ଟମାଟୋ ଫ୍ଲୁ ମୁକାବିଲା ଚିନ୍ତା: ଏମ୍‌କେସିଜି, ସିଟି ହସ୍‌ପିଟାଲ୍‌ରେ ଟିମ୍‌ ପ୍ରସ୍ତୁତ

ବ୍ରହ୍ମପୁର : ଟମାଟୋ ଫ୍ଲୁକୁ ନେଇ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଏଥିପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ତରଫରୁ ପ୍ରତ୍ୟେକ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଆସିଛି। କିଛି ଜିଲ୍ଲାରେ ଦେଖା ଦେଉଥିବା ହ୍ୟାଣ୍ଡ୍‌, ଫୁଟ୍‌ ଓ ମାଉଥ୍‌ ଡିଜିଜ୍‌ ବା ଏଚ୍‌ଏଫ୍‌ଏମ୍‌ଡି ରୋଗ ସହିତ ଟମାଟୋ ଫ୍ଲୁର କିଛି ସାମଞ୍ଜସ୍ୟ ରହିଛି କି ନାହିଁ ତାହା ସ୍ପଷ୍ଟ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ଉଦ୍ୟମ ଆରମ୍ଭ କରିଛି। ଏଥିପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ତରଫରୁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ଯେଉଁ ସବୁ ଜିଲ୍ଲାରେ ଏଚ୍‌ଏଫ୍‌ଏମ୍‌ଡି ରୋଗୀ ଚିହ୍ନଟ ହେଉଛନ୍ତି ତାଙ୍କର ନମୁନା ପରୀକ୍ଷା ପାଇଁ ଆର୍‌ଏମ୍‌ଆର୍‌ସିକୁ ପଠାଇବା ପାଇଁ ନିର୍ଦ୍ଦେଶ ରହିଛି। ଏଥିପାଇଁ ଗଞ୍ଜାମ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ଏମ୍‌କେସିଜି ମେଡିକାଲ କଲେଜ ଓ ସିଟି ହସ୍ପିଟାଲ୍‌ର ଶିଶୁ ରୋଗ ବିଭାଗ ବିଶେଷଜ୍ଞଙ୍କ ସହିତ ଆଲୋଚନା କରାଯାଇଛି। ସେଭଳି କିଛି ରୋଗୀ ଆସିଲେ ତାଙ୍କର ନମୁନା ସଂଗ୍ରହ କରିବା ପାଇଁ ଟିମ୍‌ ପ୍ରସ୍ତୁତ ରହିଛନ୍ତି ବୋଲି ଏଡିଏମ୍‌ଓ ଡା‌.ଆର୍‌.ଜଗଦୀଶ ପଟ୍ଟନାୟକ ସୂଚନା ଦେଇଛନ୍ତି। ବିଶେଷ କରି ଛୋଟ ପିଲାଙ୍କ କ୍ଷେତ୍ରରେ ଏଚ୍‌ଏଫ୍‌ଏମ୍‌ଡି ରୋଗ ଦେଖା ଦେଇଥାଏ। ବର୍ତ୍ତମାନ ସୁଦ୍ଧା ଟମାଟୋ ଫ୍ଲୁ ସନ୍ଦିଗ୍ଧ ରୋଗୀ ଚିହ୍ନଟ ହୋଇ ନାହାନ୍ତି। ଯାହାର ଲକ୍ଷଣ ଜଣାପଡ଼ିବ ସେହି ରୋଗୀଙ୍କ ନମୁନା ସଂଗ୍ରହ କରାଯିବ। ସନ୍ଦିଗ୍ଧ ରୋଗୀ ଆସିଲେ ତାଙ୍କର ସ୍ବାବ୍‌ କିମ୍ବା ଫୋଟକା ହୋଇଥିବା ସ୍ଥାନର ପାଣିର ନମୁନା ସଂଗ୍ରହ କରି ଆର୍‌ଏମ୍‌ଆର୍‌ସିକୁ ପଠାଯିବ। ଏ ନେଇ ଖୁବ୍‌ଶୀଘ୍ର ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ତରଫରୁ ଏକ ଗାଇଡ୍‌ଲାଇନ୍‌ ଆସିବ ବୋଲି ଏଡିଏମ୍‌ଓ ଡା. ପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧିତ ଖବର