷରେ ବିଲରେ ନିଆଁ ଲଗାଇଛନ୍ତି। ସେ ୫ଏକର ବିଲରେ ଧାନ ଚାଷ କରିଥିଲେ। ଏଥିରୁ ୨ଏକର ଜମିରେ ଚକଡ଼ା ପୋକ ଯୋଗୁଁ ଫସଲ ସମ୍ପୁର୍ଣ୍ଣ ରୂପେ କ୍ଷତି ହୋଇ ଯାଇଥିଲା।

ସମ୍ବନ୍ଧିତ ଖବର