ଭୁବନେଶ୍ବର: ରାଜ୍ୟ ସରକାର ରାଜ୍ୟରେ ୭୫ହଜାର କିମି ବିଶ୍ବସ୍ତରୀୟ ରାସ୍ତା ନିର୍ମାଣ କରିବେ। ଏଥିପାଇଁ ଓଡ଼ିଶା ରାଜ୍ୟ ରାଜପଥ ପ୍ରାଧିକରଣ ବିଲ୍‌, ୨୦୨୫ ଆଣିଛନ୍ତି। ଏହା କେନ୍ଦ୍ର ସରକାରଙ୍କ ଜାତୀୟ ରାଜପଥ ପ୍ରାଧିକରଣ ଭଳି ସ୍ବୟଶାସିତ ସଂସ୍ଥା ଭାବେ କାର୍ଯ୍ୟ କରିବ। ଏହି ବ୍ୟବସ୍ଥାରେ ରାଜ୍ୟରେ ପ୍ରତିବର୍ଷ ୧୫ହଜାର କିମି ରାଜ୍ୟ ରାଜପଥର ଉନ୍ନତୀକରଣ ହେବ। ଏଥିପାଇଁ ୭୭ଟି ରାସ୍ତା ଚୟନ କରାଯାଇଛି। ‌େଯତିକି ରାସ୍ତା ଚକାଚକ୍ ହେବ ସେହି ଅନୁଯାୟୀ ଗାଡ଼ି ଚାଳକଙ୍କ ଠାରୁ ଟୋଲ୍ ଫି’ ବି ଆଦାୟ ହେବ। ଓଡ଼ିଶାବାସୀ ଜାତୀୟ ରାଜପଥ ହେଉ କି ରାଜ୍ୟ ରାଜପଥ ଯେଉଁଠି ‌ଯିବେ ଏଣିକେ ଟୋଲ୍‌ ଫି’ ଗଣିବେ।

Advertisment

ଏହି ବିଲ୍‌କୁ ବିଧାନସଭାରେ ଉପସ୍ଥାପନ କରି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ ହେବାକୁ ଥିବାବେଳେ  ରାଜ୍ୟକୁ ଏକ ଅର୍ଥନୈତିକ ଶକ୍ତି କେନ୍ଦ୍ରରେ ପରିଣତ କରାଯିବ। ଏଥିପାଇଁ ଏହି ବିଶ୍ବସ୍ତରୀୟ ଯୋଗାଯୋଗ ବ୍ୟବସ୍ଥା ବେଶ୍ ଉପାଦେୟ ହେବ। ଏଥିରେ ପ୍ରବେଶ-ନିୟନ୍ତ୍ରିତ ହାଇ ସ୍ପିଡ୍ ହାଇୱେ କରିଡର, ଅନ୍ୟାନ୍ୟ ଆର୍ଟେରିଆଲ  ଅର୍ଥନୈତିକ କରିଡର, ପ୍ରଥମ ମାଇଲ୍ ଓ ଶେଷ ମାଇଲ୍ ସଂଯୋଗ ରାସ୍ତା ଅନ୍ତର୍ଭୁକ୍ତ। ଯାହା ଦ୍ୱାରା ଉପଭୋଗ କେନ୍ଦ୍ର, ଉତ୍ପାଦନ କେନ୍ଦ୍ର ଏବଂ ସାମାଜିକ ଭାବେ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳଗୁଡ଼ିକୁ ସଂଯୋଗୀକରଣରେ ଉନ୍ନତି ଆସିପାରିବ। ରାସ୍ତା ନେଟ୍‌ୱର୍କର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ କରିଡର ସହିତ ଜମି ଅଧିଗ୍ରହଣ, ପୁନର୍ବାସ ଓ ଥଇଥାନ , ପରିବେଶ ଓ ଜଙ୍ଗଲ ମଞ୍ଜୁରି ଏବଂ ଉପଯୋଗୀତା ସ୍ଥାନାନ୍ତରଣ, ରାଜପଥରେ ଟ୍ରାଫିକ୍‌ ନିୟନ୍ତ୍ରଣ ଏବଂ ରାଜ୍ୟରେ ରାସ୍ତା ବ୍ୟବହାରକାରୀ ସୁରକ୍ଷା, ଜବରଦଖଲ ନିୟନ୍ତ୍ରଣ ଏବଂ ରାଜପଥର ବୈଜ୍ଞାନିକ ପରିଚାଳନା କରାଯିବ।

ରାସ୍ତାକୁ ଜବରଦଖଲ କଲେ ହଜାରେରୁ ୫ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବ। ଏହି ଅଥରିଟିରେ ଜଣେ ଅଧ୍ୟକ୍ଷଙ୍କ ସହ ୪ଜଣ ସଦସ୍ୟ ରହିବେ। ଏହାସହ ଫାଇନାନ୍ସ ମେମ୍ବର, ସେଫ୍‌ଟି ଓ ଟେକ୍‌ନୋଲୋଜି ମେମ୍ବର ରହିବେ। ୱାର୍କ୍ସ, କଣ୍ଟ୍ରାକ୍ଟ ଓ ଅପରେସନ୍‌ ମେମ୍ବର ନିଯୁକ୍ତ ହେବେ। ରାଜ୍ୟ ସରକାରଙ୍କ ସର୍ଚ୍ଚ ଓ ସିଲେକ୍ସନ୍‌ କମିଟି ମାଧ୍ୟମରେ ଏମାନଙ୍କୁ ନିଯୁକ୍ତି ଦିଆଯିବ। ଏହି ବିଲ୍‌ ଆଲୋଚନାରେ ବିଜେଡି ପକ୍ଷରୁ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ନଳିନୀକାନ୍ତ ପ୍ରଧାନ ଭାଗ ନେଇ ବିରୋଧ କରିଥିବାବେଳେ ଶାସକ ଦଳ ପକ୍ଷରୁ ମାନସ କୁମାର ଦତ୍ତ ଓ ଦୁଷ୍ମନ୍ତ କୁମାର ସ୍ବାଇଁ ବିଲ୍‌ ସପକ୍ଷରେ ମତ ରଖିଥିଲେ। ଏହି ବିଲ୍‌ ଉପରେ ଦୀର୍ଘ ଦୁଇ ଘଣ୍ଟା ଆଲୋଚନା ହୋଇଥିଲା।