ଟମାଟୋ ଫ୍ଲୁ ଆତଙ୍କ: ଓଡ଼ିଶାରେ ମୁକାବିଲା ପାଇଁ ପ୍ରସ୍ତୁତି

ଶିଶୁ ଭବନରେ ୧୨ଟି ବେଡ୍ ବିଶିଷ୍ଟ ସ୍ବତନ୍ତ୍ର ୱାର୍ଡ ପ୍ରସ୍ତୁତ, ୩ଟି ସିଫ୍ଟ୍‌ରେ କାର୍ଯ୍ୟ କର‌ିବେ ଡାକ୍ତର

କଟକ : ତାମିଲନାଡ଼ୁ ଓ କର୍ଣ୍ଣାଟକରେ ଟମାଟୋ ଫ୍ଲୁ ପରେ ଓଡ଼ିଶାରେ ବି ଏହାକୁ ନେଇ ଆତଙ୍କ ସୃଷ୍ଟି ହେଲାଣି। ରାଜ୍ୟର ଏକମାତ୍ର ଶିଶୁରୋଗ ପ୍ରତିଷ୍ଠାନ ଶିଶୁଭବନରେ ଏହି ରୋଗର ଚିକିତ୍ସା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ୧୨ ବେଡ୍ ବିଶିଷ୍ଟ ସ୍ବତନ୍ତ୍ର ଆଇସୋଲେସନ୍ ଓ୍ବାର୍ଡ ପ୍ରସ୍ତୁତ କରାଯାଇଛି। ଓଡ଼ିଶାରେ କେହି ଶିଶୁ ଟମାଟୋ ଫ୍ଲୁରେ ସଂକ୍ରମିତ ହେଲେ ଶିଶୁଭବନର ଏହି ୱାର୍ଡରେ ଭର୍ତ୍ତି କରାଯିବ।

ସୂଚନା ଅନୁଯାୟୀ, ତାମିଲନାଡ଼ୁରେ ଦେଖା ଦେଇଥିବା ଟମାଟୋ ଫ୍ଲୁ ପାଇଁ ଏବେ ସେଠାରେ ହାଇ ଆଲର୍ଟ ଜାରି କରାଯାଇଥିବା ବେଳେ ଓଡ଼ିଶା ପ୍ରତି ବିପଦ ଦେଖା ଦେଇଛି। କରୋନା ଭଳି ଏହି ନୂଆ ରୋଗ ଓଡ଼ିଶାକୁ ବ୍ୟାପିବାର ଶିଶୁ ରୋଗ ବିଶେଷଜ୍ଞ ଆଶଙ୍କା କରୁଛନ୍ତି। ୫ ବର୍ଷରୁ କମ୍ ବୟସର ଶିଶୁଙ୍କ ଶରୀରରେ ଲାଲ ରଙ୍ଗର ଫୋଟକା ହେଉଥିବା ବେଳେ ଦେହ କୁଣ୍ଡାଇ ହେବା, ଜ୍ବର ହେବ ଓ ଆଣ୍ଠୁ ଗଣ୍ଠି ଫୁଲିଯିବା ଭଳି ଲକ୍ଷଣ ଦେଖା ଦେଉଥିବାରୁ ଅଭିଭାବକମାନେ ଭୟଭୀତ ହୋଇ ଯାଉଛନ୍ତି। ଶିଶୁଭବନରେ ମେଡିକାଲ୍ ଓ୍ବାର୍ଡ ୩ର ଉପର ମହଲାରେ ଏକ ସ୍ବତନ୍ତ୍ର ଓ୍ବାର୍ଡ ଏଥିପାଇଁ ପ୍ରସ୍ତୁତ କରାଯାଇଛି। ଏଥିରେ ୧୨ଟି ବେଡ୍ ରଖାଯାଇଛି। କରୋନା ସମୟରେ ଏଠି ସନ୍ଦିଗ୍ଧ ଶିଶୁ ରୋଗୀଙ୍କ ଚିକିତ୍ସା ହୋଇଥିବାରୁ ଏହି ସ୍ଥାନ ସଂକ୍ରମିତ ରୋଗ ପାଇଁ ଉପଯୁକ୍ତ ବୋଲି ବିଚାର କରାଯାଉଛି। ତେଣୁ ଏହିଠାରେ ହିଁ ଟମାଟୋ ଫ୍ଲୁରେ ଆକ୍ରାନ୍ତ ଶିଶୁ ରୋଗୀଙ୍କ ଚିକିତ୍ସା କରାଇବା ପାଇଁ ନିଷ୍ପତ୍ତି ହୋଇଛି।

ଶିଶୁଭବନରେ ଭର୍ତ୍ତି ହେବାକୁ ଥିବା ଶିଶୁରୋଗୀଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ଭାଇରାଲ୍ ଟେଷ୍ଟ ପାଇଁ ବଡ଼ ଡାକ୍ତରଖାନାର ମାଇକ୍ରୋ ବାୟୋଲୋଜି ବିଭାଗକୁ ପଠାଯିବ। ଏହି ଆଇସୋଲେସନ୍ ଓ୍ବାର୍ଡରେ ତିନୋଟି ସିଫ୍ଟରେ ପେଡିଆଟ୍ରିକ ମେଡିସିନ ବିଭାଗର ଡାକ୍ତର ନିୟୋଜିତ ହେବେ। ସଂକ୍ରମଣ ହାରକୁ ଦୃଷ୍ଟିରେ ରଖି ନର୍ସ ଓ ଆଟେଣ୍ଡାଣ୍ଟଙ୍କୁ ବି ନିୟୋଜିତ କରାଯିବ। ଶିଶୁଭବନ ଅଧୀକ୍ଷକ ଡାକ୍ତର ପ୍ରଫେସର ଜ୍ଞାନେନ୍ଦ୍ରନାଥ ବେହେରା କହିଛନ୍ତି ଯେ ଶିଶୁ ଭବନର ୱାର୍ଡ ୩ ଏଥିପାଇଁ ପ୍ରସ୍ତୁତ ହୋଇ ଥିବା ବେଳେ ରୋଗୀଙ୍କ ସଂଖ୍ୟା ଅନୁଯାୟୀ ନର୍ସ ନିୟୋଜନ ସଂପର୍କରେ ସ୍ଥିର କରାଯିବ।

ସମ୍ବନ୍ଧିତ ଖବର